ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାବାଙ୍କ ନାଁରେ ଦୁଷ୍କର୍ମ ଓ ହତ୍ୟା ପରି ଏକାଧିକ ସଂଗୀନ ଅଭିଯୋଗ। ଜାଣିବା ସେହି ଅପରାଧର କାହାଣୀ…

୧୫ ବର୍ଷ ତଳର ଏକ ବେନାମୀ ଚିଠି, ଯାହା ପୂରା ବ୍ୟବସ୍ଥା ପ୍ରତି ଥିଲା ଏକ ଶକ୍ତ ଚ୍ୟାଲେଞ୍ଜ। ଏହି ଚିଠି କରିଥିଲା, ସାଧୁ ବୋଲାଉଥିବା ବାବା ରାମ-ରହିମଙ୍କ କେଳେଙ୍କାରୀର ପର୍ଦ୍ଦାଫାସ୍‌। ଆଉ ଏହା ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ବିରୋଧରେ ଜଣେ ନିରୀହ ମହିଳାଙ୍କ ଲଢ଼େଇ ନୁହେଁ, ଏହା ହେଉଛି ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ଆହ୍ୱାନ।

୨୦୦୨ ମସିହା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପାୟୀ ଏବଂ ପଞ୍ଜାବ-ହରିୟାଣା ହାଇକୋର୍ଟର ବିଚାରପତିଙ୍କ ନିକଟକୁ ଆସିଲା ଜଣେ ଅଜ୍ଞାତ ମହିଳାଙ୍କ ବେନାମୀ ଚିଠି। ଏହି ଚିଠିକୁ ନେଇ ସାରା ଦେଶରେ ଜୋରଦାର ଆଲୋଚନା ହେଲା। ଏହି ଚିଠିରେ ମହିଳାଜଣକ ସାଂଘାତିକ ଅଭିଯୋଗ ଆଣିଥିଲେ। ଡେରା ସଚ୍ ସୌଦା ସଂଗଠନର ମୁଖ୍ୟ ଗୁରମିତ୍ ରାମ ରହିମ୍ ସିଂହଙ୍କ ବିରୋଧରେ ଥିଲା ସଂଗୀନ ଅଭିଯୋଗ।

ଅଭିଯୋଗକାରିଣୀ ମହିଳା ଥିଲେ ଡେରାର ଜଣେ ସାଧ୍ୱୀ। ସେ ଅଭିଯୋଗ କରିଥିଲେ, ବାବା ରାମ-ରହିମ୍ ତାଙ୍କ ଆଶ୍ରମରେ ତାଙ୍କୁ ବଳାତ୍କାର କରିଥିଲେ। କେବଳ ସେ ନୁହେଁ, ଅନେକ ମହିଳା ସାଧ୍ୱୀଙ୍କୁ ବଳାତ୍କାର କରି ବାବା ତାଙ୍କ ଯୌନ ପିପାସା ମେଣ୍ଟାଉଥିଲେ। ସିରସା ଆଶ୍ରମରେ ଥିବା ବାବା ରାମ ରହିମଙ୍କ ବ୍ୟକ୍ତିଗତ ପ୍ରକୋଷ୍ଠରେ ଧର୍ମ ଆଳରେ ଚାଲିଥିଲା ଏହି ଜଘନ୍ୟ କେଳେଙ୍କାରୀ। ସରକାର ଓ ପ୍ରଶାସନରେ ଅଖଣ୍ଡ ପ୍ରଭାବ ରହିଥିବାରୁ ତାଙ୍କ ବିରୋଧରେ ଅଭିଯୋଗ କରିବାକୁ କେହି ସାହାସ ଜୁଟାଇ ପାରୁନାହାନ୍ତି।

ସେପ୍ଟେମ୍ବର ୨୦୦୨। ​‌ଏହି ମାମଲାର ସିବିଆଇ ତଦନ୍ତ ପାଇଁ ପଞ୍ଜାବ-ହରିୟାଣା ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ଡେରା ମୁଖ୍ୟ ରାମ-ରହିମଙ୍କ ବିରୋଧରେ ମାମଲା ରୁଜୁ କଲା ସିବିଆଇ।

୩୦ ଜୁଲାଇ, ୨୦୦୭। ୫ ବର୍ଷର ଛାନଭିନ୍‌ କରିବା ବେଳେ ସିବିଆଇ ନିକଟରେ ଆଉ ଦୁଇ‍ଜଣ ମହିଳା ମଧ୍ୟ ବଳାତ୍କାର ଅଭିଯୋଗ ଆଣିଥିଲେ। ହେଲେ ଜଣେ ମହିଳା କହିଥିଲେ, ତାଙ୍କ ସହ ଯୌନାଚାର କରି ବାବା ତାଙ୍କୁ ପାପତାପରୁ ରକ୍ଷା କରିଛନ୍ତି। ସିବିଆଇ ଏ ନେଇ ରିପୋର୍ଟ ଦେବା ପରେ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଆରମ୍ଭ ହେଲା ଶୁଣାଣି। ପାଖାପାଖି ୬ ବର୍ଷ ଶୁଣାଣି ପରେ ୨୦୧୩ରେ ପୀଡ଼ିତା ପକ୍ଷରୁ ସାକ୍ଷୀ ଓ ପ୍ରମାଣ ଦିଆଗଲା।

ଏହାପରେ ବାବା ରାମ-ରହିମ ନିଜ ପକ୍ଷ ରଖିଥା’ନ୍ତେ। ହେଲେ ବାବାଙ୍କ ପକ୍ଷରୁ ଏପରି ଆଇନଗତ ବାହାନା କରାଗଲା, ଶୁଣାଣି ଧିମା ପଡ଼ିଗଲା ଓ ଝୁଲିକି ରହିଲା ମାମଲା।

ସିବିଆଇ କୋର୍ଟରେ ଉପସ୍ଥାପିତ ହୋଇଥିବା ସାକ୍ଷୀ ଓ ପ୍ରମାଣ ବିରୋଧରେ ହାଇକୋର୍ଟରେ ଚ୍ୟାଲେଞ୍ଜ କଲେ ବାବା ରାମ-ରହିମ୍। ମାତ୍ର ସେଗୁଡିକ କ୍ରମେ କାଟ ଖାଇଲା। ବାରମ୍ବାର ରିଭ୍ୟୁ ପିଟିସନ କରାଯିବାରୁ ହାଇକୋର୍ଟ କ୍ଷୋଭ ପ୍ରକାଶ କଲେ ଏବଂ ଶୀଘ୍ର ଏହି ମାମଲାର ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଲେ। ଏହା ପରେ ବି ରାମ ରହିମଙ୍କ ପକ୍ଷରୁ କେସକୁ ଝୁଲାଇ ରଖିବା ପାଇଁ ପ୍ରୟାସ କରାଗଲା।

ପ୍ରମାଣକୁ ଯାଞ୍ଚ କରିବା ପାଇଁ କୋର୍ଟ ନିକଟରେ ବାରମ୍ବାର ଅନୁରୋଧ କରାଯାଉଥିଲା, ଯାହାକୁ ହାଇକୋର୍ଟ ନାପସନ୍ଦ କରିବା ସହ ଶୀଘ୍ର ରାୟ ଶୁଣାଇବାକୁ ସିବିଆଇ କୋର୍ଟକୁ ନିର୍ଦ୍ଦେଶ ଦେଲେ।

କେବଳ ସାଧ୍ୱୀଙ୍କ ଯୌନ ଶୋଷଣ ନୁହେଁ, ଡେରା ମୁଖ୍ୟ ରାମ-ରହିମଙ୍କ ନାଁ ଆହୁରି ମଧ୍ୟ ସଂଗୀନ ଅଭିଯୋଗ ରହିଛି। ସିରସା, ଯେଉଁଠି ଡେରା ମୁଖ୍ୟାଳୟ ରହିଛି, ସେଠାକାର ଜଣେ ସାମ୍ବାଦିକଙ୍କୁ ମଧ୍ୟ ହତ୍ୟା କରିଥିବା ଅଭିଯୋଗ ତାଙ୍କ ଉପରେ ରହିଛି।

ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କୁ ହତ୍ୟା କରାଯିବା ପଛରେ ସାଧ୍ୱୀ ବଳାତ୍କାର ମାମଲା ଥିବା କୁହାଯାଏ। କାରଣ ରାମଚନ୍ଦ୍ର ଛତ୍ରପତି ଖବରକାଗଜରେ ବାବାଙ୍କ କଳା କାରନାମାର ପୂରା କାହାଣୀ ପ୍ରକାଶ କରିଥିଲେ। ଏହାପରେ ତାଙ୍କୁ ଡେରା ଅନୁଗାମୀ ବାରମ୍ବାର ହତ୍ୟା ଧମକ ଦେଉଥିଲେ।

୨୪ ଅକ୍ଟୋବର ୨୦୦୨। ଡେରାର ଗୁଣ୍ଡାମାନେ ତାଙ୍କ ଉପରକୁ ଗୁଳି ଚଳାଇଲେ। ୨୮ ଦିନ ପର୍ଯ୍ୟନ୍ତ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଥିଲା। ଏହି ମାମଲା ମଧ୍ୟ ପଂଚକୁଳାର ସିବିଆଇ କୋର୍ଟରେ ଚାଲିଥିଲା।

ଏହାଛଡ଼ା ବାବା ରାମ-ରହିମଙ୍କ ବିରୋଧରେ ତାଙ୍କର ଜଣେ ପ୍ରମୁଖ ସହଯୋଗୀ ରଂଜିତ ସିଂହଙ୍କୁ ହତ୍ୟା କରିଥିବା ଅଭିଯୋଗ ରହିଛି। କାରଣ ସେ ବି ରାମ ରହିମଙ୍କ ଅନେକ କଳା କାରନାମା ସଂପର୍କରେ ଜାଣି ଯାଇଥିଲେ।

ଆଜି ଦେଶ ଓ ଦେଶ ବାହାରେ କୋଟି କୋଟି ଡେରା ସଚ୍ଚା ସୌଦାର ଅନୁଗାମୀ ରହିଛନ୍ତି। ହେଲେ ଏହାର ମୁଖ୍ୟ ରାମ-ରହିମଙ୍କ ବିରୋଧରେ ରହିଛି ବହୁ ସଂଗୀନ ଅଭିଯୋଗ।

୨୦୧୨ ମସିହାରେ ଡେରାର ଜଣେ ସାଧୁ ଅଭିଯୋଗ କରିଥିଲେ ରାମ-ରହିମ ତାଙ୍କୁ ନଂପୁସକ କରିଦେଇଛନ୍ତି। ଏହି ମାମଲାରେ ହାଇକୋର୍ଟରେ ପିଟିସନ ଦାଖଲ କରାଯାଇଥିଲା। ଏଥିରେ ଅଭିଯୋଗ ହୋଇଥିଲା, ଅନେକ ସାଧୁଙ୍କୁ ନଂପୁସକ କରି ଇଶ୍ୱରଙ୍କ ଦର୍ଶନ କରାଇବାର ସ୍ୱପ୍ନ ଦେଖାଉଥିଲେ ରାମ-ରହିମ। ପାଖାପାଖି ୪୦୦ ସାଧୁଙ୍କୁ ଅପରେସନ କରି ନଂପୁସକ କରାଯାଇଥିବା ଅଭିଯୋଗ ହାଇକୋର୍ଟରେ ବିଚାରାଧିନ ରହିଛି।

୨୦୦୭ରେ ଆଉ ଏକ ବିବାଦରେ ଛନ୍ଦି ହୋଇପଡ଼ିଥିଲେ ରାମ-ରହିମ। ରାମ-ରହିମ, ଶିଖ୍ ସଂପ୍ରଦାୟର ଦଶମ ଗୁରୁ ଗୋବିନ୍ଦ ସିଂହଙ୍କ ପରିଧାନ ପିନ୍ଧିଥିବା ଦେଖାଯାଇଥିଲା। ଏହାକୁ ନେଇ ପଞ୍ଜାବରେ ​‌ଜେରଦାର ହଙ୍ଗାମା ହୋଇଥିଲା।

ଏହିପରି ଅନେକ ବିବାଦ ରହିଛି ଏହି ତଥାକଥିତ ଧର୍ମଗୁରୁ ତଥା ନିଜକୁ ଭଗବାନଙ୍କ ଦୂତ କହୁଥିବା ରାମ-ରହିମଙ୍କ ନାଁରେ।

Tags: Gurmeet Ram Rahim, Ram Rahim, Bhubaneswar News, Breaking News, CBI, Dera Sacha Sauda, Gurmeet Ram Rahim Singh, Latest News, Odisha Breaking News, Odisha News, Odisha Stories, Odisha Top Stories, Punjab, Rape Case, Top Stories

Comment