ପ୍ରାଚୀତାରା

ବକ୍ସି ଜଗବନ୍ଧୁଙ୍କ ଉପରେ ସିନେମା ‘ବକ୍ସି ଜଗବନ୍ଧୁ’, ‘ଦ ଫରଗଟନ୍ ଲେଜେଣ୍ଡ’ ଅଗଷ୍ଟ ମାସ ୧୫ ତାରିଖ ୨୦୧୭ରେ ପରଦା ଉପରକୁ ଆସିବାର ଥିଲା। କିନ୍ତୁ ଏହି ଐତିହାସିକ ବୀରତ୍ୱର ଗାଥାକୁ ପରଦା ଉପରେ ଆଣିବାର ପ୍ରତିଶ୍ରୁତି ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ।

ଦୁବାଇସ୍ଥିତ ଓଡ଼ିଆ ସିନେନିର୍ମାତା ତଥା ବ୍ୟବସାୟୀ ଅକ୍ଷୟ ପରିଜା ଓଡ଼ିଆ ସିନେଇଣ୍ଡଷ୍ଟ୍ରିକୁ ଅନେକ ହିଟ୍ ସିନେମା ଉପହାର ଦେଇଛନ୍ତି। ସେ ବରିଷ୍ଠ ଅଭିନେତା, ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦଙ୍କ ‘ଜୀଅନ୍ତା ଭୂତ’ ସିନେମାରୁ, ସିନେମା ପ୍ରଯୋଜନାର ଯାତ୍ରା ଆରମ୍ଭ କରିଥିଲେ। ଏହି ସିନେମାକୁ ୨୦୦୮ ମସିହାରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। ଏହାବ୍ୟତୀତ ପରିଜାଙ୍କର ସିନେମା ‘ଥୁକୁଲ୍‌’, ‘କେହି ନୁହେଁ କାହାର’, ‘ଅଗସ୍ତ୍ୟ’, ‘ବାଏ ବାଏ ଦୁବାଇ’ ମଧ୍ୟ ଓଡ଼ିଆ ଦର୍ଶକଙ୍କୁ ଭରପୁର୍ ମନୋରଞ୍ଜନ ପ୍ରଦାନ କରିଥିଲା।

ଓଡ଼ିଶାର ରୁଦ୍ଧିମନ୍ତ ଇତିହାସକୁ ବିଶ୍ୱ ଦରବାରରେ ପ୍ରଦର୍ଶନ କରିବା ଆଭିମୁଖ୍ୟ ନେଇ ବ୍ରିଟିଶ୍ ସରକାରଙ୍କ ବିରୋଧରେ ଓଡ଼ିଶାରେ ହୋଇଥିବା ପ୍ରଥମ ସଂଗ୍ରାମ ‘ପାଇକ ବିଦ୍ରୋହ’ର ନେତା ବକ୍ସି ଜଗବନ୍ଧୁଙ୍କ ଉପରେ ସିନେମା କରିବା ପାଇଁ ଶ୍ରୀ ପରିଜା ସ୍ଥିର କରିଥିଲେ। ସିନେମାର ଶୀର୍ଷକ ରଖାଯାଇଥିଲା ‘ବକ୍ସି ଜଗବନ୍ଧୁ’, ‘ଦ ଫରଗଟନ୍ ଲେଜେଣ୍ଡ’।

ଗତ ୨୦୧୬ ମସିହା ଫେବୃଆରୀ ମାସରେ ଏହି ଐତିହାସିକ ବୀରତ୍ୱର ଗାଥାକୁ ପରଦା ଉପରେ ଆଣିବାର ପ୍ରତିଶ୍ରୁତି ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ। ପୂର୍ବ-ନିର୍ଦ୍ଧାରିତ ସମୟ ଅନୁଯାୟୀ ଏହି ସିନେମା ଅଗଷ୍ଟ ମାସ ୧୫ ତାରିଖ ୨୦୧୭ରେ ପରଦା ଉପରକୁ ଆସିବାର ଥିଲା।

ଓଡ଼ିଆସିନେମା ଜଗତର ସୁପରଷ୍ଟାର ଅନୁଭବ ମହାନ୍ତି ‘ବକ୍ସି ଜଗବନ୍ଧୁ’ ଭୂମିକାରେ ଅଭିନୟ କରିବେ ତଥା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ନିର୍ଦ୍ଦେଶକ ମନମୋହନ ମହାପାତ୍ର ଏହାର ନିର୍ଦ୍ଦେଶନାର ଦାୟିତ୍ୱ ବହନ କରିଛନ୍ତି।

କେବଳ ସେତିକି ନୁହେଁ, ଏହି ସିନେମାକୁ ବିଶ୍ୱଦରବାର ପ୍ରଦର୍ଶିତ କରିବା ପାଇଁ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଟେକ୍ନିସିଆନମାନଙ୍କଠାରୁ ସ୍ୱୀକୃତି ମଧ୍ୟ ନିଆଯାଇଛି। ସେମାନେ ହେଉଛନ୍ତି-ପ୍ରସିଦ୍ଧ ବଲିଉଡ୍ ସିନେମା ‘ସ୍ଲମ ଡଗ୍ ମିଲେନିୟାର’ ପାଇଁ ଅସ୍‌କାର ସମ୍ମାନ ପାଇଥିବା ସାଉଣ୍ଡ ଡିଜାଇନର ରେଶୁଲ ପୁକୁଟ୍ଟି, ଜାତୀୟ ପୁରସ୍କାରପ୍ରାପ୍ତ ସଙ୍ଗୀତ ସଂଯୋଜକ ଆଇଜାକ୍ ଥୋମାସ୍ କୋଟ୍ଟୁକା ପାଲ୍ଲୀ, ଅଷ୍ଟ୍ରେଲିଆର ସିନେମାଟୋଗ୍ରାଫର ରସ୍ ଡବ୍ଲ୍ୟୁ କ୍ଲାର୍କସନ, ‘ଫିରାକ୍’ର ଏଡ଼ିଟର ଏ ଶ୍ରୀକର ପ୍ରସାଦ, ‘ବାହୁବଲୀ: ଦ ବିଗିନିଙ୍ଗ୍‌’ର ଭିଜୁଆଲ୍ ଇଫେକ୍ଟସ ଡ଼ିଜାଇନର ଭି ଶ୍ରୀନିବାସ ମୋହନ।

ଏତଦ୍‌‌ବ୍ୟତୀତ ଏହାର ଦୃଶ୍ୟ ଓ ସଂଳାପ ରଚନା କରିବାର ଦାୟିତ୍ୱ ନନ୍ଦଲାଲ ମହାପାତ୍ର ଓ ବିଜୟ ମଲ୍ଲଙ୍କୁ ଦିଆଯାଇଥିଲା।

ସାରା ରାଜ୍ୟରେ ଐତିହାସିକ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମର ଆୟୋଜନ ହେଉଥିବା ବେଳେ ଏହି ସିନେମାର ମୁକ୍ତିଲାଭକୁ ଓଡ଼ିଆ ସିନେପ୍ରେମୀ ଅପେକ୍ଷା କରିଥିବା ବେଳେ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି। ସିନେମାର କାହାଣୀ ଓ ସଂଳାପ ରଚନା ହୋଇ ସାରିଥିବା ବେଳେ ଏହାର ସୁଟିଂ କାର୍ଯ୍ୟ ଏବେଯାଏଁ ଆରମ୍ଭ ହୋଇନାହିଁ।

ଏ ସମ୍ପର୍କରେ ଶ୍ରୀଯୁକ୍ତ ପରିଜା କୁହନ୍ତି, ‘‘ପ୍ରାୟ ୧୪ କୋଟି ବଜେଟ୍‌ର ଏହି ସିନେମାକୁ ଓଡ଼ିଶା ସରକାରଙ୍କ ସହାୟତା ବିନା ବନେଇବା ସମ୍ଭବ ନୁହେଁ। ଏଥିନେଇ କଥାବାର୍ତ୍ତା ଚାଲିଛି। ଏହି ସନେମାର ପରିକଳ୍ପନାକୁ ସାକାର ରୂପ ଦେଇ ପାରିଲେ ଓଡ଼ିଆ ବୀର ଜାତି ପାଇଁ ଏହା ଏକ ସ୍ମାରକ ହେବ।’’

Tags: Akshay Parija, Anubhav, Odisha Govt. Buxi Jagabandhu, Paikas, Paika Rebellion, Paika Bidroha, Ollywood, Odia Cinema, Bijay Malla, Odia Cine Industry, Odia Cinema, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment