ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ମନୋରଞ୍ଜନ ଦୁନିଆର ଓଭର ଦି ଟପ୍ (ଓଟିଟି) ପ୍ଲାଟଫର୍ମରେ ଯୋଡ଼ି ହୋଇଛି ନୂଆ କଣ୍ଟେଟ ପ୍ରୋଭାଇଡର ଆପ୍ଲିକେସନ ‘କଞ୍ଚା ଲଙ୍କା’। ଶୁକ୍ରବାର ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଆପ୍ଲିକେସନ ଲୋକାର୍ପିତ ହୋଇଛି। ଓଡ଼ିଆ ମନୋରଞ୍ଜନ ଦୁନିଆର ତିନି ପରିଚିତ ଚେହେରା ଅକ୍ଷୟ ପରିଜା, ବିଭୁ ରଥ ଏବଂ ଚିତ୍ତରଞ୍ଜନ ନାୟକଙ୍କ ମିଳିତ ଉଦ୍ୟମରେ ଓଟିଟି ପ୍ଲାଟଫର୍ମକୁ ପ୍ରବେଶ କରିଛି ଏହି ନୂଆ ଆପ୍ଲିକେସନ ‘କଞ୍ଚା ଲଙ୍କା’।

ଉନ୍ନତମାନର ଓ୍ଵେବ୍ ସିରିଜ୍ ଏବଂ ଚଳଚ୍ଚିତ୍ର ଜରିଆରେ ସବୁ ବର୍ଗର ଦର୍ଶକଙ୍କୁ ଭିନ୍ନ ଭିନ୍ନ ସ୍ୱାଦ ବିଶିଷ୍ଟ ମନୋରଞ୍ଜନର ଖୋରାକ ଯୋଗାଇବାରେ ଏହା ସଫଳ ହେବ ବୋଲି ଆପ୍ଲିକେସନ କର୍ତ୍ତୃପକ୍ଷ ଆଶା କରିଛନ୍ତି।  “କଞ୍ଚା ଲଙ୍କା କେବଳ ଏକ ଓଟିଟି ପ୍ଲାଟଫର୍ମ ନୁହେଁ। ଏହା ଓଡ଼ିଆ ମନୋରଞ୍ଜନ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ। ଏହା ମାଧ୍ୟମରେ ଓଡ଼ିଶାର ଲୁଚି ରହିଯାଇଥିବା ପ୍ରତିଭାମାନେ ଦର୍ଶକଙ୍କ ସାମ୍ନାକୁ ଆସିବେ। ‘କଞ୍ଚା ଲଙ୍କା’ ଦ୍ଵାରା ଆମେ ଓଡ଼ିଆ ଦର୍ଶକମାନଙ୍କୁ ଗୋଟିଏ ଥାଳିରେ ସବୁ ପ୍ରକାର ମନୋରଞ୍ଜନର ଖାଦ୍ୟ ପରସି ଦେବୁ ଏବଂ ଓଡ଼ିଆ ମନୋରଞ୍ଜନର ମାନକୁ ଜାତୀୟ ସ୍ତରରେ ପହଞ୍ଚାଇବୁ”, କହିଛନ୍ତି କଞ୍ଚା ଲଙ୍କାର ଅଧ୍ୟକ୍ଷ ଅକ୍ଷୟ ପରିଜା।   ଓଟିଟି ପ୍ଲାଟଫର୍ମ କଞ୍ଚା ଲଙ୍କାରେ ଦର୍ଶକମାନେ ଅପରାଧ, ଥ୍ରୀଲର, ସସପେନ୍ସ, ରୋମାଣ୍ଟିକ, କମେଡି, ଫାଣ୍ଟାସି ଭଳି ଭିନ୍ନ ଭିନ୍ନ ସ୍ୱାଦର ମନୋରଞ୍ଜନ ପାଇପାରିବେ। ଭାରତର ଏକାଧିକ ଫୋରମରେ ଏହା ଉପଲବ୍ଧ ହେବ। ଦର୍ଶକମାନେ ଏହାକୁ ୱେବସାଇଟ୍ ସମେତ ଆଣ୍ଡ୍ରଏଡ୍, ଆପଲ ଆଇଓଏସ ଓ ଆପଲ ଟିଭିରେ ଦେଖିପାରିବେ। ଓଡ଼ିଶା ସହିତ ଦେଶର ବିଭିନ୍ନ ସ୍ଥାନରେ ଦର୍ଶକମାନଙ୍କ ପାଇଁ ଏହା ଉପଲବ୍ଧ ହୋଇଥିବା ବେଳେ ଖୁବ୍ ଶୀଘ୍ର ଭାରତ ବାହାରେ ଏହା ଦର୍ଶକମାନଙ୍କୁ ଏଣ୍ଟରଟେନ୍ କରିବ।

ଏହି ଓଟିଟି ପ୍ଲାଟଫର୍ମର ନାମ ‘କଞ୍ଚା ଲଙ୍କା’ ରଖାଯିବା ନେଇ ଏହାର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ବିଭୁ ରଥ କହିଛନ୍ତି ଯେ, ଆମ ଓଡ଼ିଆ ଘରର ଚଳଣି ସହିତ କଞ୍ଚାଲଙ୍କା ଜଡ଼ିତ। ପ୍ରତିଦିନ ଓଡ଼ିଆମାନେ ଖାଦ୍ୟରେ କଞ୍ଚା ଲଙ୍କା ଖାଇବାକୁ ପସନ୍ଦ କରନ୍ତି। ତେଣୁ ଆମେ ପ୍ଲାଟଫର୍ମରେ ସେଭଳି ଓଡ଼ିଆ ଲୋକଙ୍କ ମାନସିକତା ଓ ପସନ୍ଦକୁ ନେଇ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଛୁ।ସେହିପରି କଞ୍ଚା ଲଙ୍କା ପ୍ଲାଟଫର୍ମର ଅନ୍ୟ ବିଶେଷତାକୁ ନେଇ କର୍ତ୍ତୃପକ୍ଷମାନେ କହିଛନ୍ତି, କଞ୍ଚା ଲଙ୍କାରେ ଅଲ୍‌ଟ୍ରା ଏଚ୍‌ଡି କ୍ଵାଲିଟି, ଇଂଲିସ ସବଟାଇଟଲ ତଥା ବିନା ବିଜ୍ଞାପନର କଣ୍ଟେଣ୍ଟ ଦେଖିପାରିବେ ଦର୍ଶକ। ଏଥିପାଇଁ ଗ୍ରାହକଙ୍କୁ ବାର୍ଷିକ ୩୪୯ ଟଙ୍କା, ୬ମାସକୁ ୨୪୯ ଟଙ୍କା ତଥା ତିନି ମାସକୁ ୧୪୯ ଟଙ୍କା ଦେବାକୁ ହେବ।

Comment