ଓଡ଼ିଶାଲାଇଭ୍ ବ୍ୟୁରୋ

ଜର୍ମାନୀରେ ସଫଳତା ହାସଲ କରିଛନ୍ତି କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଢାମଣାହାଣ୍ଡି ଗ୍ରାମର ଐଶ୍ଵର୍ଯ୍ୟା ବ୍ରହ୍ମା। ଦୃଢ଼ ଇଚ୍ଛା ଶକ୍ତି ଏବଂ କଠିନ ପରିଶ୍ରମ ଯୋଗୁଁ ଐଶ୍ଵର୍ଯ୍ୟା ଜର୍ମାନୀର ଏକ ବଡ଼ ଫର୍ମା କମ୍ପାନିରେ ବୈଜ୍ଞାନିକ ଭାବେ ନିଯୁକ୍ତି ପାଇଛନ୍ତି। ପିଲାଟି ଦିନରୁ ମେଧାବୀ ଛାତ୍ରୀ ଥିବା ଐଶ୍ଵର୍ଯ୍ୟା ବୈଜ୍ଞାନିକ ହେବାକୁ ଲକ୍ଷ୍ୟ ରଖିଥିଲେ। ବାପାଙ୍କ ପାଖରେ ଅଳି କରି ଉଚ୍ଚ ଶିକ୍ଷା ଲାଗି ଜର୍ମାନୀ ଯାଇଥିଲେ।

୨୧ ବର୍ଷିୟ ଐଶ୍ଵର୍ଯ୍ୟା ଜର୍ମାନୀର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରିବା ପରେ ସେଠାକାର ସବୁଠାରୁ ବଡ଼ ଫାର୍ମା କମ୍ପାନିରେ ବୈଜ୍ଞାନିକ ଭାବେ ନିଯୁକ୍ତି ପାଇଛନ୍ତି। କିଛି ମାସ ପୂର୍ବେ ଜର୍ମାନୀଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୨୦ଜଣ ସଫଳ ବୈଜ୍ଞାନିକଙ୍କୁ ପୁରସ୍କୃତ କରାଯାଇଥିଲା। ଏମାନଙ୍କ ମଧ୍ୟରେ ରହିଥିଲେ ଓଡ଼ିଶା ଝିଅ ଐଶ୍ଵର୍ଯ୍ୟା ବ୍ରହ୍ମା। କୋଟପାଡ଼ ଭଳି ଏକ ପଛୁଆ ଅଞ୍ଚଳରୁ ଯାଇ ଐଶ୍ଵର୍ଯ୍ୟା ଜର୍ମାନୀରେ ସଫଳତା ପାଇବା ପରେ ସାରା ଜିଲ୍ଲା ଗର୍ବ ଅନୁଭବ କରୁଥିବା କହିଛନ୍ତି ଐଶ୍ଵର୍ଯ୍ୟାଙ୍କ ବାପା ବ୍ରଜ କିଶୋର ବ୍ରହ୍ମା।

ଅନେକ ବର୍ଷ ଧରି ଐଶ୍ଵର୍ଯ୍ୟା ଜର୍ମାନୀରେ ରହିଥିଲେ ମଧ୍ୟ ନିଜର ସଂସ୍କୃତି ଏବଂ ପରମ୍ପରାକୁ ବଜାୟ ରଖିଛନ୍ତି। ଜଣେ ସଫଳ ବୈଜ୍ଞାନିକ ହେବା ସହ ଐଶ୍ଵର୍ଯ୍ୟା ଜର୍ମାନୀଠାରେ ସେଠାକାର ଲୋକଙ୍କୁ ଓଡ଼ିଶୀ ଏବଂ ସମ୍ବଲପୁରୀ ନୃତ୍ୟ ଶିକ୍ଷା ଦେଉଛନ୍ତି। କେବଳ ସେତିକି ନୁହେଁ ଜର୍ମାନୀଠାରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ସେ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥାନ୍ତି। ସେଠାରେ ମଧ୍ୟ ଓଡ଼ିଶାର କଳା ଏବଂ ସଂସ୍କୃତିକୁ ଲୋକେ ସମ୍ମାନ ଦେଇଥାନ୍ତି ବୋଲି ଐଶ୍ଵର୍ଯ୍ୟା ବ୍ରହ୍ମା କୁହନ୍ତି। ଐଶ୍ଵର୍ଯ୍ୟାଙ୍କ ସଫଳତାକୁ ନେଇ କୋଟପାଡ଼ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

Tags: #AiswariyaBramha #Scientist #Jerman #OdissiDancer

Comment