ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯୌନ ନିର୍ଯାତନା ମାମଲାରେ ଡେରା ସଚ୍ଚା ସୌଦାର ମୁଖ୍ୟ ବାବା ରାମ ରହିମ ଦୋଷୀ ସାବ୍ୟସ୍ତ ହୋ‍ଇଛନ୍ତି। ଦୀର୍ଘ ୧୫ ବର୍ଷ ପରେ ତାଙ୍କ ବିରୁଦ୍ଧରେ ଆସିଥିବା ଯୌନ ନିର୍ଯାତନା ମାମଲାର ରାୟ ଆଜି ପ୍ରକାଶ ପାଇଛି। ପଞ୍ଚକୁଳାର ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ରାୟ ଶୁଣାଇଛନ୍ତି। ଆସନ୍ତା ୨୮ ତାରିଖରେ ଦଣ୍ଡର ପରିମାଣ ଶୁଣାଇବେ ସିବିଆଇ କୋର୍ଟ।

ରାୟ ପ୍ରକାଶ ପାଇବା ପରେ ପରେ ପୋଲିସ ରାମ ରହିମଙ୍କୁ ଗିରଫ କରିଛି। ପଞ୍ଚକୁଳା କୋର୍ଟରୁ ସିଧାସଳଖ ଅମ୍ବାଲା କେନ୍ଦ୍ରୀୟ ଜେଲକୁ ବାବାଙ୍କୁ ନିଆଯାଇଛି। କୋର୍ଟ ରାୟ ପ୍ରକାଶ ପାଇବା ପରେ ବାବା ବେହୋସ ହୋ‍ଇଯାଇଥିଲେ। ରାୟ ପ୍ରକାଶ ପାଇବା ପରେ ବାବାଙ୍କ ସମର୍ଥକମାନେ ହିଂସ୍ର ହୋ‍ଇଉଠିଛନ୍ତି। ପଞ୍ଚକୁଳା ଓ ଆଖପାଖ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଲାଗିରହିଛି। ଅନେକ ସ୍ଥାନରେ ବାବାଙ୍କ ସମର୍ଥକମାନେ ପୋଡ଼ାଜଳା ଆରମ୍ଭ କରିଦେଇଛନ୍ତି।

ରାମ ରହିମଙ୍କ ଗିରଫ ପରେ ପଞ୍ଜାବ ଓ ହରିଆଣାରେ ପରିସ୍ଥିତି ଆୟତ୍ତ ବାହାରକୁ ଚାଲିଯାଇଛି। ତାଙ୍କ ସମର୍ଥକମାନେ ପଞ୍ଜାବର ୨ଟି ରେଳ ଷ୍ଟେସନ ପୋଡ଼ିବା ସହ ଅନେକ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। ବିଭିନ୍ନ ସ୍ଥାନରେ ସମର୍ଥକମାନେ ପଥର ମାଡ଼ କରିଛନ୍ତି। ବଢୁଥିବା ହିଂସାକୁ ଲକ୍ଷ୍ୟ କରି ଫିରୋଜପୁର ଓ ଭତିଣ୍ଡା ଆଦି ଜିଲ୍ଲାରେ କର୍ଫ୍ୟୁ ଲଗାଯାଇଛି।

ଦିଲ୍ଲୀର ବିଭିନ୍ନ ସ୍ଥାନ ଓ ଗାଦିଆବାଦରେ ବି ବାବାଙ୍କ ସମର୍ଥକମାନେ ହିଂସା ଚଳାଇଛନ୍ତି। କିଛି ସମର୍ଥକ ଦିଲ୍ଲୀରେ ବସ୍‌ ଆଗରେ ପଡ଼ି ଆତ୍ମହତ୍ୟା କରିଛନ୍ତି।

ପରିସ୍ଥିତିକୁ ଦେଖି କେନ୍ଦ୍ର ଗୃହମନ୍ତ୍ରୀ ହରିଆଣାର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କ ସହିତ କଥାବାର୍ତ୍ତା କରିଛନ୍ତି। ଯେଉଁମାନେ ହିଂସାରେ ଲିପ୍ତ ରହୁଛନ୍ତି, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି।

ରାୟ ପ୍ରକାଶ ପାଇବା ପରେ ହିଂସାରେ ୩୧ ଜଣ ପ୍ରାଣ ହରାଇ ଥିଲାବେଳେ ଶହ ଶହ ଲୋକ ଆହତ ହୋ‍ଇଛନ୍ତି।

ଦିଲ୍ଲୀ ଓ ଗୁରୁଗ୍ରାମରେ ହାଇ ଆଲର୍ଟ ଜାରି କରାଯାଇଛି।

Tags: Bhubaneswar News, Breaking News, CBI, Dera Sacha Sauda, Gurmeet Ram Rahim, Gurmeet Ram Rahim Singh, Latest News, Odisha Breaking News, Odisha News, Odisha Stories, Odisha Top Stories, Punjab, Ram Rahim, Rape Case, Top Stories

Comment