ଓଡ଼ିଶାଲାଇଭ୍‌ ବ୍ୟୁରୋ

ବହୁଚର୍ଚ୍ଚିତ ଡେରା ସଚ୍‌ ସୌଦା ବାବା ଗୁରମିତ୍‍ ସିଂ ଓରଫ୍‌ ରାମ ରହିମଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ନିଜକୁ ‘ଭଗବାନଙ୍କ ପ୍ରତିନିଧି’ ବୋଲି ବର୍ଣ୍ଣନା କରୁଥିବା ଏହି ପ୍ରଭାବଶାଳୀ ଆଧୁନିକ ବାବାଙ୍କ ନାଁରେ ଥିବା ଦୁଷ୍କର୍ମ ଓ ହତ୍ୟା ଭଳି ଜଘନ୍ୟ ଅପରାଧ ପ୍ରମାଣିତ ହୋ‍ଇଛି। ଆସନ୍ତୁ ଜାଣିବା କେମିତି ତିଆରି ହେଲା ଏହି ଗଡ୍‌ ମ୍ୟାନ୍‌ଙ୍କ ସାମ୍ରାଜ୍ୟ।

‘କୋଇ ହମେ ସନ୍ଥ କେହତା ହେ, କୋଇ କେହତା ହେ ଫରିସ୍ତା

କୋଇ କେହତା ହେ ଗୁରୁ, ତୋ କୋଇ କେହତା ହେ ଭଗବାନ

ଲେକିନ୍ ହମ୍ ତୋ ହେ ସିର୍ଫ ଏକ ଇନସାନ।’

ଯେତେବେଳେ ଫିଲ୍ମ ଅନ୍ଦାଜରେ ଏହି ଡାଇଲଗକୁ ଦୋହରାଇଛନ୍ତି ବାବା ରାମ ରହିମ, ଗଦ୍ ଗଦ୍ ହୋଇ ଉଠନ୍ତି ଲକ୍ଷ ଲକ୍ଷ ଭକ୍ତ। ତାଙ୍କର ଚଳଚ୍ଚିତ୍ର ‘ମେସେଞ୍ଜର ଅଫ୍ ଗଡ୍ ବା ଏମଏସଜି’ରେ ବି ରହିଥିଲା ଏହି ଡାଇଲଗ୍। ଫିଲ୍ମରେ ଯେଉଁଭଳି ବେଶ ପୋଷାକରେ ଆକ୍ସନ ହିରୋ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ, ତାହା ସ୍ପଷ୍ଟ କରୁଥିଲା ବାବାଙ୍କ ସୌଖିନ ମିଜାଜ୍ ସଂପର୍କରେ।

ମୋଟ ୬ଟି ଫିଲ୍ମ ନିର୍ମାଣ କରିବା ସହ ନିର୍ଦ୍ଦେଶନା ଦେଇଛନ୍ତି ସେ। ଏଥିରେ ସଂଗୀତ ବି ତାଙ୍କର, ଡାଇଲଗ୍ ବି ତାଙ୍କର, ଆଉ ମୁଖ୍ୟ ଭୁମିକାରେ ଅଭିନୟ ମଧ୍ୟ ସେ କରିଛନ୍ତି।

ବାବା ରାମ ରହିମ ସିଂହ ଇନସାନ୍। ‘ଏମଏସଜି’ – ମେସେଞ୍ଜର ଅଫ୍ ଗଡ୍ ବା ଭଗବାନଙ୍କ ଦୂତ ଭାବେ ନିଜକୁ ଉପସ୍ଥାପନ କରନ୍ତି ରାମ ରହିମ। ପଞ୍ଜାବ ଓ ହରିୟାଣା ରାଜ୍ୟର ପାଖାପାଖି ୧୫ଟି ଜିଲ୍ଲାରେ ରହିଛନ୍ତି ତାଙ୍କର ଲକ୍ଷ ଲକ୍ଷ ଅନୁଗାମୀ। ଦେଶ ବିଦେଶରେ ଏହି ଆତ୍ମଘୋଷିତ ଭଗବାନଙ୍କର ରହିଛନ୍ତି ୬ କୋଟିରୁ ଅଧିକ ଅନୁଗାମୀ।

ଦେଶ ସ୍ୱାଧୀନତା ପାଇବାର ଗୋଟିଏ ବର୍ଷ ପରେ ଅର୍ଥାତ୍‌ ୧୯୪୮ ମସିହାରେ ସ୍ଥାପନ ହୋଇଥିଲା ଡେରା ସଚ୍ଚା ସୌଦା। ବେଲୁଚିସ୍ତାନର ଜଣେ ସନ୍ଥ ଶାହ ମସ୍ତାନା ବେଲୁଚିସ୍ତାନିଜୀ ସ୍ଥାପନା କରିଥିଲେ ଏହି ଅନୁଷ୍ଠାନ।

ଆଶ୍ରମର ମୁଖ୍ୟାଳୟ ସ୍ଥାପନ ହୋଇଥିଲା ହରିୟାଣାର ସିରସା ଜିଲ୍ଲାରେ।  ଶାହ ମସ୍ତାନାଙ୍କ ପରେ ଶାହ ସତନାମ୍ ସିଂହଜୀଙ୍କୁ ଡେରା ସଚ୍ଚା ସୌଦାର ମୁଖ୍ୟ ଭାବେ ଘୋଷଣା କରାଯାଇଥିଲା। ଏହି ଅନୁଷ୍ଠାନର ତୃତୀୟ ମୁଖ୍ୟ ହେଲେ ଗୁରମିତ ରାମ ରହିମ ସିଂହ।

ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲାର ଏକ ଜମିଦାର ପରିବାରର ଜାଟ୍ ଶିଖ ଦମ୍ପତି ମଗହର ସିଂହ ଏବଂ ନସୀବ କୌରଙ୍କ ଏକମାତ୍ର ସନ୍ତାନ ହେଉଛନ୍ତି ଗୁରମିତ୍ ରାମ ରହିମ ସିଂହ। ଏହି ପରିବାର ଥିଲେ ଡେରା ସଚ୍ଚା ସୌଦାର ଅନୁଗାମୀ। ପିଲାବେଳୁ ଶାହ ସତନାମ ସିଂହଙ୍କ ଅତି ପ୍ରିୟ ଥିଲେ ରାମ ରହିମ।

୧୯୯୦ ମସିହାରେ ସତସଂଘ ଡାକି ରାମ ରହିମଙ୍କୁ ତାଙ୍କ ଉତ୍ତରାଧିକାରୀ ଘୋଷଣା କଲେ ଡେରା ସଚ୍ଚା ସୌଦାର ତତ୍କାଳୀନ ମୁଖ୍ୟ ଶାହ ସତନାମ ସିଂହ। ୧୯୯୧ରେ ମାତ୍ର ୨୪ ବର୍ଷ ବୟସରେ ଗୁରମିତ ରାମ ରହିମ ହେଲେ ଏହି ସଂସ୍ଥାର ମୁଖ୍ୟ।

ଡେରା ମୁଖ୍ୟ ରାମ ରହିମ ବିବାହିତ। ତାଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ। ଦୁଇ ଝିଅ ବିବାହ କରିଛନ୍ତି। ଆଉ ଜଣେ ଝିଅକୁ ପାଳିତ ଝିଅ ଭାବେ ସେ ଗ୍ରହଣ କରିଛନ୍ତି।

ହରିୟାଣାର ସିରସା ଜିଲ୍ଲାରେ ଡେରା ସଚ୍ଚା ସୌଦାର ଆଶ୍ରମ ୬୯ ବର୍ଷ ଧରି ଚାଲିଛି। ଏହି ଅନୁଷ୍ଠାନର ଶାଖା ଦେଶର ବିଭିନ୍ନ ସ୍ଥାନରେ ରହିଛି। ଆମେରିକା, କାନାଡା, ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ସ ଆଦି ଦେଶରେ ମଧ୍ୟ ରହିଛି ତାଙ୍କର ଆଶ୍ରମ। ତାଙ୍କର ୬ କୋଟି ଅନୁଗାମୀଙ୍କ ମଧ୍ୟରୁ କେବଳ ହରିୟାଣାରେ ରହିଛନ୍ତି ୩୦ ଲକ୍ଷରୁ ଅଧିକ ଭକ୍ତ। ଡେରାର ଅନୁଗାମୀ  ରାମ ରହିମଙ୍କୁ ତାଙ୍କର ପିତା ଭାବିଥା’ନ୍ତି।

ବାବା ରାମ ରହିମ ଓ ଡେରା ସଚ୍ଚା ସୌଦା ଅନୁଷ୍ଠାନର ରହିଛି କୋଟି କୋଟି ଟଙ୍କାର ଅଚଳାଚଳ ସମ୍ପତ୍ତି। କେବଳ ହରିୟାଣାରେ ରହିଛି ପାଖାପାଖି ଏକ ହଜାର ଏକର ଚାଷ ଜମି। ଗ୍ୟାସ ଏଜେନ୍ସୀ ଏବଂ ମାର୍କେଟ୍ କଂପ୍ଲେକ୍ସ ମଧ୍ୟ ରହିଛି ରାମ ରହିମଙ୍କର।

ରାଜସ୍ଥାନର ଗଙ୍ଗାନଗରରେ ରହିଛି ୧୭୫ ଶଯ୍ୟାବିଶିଷ୍ଟ ସୁପର ସ୍ପେଶାଲିଟି ହସପିଟାଲ। ଏକ ଟ୍ରଷ୍ଟ ଜରିଆରେ ବାବାଙ୍କର ସବୁ ସଂପତ୍ତି ପରିଚାଳନା କରାଯାଏ। ଏହି ଟ୍ରଷ୍ଟର ମୁଖ୍ୟ ନିଜେ ରାମ ରହିମ। ପ୍ରାକୃତିକ ତଥା ସ୍ୱଦେଶୀ ସାମଗ୍ରୀ ବିକ୍ରି କରିଥାଏ ଏହି ଟ୍ରଷ୍ଟ। ରାମ ରହିମଙ୍କର ପୁଅ, ଝିଅ ଏହିସବୁ ଅନୁଷ୍ଠାନକୁ ପରିଚାଳନା କରିଥା’ନ୍ତି।

ସୌଖିନ ଜୀବନଯାପନ କରନ୍ତି ବାବା ରାମ ରହିମ। ଦାମୀ ବାଇକ, ଦାମୀ କାର ପ୍ରତି ଦୁର୍ବଳତା ରହିଛି ତାଙ୍କର। ରକ୍-ଷ୍ଟାର ଭଳି ତାଙ୍କ ଜୀବନଶୈଳୀ। ଫିଲ୍ମରେ ଅଭିନୟ, ସଂଗୀତଠାରୁ  ଆରମ୍ଭ କରି ଖେଳକୁଦ ପ୍ରତି ତାଙ୍କର ରୁଚି ରହିଛି।

ଗତ ୨୫ ବର୍ଷ ମଧ୍ୟରେ ରାମ ରହିମ ଛିଡ଼ା କରିଛନ୍ତି ଡେରା ସଚ୍ଚା ସୌଦାର ବିଶାଳ ସାମ୍ରାଜ୍ୟ। ଏବେ ପ୍ରଶ୍ନ ଉଠୁଛି, ଦେଶର ବ୍ୟବସ୍ଥା ପାଇଁ ଚ୍ୟାଲେଞ୍ଜ କରିପାରିବା ଭଳି କ୍ଷମତା ତାଙ୍କର ହେଲା କିପରି? ଏଭଳି ରଂଗୀନ ମିଜାଜର ଜଣେ ତଥାକଥିତ ବାବାଙ୍କ କୋଟି ​‌କୋଟି ଅନୁଗାମୀ ହେଲେ କିପରି?

ବିଶେଷ କରି ହରିୟାଣା, ପଞ୍ଜାବ ଓ ରାଜସ୍ଥାନର ଦଳିତ ସଂପ୍ରଦାୟର ଲୋକ ଅଧିକ ଆକର୍ଷିତ ହୋଇଛନ୍ତି ରାମ ରହିମଙ୍କ ପ୍ରତି। କାରଣ ହେଉଛି ରାମ ରହିମଙ୍କ ଜାତି ଶ୍ରେଣୀହୀନ ସମାଜ ପାଇଁ ଆହ୍ୱାନ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଡେରା ସମାଜରେ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖାଯାଇଥାଏ। ମାନବ ଧର୍ମର କଥା କୁହାଯାଇଥାଏ। ମାନବସେବାକୁ ଗୁରୁତ୍ଵ, ରକ୍ତଦାନ, ଅଙ୍ଗଦାନ ଆଦି ସାମାଜିକ କାର୍ଯ୍ୟକୁ ଗୁରତ୍ଵ ଦିଆଯାଇଥାଏ।

ଏହାଛଡ଼ା ଫ୍ରି’ ଓ ରିହାତି ରାସନ୍, ଫ୍ରି’ ମେଡିସିନ୍, ମାଗଣା ସ୍ୱାସ୍ଥ୍ୟସେବା ଯୋଗୁଁ ଅନେକ ଲୋକ ରାମ ରହିମଙ୍କ ପ୍ରତି ଆକର୍ଷିତ ହୋଇଥା’ନ୍ତି। ବାବା ରାମ ରହିମଙ୍କ ଅପରାଧିକ କାର୍ଯ୍ୟକୁ ଆଦୌ ଗ୍ରହଣ କରନ୍ତି ନାହିଁ ତାଙ୍କ ଭକ୍ତ। ଏହା ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ବୋଲି କହିଥାନ୍ତି।

ଡେରା ସଚ୍ଚା ସୌଦା ଆଶ୍ରମରେ ସବୁବେଳେ ପଞ୍ଜାବ ଓ ହରିୟାଣାର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ବରିଷ୍ଠ ନେତାଙ୍କୁ ଦେଖିବାକୁ ମିଳେ। ବାବାଙ୍କ ପଛରେ ବଡ଼ ରାଜନୈତିକ ପ୍ରୋତ୍ସାହନ ଥିବା ଦେଖିବାକୁ ମିଳେ। ଯେହେତୁ ବାବାଙ୍କର ଅନୁଗାମୀ ସଂଖ୍ୟା ବହୁ ଅଧିକ, ଏହାର ଫାଇଦା ନେବା ପାଇଁ ପ୍ରାୟ ସବୁ ଦଳର ବରିଷ୍ଠ ନେତା ତାଙ୍କ ନିକଟକୁ ଯାଇଥା’ନ୍ତି। ଏହା ତାଙ୍କର ପ୍ରଭାବକୁ ବହୁଗୁଣିତ କରିଥିବା କୁହାଯାଏ। କୌଣସି ଶକ୍ତି ତାଙ୍କର କିଛି କରିପାରିବ ନାହିଁ, ଏପରି ପ୍ରତ୍ୟୟ ରହିଛି ତାଙ୍କ ଅନୁଗାମୀଙ୍କ ମଧ୍ୟରେ।

ଡେରା ମୁଖ୍ୟ ରାମ ରହିମଙ୍କୁ ଦିଆଯାଇଛି ଜେଡ୍ କାଟାଗୋରୀ ସୁରକ୍ଷା। ଏହାଛଡ଼ା ରହିଛି ତାଙ୍କର ବ୍ୟକ୍ତିଗତ ସୁରକ୍ଷାବାହିନୀ। ବାବାଙ୍କ ପାଇଁ ସବୁବେଳେ ଜୀବନ ଦେବାକୁ, ଜୀବନ ନେବାକୁ ପ୍ରସ୍ତୁତ ରହିଥା’ନ୍ତି ଲକ୍ଷ ଲକ୍ଷ ଅନୁଗାମୀ। ତାଙ୍କ ଚାରିପାଖରେ ଏତେ ସୁରକ୍ଷାକର୍ମୀ ରହିଥା’ନ୍ତି ଯେ ପୂର୍ବରୁ ଅନୁମତି ନନେଇ କେହି ତାଙ୍କୁ ଭେଟି ପାରିବା ସମ୍ଭବ ନୁହେଁ।

ରାଜନୈତିକ ପ୍ରୋତ୍ସାହନ ସହ କୋଟି କୋଟି ଅନୁଗାମୀ, କୋଟି କୋଟି ଟଙ୍କାର ସଂପତ୍ତି ଅପ୍ରତିଦ୍ୱନ୍ଦ୍ୱୀ କରିଦେଇଛି ବାବା ରାମ ରହିମଙ୍କୁ।

Tags: Bhubaneswar News, Breaking News, CBI, Dera Sacha Sauda, Gurmeet Ram Rahim, Gurmeet Ram Rahim Singh, Latest News, Odisha Breaking News, Odisha News, Odisha Stories, Odisha Top Stories, Punjab, Ram Rahim, Rape Case, Top Stories

LEAVE A REPLY

Please enter your comment!
Please enter your name here