ଓଡ଼ିଶାଲାଇଭ୍ ବ୍ୟୁରୋ

ସେଲିବ୍ରିଟି କପଲ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦକୁ ନେଇ ଚାରିଆଡ଼େ ଚର୍ଚ୍ଚା। ଦୀର୍ଘ ଦିନ ହେଲା ଯେଉଁ ଘରେ ରହିବାକୁ ବର୍ଷା ଅଡ଼ିବସିଥିଲେ ସେହି ଘର ଛାଡ଼ିବାକୁ ଆଜି ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏପଟେ ବର୍ଷାଙ୍କ ଲାଗି ରହଣି ବ୍ୟବସ୍ଥା କରିବାକୁ ଅନୁଭବଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ବର୍ଷା ଏବଂ ଅନୁଭବଙ୍କ ବୈବାହିକ ଜୀବନରେ ଝଡ଼ ଉଠିବା ଦିନଠାରୁ ଅନୁଭବଙ୍କ ପୈତୃକ ଘରେ ରହିଆସୁଛନ୍ତି ବର୍ଷା। କିଛି ଦିନ ଅନୁଭବଙ୍କର ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟକୁ ନେଇ ବର୍ଷା ଏବଂ ଅନୁଭବଙ୍କ ମଧ୍ୟରେ ବିବାଦ ବଢ଼ିଥିଲା। ଏପରିକି ପ୍ରଥମେ ଥାନା ଏବଂ ପରେ ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲେ ବର୍ଷା। ଏହି ଘଟଣା ପରେ ସୋସିଆଲ ମିଡିଆରେ କେହି କାହା ବିରୋଧରେ କୌଣସି ମନ୍ତବ୍ୟ ଦେଇପାରିବେ ନାହିଁ ବୋଲି କୋର୍ଟ ଉଭୟଙ୍କୁ ତାଗିଦ ମଧ୍ୟ କରିଥିଲେ। ଏହା ସହ ଅନୁଭବଙ୍କୁ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ।

ବର୍ଷା ଏବଂ ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ପରେ ଅନୁଭବ ନିଜ ପୈତୃକ ଘରଛାଡ଼ି ଅନ୍ୟତ୍ର ଭଡ଼ା ଘରେ ରହୁଥିଲେ। ବର୍ଷା ତାଙ୍କ ପୈତୃକ ଘର ଛାଡ଼ନ୍ତୁ ବୋଲି କଟକ ଏସଡିଜେଏମ କୋର୍ଟରେ ଆବେଦନ କରିଥିଲେ ଅନୁଭବ। ଏହାର ଶୁଣାଣି ଗୁରୁବାର ଦିନ କୋର୍ଟ କରିବା ସହ ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବର୍ଷାଙ୍କ ରହିବା ପାଇଁ ଅନୁଭବ ବ୍ୟବସ୍ଥା କରିବା ସହ ପ୍ରତି ମାସର ୧୦ ତାରିଖ ସୁଦ୍ଧା ୩୦ ହଜାର ଟଙ୍କା ରହଣି ବାବଦକୁ ଦେବା ଲାଗି ଅନୁଭବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନୁଭବ ଦୁଇ ମାସର ଟଙ୍କା ଦେବା ପରେ ବର୍ଷା ଘର ଛାଡ଼ିବେ। କିନ୍ତୁ ନିଜ ସୁରକ୍ଷା ଦୃଷ୍ଟିରୁ ବର୍ଷା ନିଜେ ନିଜ ପାଇଁ ଘର ଖୋଜିବେ ବୋଲି ତାଙ୍କ ଓକିଲ ସୂଚନା ଦେଇଛନ୍ତି।

Tags: #CelebrityCouple #Controversy #AnuvabMohanty #BarsaPriyadarshini

Comment