ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦକୁ ନେଇ ମୁହଁ ଖୋଲିଲେ ଜାଗୃତି ଶୁକ୍ଳା।

ବହୁ ଚର୍ଚ୍ଚିତ ଷ୍ଟାର ଦମ୍ପତି ବର୍ଷା ଅନୁଭବଙ୍କ ବିବାଦ ଏବେ ପୁଣି ଚର୍ଚ୍ଚାକୁ ଆସିଛି। ଏଥର ଦୋଷ ଲଦା ଲଦି ପାଇଁ ନୁହେଁ ବରଂ ଅନୁଭବଙ୍କ ବନ୍ଧୁ ଜାଗୃତି ଶୁକ୍ଳାଙ୍କ ଫେସବୁକ୍‌ ପୋଷ୍ଟ ପାଇଁ ଚର୍ଚ୍ଚା ବଢ଼ିଛି। ପ୍ରଥମ ଥର ଜାଗୃତି ଫେସବୁକରେ ଅନୁଭବ ଓ ବର୍ଷାଙ୍କ ବିବାଦକୁ ନେଇ ମୁହଁ ଖୋଲିଛନ୍ତି। ଅନୁଭବଙ୍କ ବ୍ୟକ୍ତିଗତ ମାମଲାରେ ତାଙ୍କ ନାଁକୁ ଆଣି ତାଙ୍କୁ ଅଯଥା ବଦନାମ କରାଯାଉଛି ବୋଲି କହିଛନ୍ତି ଜାଗୃତି।

ଜାଗୃତି ଶୁକ୍ଳା କିଏ?

ଜାଗୃତି ଶୁକ୍ଳା ଜଣେ ସାମ୍ବାଦିକା। ଏବେ ସେ ଲୋକସଭା ଟିଭିରେ ଉପସ୍ଥାପିକା ଭାବେ କାମ କରୁଛନ୍ତି। ବର୍ଷାଙ୍କ ସହିତ ଅନୁଭବଙ୍କ ବିବାଦରେ ସାମ୍ନାକୁ ଆସିବା ପରେ ଜାଗୃତିଙ୍କ ନାଁ ସାମ୍ନାକୁ ଆସିଥିଲା। ବର୍ଷା ଓ ଅନୁଭବଙ୍କ ସମ୍ପର୍କରେ ଫାଟ ସୃଷ୍ଟିର କାରଣ ଜାଗୃତି ବୋଲି ଲୋକେ ସୋସିଆଲ ମିଡିଆରେ ଟ୍ରୋଲ କରିଥିଲେ। ଏହାପରେ ବି ଜାଗୃତି ଏ ପ୍ରସଙ୍ଗରେ ମୁହଁ ଖୋଲିନଥିଲେ। ଏଇ ଡିସେମ୍ବର ୧୩ରେ ପ୍ରଥମ ଥର ଜାଗୃତି ଏ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି।

‘‘ମୁଁ ଜଣେ ସାମ୍ବାଦିକ। ମୋ କାମ ପାଇଁ ମତେ ସାଂସଦଙ୍କ ସହ ନିୟମିତ କଥା ହେବାକୁ ପଡ଼େ। ସାଂସଦ ଅନୁଭବ ମହାନ୍ତିଙ୍କ ସହ ମୋର ଭଲ ବୃତ୍ତିଗତ ସମ୍ପର୍କ ରହିଛି। ଆମେ ଭଲ ବନ୍ଧୁ ମଧ୍ୟ। ଅନୁଭବ-ତାଙ୍କ ପତ୍ନୀ ବର୍ଷାଙ୍କ ବିବାଦ ସେମାନଙ୍କ ବ୍ୟକ୍ତିଗତ। କିନ୍ତୁ ଏଥରେ ମତେ ଟ୍ରୋଲ କରାଯାଉଛି। ଲୋକ ଆପତ୍ତିଜନକ କମେଣ୍ଟଜନକ କମେଣ୍ଟ କରୁଛନ୍ତି। ଏହା ମୋର ସମ୍ମାନ ହାନି କରୁଛି’’, ଲେଖିଛନ୍ତି ଜାଗୃତି।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଜାଗୃତି ଅନୁଭବଙ୍କ ପତ୍ନୀ ବର୍ଷାଙ୍କୁ ବି ଟାର୍ଗେଟ କରିଛନ୍ତି। ତାଙ୍କୁ ବିବାଦକୁ ଟାଣିବା ଭିତରେ ବର୍ଷାଙ୍କ ପ୍ରଶଂସକଙ୍କ ହାତ ରହିଛି। ଏଥିପାଇଁ ସେ ପୋଲିସରେ ଅଭିଯୋଗ କରିବେ ଓ ଏହାପଛରେ କିଏ ଅଛି ତା ବାହାର କରିବେ ବୋଲି ସେ ଫେସବୁକରେ କହିଛନ୍ତି।

ଏହାଛଡ଼ା ଜାଣିଶୁଣି ଏ ସବୁ କରାଯାଉଥିବାରୁ ସେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର, ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଜାତୀୟ ମହିଳା କମିସନ ଏ ବିଷୟରେ ଅନୁସନ୍ଧାନ କରୁ ବୋଲି ଜାଗୃତି କହିଛନ୍ତି।

ଜାଗୃତିଙ୍କ ସହ ଫଟୋ ପୋଷ୍ଟ କରିଥିଲେ ଅନୁଭବ

ଡିସେମ୍ବର ୧୧ରେ  ସାଂସଦ ଅନୁଭବ ମହାନ୍ତି ଏକ ଫଟୋ ପୋଷ୍ଟ କରିଥିଲେ। ଯେଉଁଥିରେ ଅନୁଭବଙ୍କ ସହିତ ତାଙ୍କ ବନ୍ଧୁ ଅଶ୍ୱିନୀ ଦୁବେ ଓ ଜାଗୃତି ଶୁକ୍ଳାଙ୍କୁ ଦେଖିବାକୁ ମିଳିଥିଲା। ଅନୁଭବ ଏହି ଫଟୋ ଜରିଆରେ ଅଶ୍ୱିନୀ ଦୁବେଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇଥିଲେ। ଏହାସହିତ ଜାଗୃତିଙ୍କୁ ସେ ତାଙ୍କ ବିପଦ ସମୟର ବନ୍ଧୁ ବୋଲି ନିଜ ପୋଷ୍ଟରେ କହିଥିଲେ। ଲହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଫେସବୁକରେ ଅନେକ ଜାଗୃତିଙ୍କ ଆକ୍ଷେପ କରି କମେଣ୍ଟ କରିଥଲେ, ଯାହାପରେ ଜାଗୃତି ମଧ୍ୟ ନିଜ ପାଇଁ ମୁହଁ ଖୋଲିଛନ୍ତି।

ଏହାପୂର୍ବରୁ ବି ଥରେ ସାଂସଦ ଅନୁଭବ ମହାନ୍ତି ଜାଗୃତିଙ୍କ ଫଟୋ ସେୟାର କରିଥିଲେ। ଯେଉଁଥିରେ ସଂସଦ ଭବନ ପରିସରରେ ସମ୍ବଲପୁରୀ ଶାଢ଼ିରେ ନଜର ଆସିଥିଲେ ଜାଗୃତି। ସେତେବେଳେ ବି ଏହି ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଥିଲା

ସୋସିଆଲ ମିଡିଆ ପୋଷ୍ଟ ନେଇ ବର୍ଷା କରିଥିଲେ ଅଭିଯୋଗ

ବର୍ଷା ପ୍ରିୟଦର୍ଶିନୀ ସୋସିଆଲ ମିଡିଆରେ ତାଙ୍କ ବିରୋଧରେ କରାଯାଉଥିବା ଖରାପ ମନ୍ତବ୍ୟକୁ ନେଇ ଡିସେମ୍ବର ୮ରେ କଟକ ପୁରୀଘାଟ ଥାନାରେ ଏକ ଏତଲା ଦେଇଥିଲେ। ଅନୁଭବ ମହାନ୍ତିଙ୍କ କିଛି ଫେସବୁକ ପ୍ରଶଂସକ ବର୍ଷାଙ୍କ ଚରିତ୍ରକୁ ନେଇ ଅଶ୍ଳୀଳ ମନ୍ତବ୍ୟ ଫେସବୁକ ପେଜରେ ପୋଷ୍ଟ କରିଥିବା ସେ ଅଭିଯୋଗ କରିଥିଲେ। ଏହାଦ୍ୱାରା ତାଙ୍କ ଭାବମୂର୍ତ୍ତି ଖରାପ ହେଉଛି ବୋଲି କହିଥିଲେ।

Comment