ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୧୮-୧୯ବର୍ଷର ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପାଇଁ ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ଓଡ଼ିଶୀ ନୃତ୍ୟ ପାଇଁ ନୃତ୍ୟଶିଳ୍ପୀ ମୀରା ଦାସଙ୍କୁ ସମ୍ମାନୀତ କରାଯାଇଛି।

ପୃଥିବୀର ବିଭିନ୍ନ ଦେଶରେ ନିଜର ନୃତ୍ୟ ପାଇଁ ମୀରା ଦାସ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିପାରିଛନ୍ତି। ଏଥିପାଇଁ ତାଙ୍କୁ ବିଭିନ୍ନ ସ୍ଥାନରେ ଅନେକ ଆଦର, ସମ୍ମାନ ମଧ୍ୟ ମିଳିଛି। ଓଡ଼ିଶୀ ନୃତ୍ୟଗୁରୁ ପଦ୍ମବିଭୂଷଣ କେଳୁଚରଣ ମହାପାତ୍ର ଓ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କଠାରୁ ସେ ନିଜର ଓଡ଼ିଶୀ ନୃତ୍ୟଶିକ୍ଷା କରିଥିଲେ।

ଗୁରୁ କେଳୁଚରଣ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେ ଓଡ଼ିଶୀ ଅଙ୍ଗଭଙ୍ଗୀ ଓ ନୃତ୍ୟଶିକ୍ଷା କରିଥିଲେ। ଏହାସହ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ ସଞ୍ଜୁକ୍ତା ପାଣିଗ୍ରାହୀ ଓ କୁମକୁମ୍ ମହାନ୍ତିଙ୍କ ସହ ମଧ୍ୟ ସେ କାମ କରିଛନ୍ତି। ଆଇସିସିଆର୍ର ଜଣେ କଳାକାର ଭାବେ ବିଭିନ୍ନ ଦେଶବିଦେଶରେ ନିଜର ନୃତ୍ୟର ଯାଦୁ ଦେଖାଇ ସାରିଛନ୍ତି। ଓଡ଼ିଶୀ ନୃତ୍ୟର ପଲ୍ଲଭି ରାଗ, ବସନ୍ତ ରାଗ, ରସ, ସୂର୍ଯ୍ୟ,ମେଘାମ୍ବରୀ ଆଦିରେ ସେ ବେଶ୍ ନିପୁଣ।

ଓଡ଼ିଶୀ ନୃତ୍ୟର ପ୍ରଚାର ପ୍ରସାର ତଥା ଯୁବବର୍ଗଙ୍କ ମଧ୍ୟରେ ଏହାକୁ ପହଞ୍ଚାଇବା ପାଇଁ ମୀରା ଦାସ କଟକରେ ନିଜର ଗୁଞ୍ଜନ ଡ୍ୟାନ୍ସ ଏକଡେମୀ ପ୍ରତିଷ୍ଠା କରିଛନ୍ତି। ଦୀର୍ଘ ୨୦ ବର୍ଷ ଧରି ଏହି ଡ୍ୟାନ୍ସ ଏକାଡେମୀ ଯୁବବର୍ଗଙ୍କୁ ଓଡ଼ିଶୀ ନୃତ୍ୟ ଶିଖାଇବା ସହ ଦେଶବିଦେଶରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଛନ୍ତି। ସେ ବାବୁସାନଙ୍କ ଅଭିନୀତ ଓଡ଼ିଆ ଫିଲ୍ମ ‘ଥୁକୁଲ୍‌’ରେ କୋରିଓଗ୍ରାଫି ମଧ୍ୟ କରିଛନ୍ତି।

ନିଜର ନୃତ୍ୟକଳା ଓ ନୃତ୍ୟଶିକ୍ଷା ପାଇଁ ତାଙ୍କୁ ସଞ୍ଜୁକ୍ତା ପାଣିଗ୍ରାହୀ ସମ୍ମାନ, ଦେବପ୍ରସାଦ ସ୍ମୃତି ସମ୍ମାନ, କାଳିଦାସ ସମ୍ମାନରେ ସମ୍ମାନୀତ କରାଯାଇଛି। ଏହା ବ୍ୟତୀତ ତାଙ୍କୁ ଆମେରିକାର ଡେଣ୍ଟନ ସହରର ମେୟର ମଧ୍ୟ ସମ୍ମାନିତ କରିଛନ୍ତି।

ଦେଶ ବିଦେଶର ଅନେକ ସ୍ଥାନ ସହିତ ଭାରତ ମହୋତ୍ସବ, ମୁକ୍ତେଶ୍ୱର ନୃତ୍ୟ ଉତ୍ସବ, ଧଉଳି ମହୋତ୍ସବରେ, ୱାର୍ଲ୍ଡ ଟୁରିଜିମ୍ ଡେ’ରେ ମଧ୍ୟ ନୃତ୍ୟ ପରିବେଷଣ କରିସାରିଛନ୍ତି। ଏହାସହ ଦୂରଦର୍ଶନ, ଇଟିଭି ଓଡ଼ିଆ ଭଳି ଲୋକପ୍ରିୟ ଓଡ଼ିଆ ଟିଭି ଚ୍ୟାନେଲରେ ତାଙ୍କର ନୃତ୍ୟ ଦେଖିବାକୁ ମିଳିଛି।

Comment