ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବିବାଦ ଘେରରେ ୱେବ ସିରିଜ ‘ତାଣ୍ଡବ’
  • ନିର୍ଦ୍ଦେଶକ, ପ୍ରଯୋଜକ, ଅଭିନେତାଙ୍କ ନାଁରେ ଏତଲା
  • ବଢ଼ିଲା ସୈଫ୍‌ ଅଲ୍ଲୀଙ୍କ ସୁରକ୍ଷା

ଆମାଜନ ପ୍ରାଇମର ବହୁ ଚର୍ଚ୍ଚିତ ଓ୍ୱେବ ସିରିଜ ‘ତାଣ୍ଡବ’କୁ ନେଇ ଏବେ ବିବାଦ ବଢ଼ିବାରେ ଲାଗିଛି। ଲକ୍ଷୌର ହଜରତଗଞ୍ଜ ଥାନା ପରେ ଗ୍ରେଟର ନୋଏଡାର ରାବୁପୂରା ଥାନାରେ ଓ୍ୱେବ ସିରିଜର ନିର୍ଦ୍ଦେଶକ, ପ୍ରଯୋଜକ, ଅଭିନେତା ସୈଫ୍‌ ଅଲ୍ଲୀ ଖାନ, ସୁନୀଲ ଗ୍ରୋଭର ଏବଂ ଅଭିନେତ୍ରୀ ଡିମ୍ପଲ୍ କାପାଡ଼ିଆଙ୍କ ନାଁରେ ଏତଲା ହୋଇଥିବା ଜଣାପଡ଼ିଛି। ଏମାନଙ୍କ ଉପରେ ହିନ୍ଦୁ ଦେବାଦେବୀଙ୍କୁ ଅପମାନ କରିଥିବା ଅଭିଯୋଗ ହୋଇଛି।

ଗତ ଶୁକ୍ରବାର ରିଲିଜ ହୋଇଥିବା ଏହି ଓ୍ୱେବସିରିଜରେ ହିନ୍ଦୁ ଭାବନାକୁ ଆଘାତ ଦେଲା ଭଳି ସିନ ଓ ଡାଇଲଗ ଥିବା ଅଭିଯୋଗ କରିଛନ୍ତି ବିଭିନ୍ନ ସଙ୍ଗଠନ। ନିର୍ଦ୍ଦେଶକ ଜାଣିଶୁଣି ବିବାଦ ସୃଷ୍ଟି କରିବାକୁ ଏଭଳି କରିଥିବା ସେମାନେ ଦାବି କରିଛନ୍ତି।

ଅନ୍ୟପଟେ ଓ୍ୱେବ ସିରିଜକୁ ନେଇ ବିବାଦ ବଢ଼ୁଥିବାରୁ ଏଥିରେ ମୁଖ୍ୟ ଭୂମିକାରେ ଅଭନୟ କରିଥିବା ସୈଫ୍‌ ଅଲ୍ଲୀ ଖାନଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସେହିପରି ବିଜେପି ସାଂସଦ ମନୋକ କୋଟାକ ସୂଚନା ପ୍ରସାରଣ ମନ୍ତ୍ରାଳୟକୁ ଚିଠି ଲେଖି ଶୀଘ୍ର ଏହି ଓ୍ୱେବ ସିରିଜକୁ ବ୍ୟାନ କରିବାକୁ ଦାବି କରିଛନ୍ତି। ବିବାଦ ବଢ଼ିବା ପରେ ଓ୍ୱେବ ସିରିଜର ନିର୍ଦ୍ଦେଶକ ଏଥିଲାଗି କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି।

ସୈଫଙ୍କ ବ୍ୟତୀତ ଫିଲ୍ମରେ ଡିମ୍ପଲ କପାଡ଼ିୟା, ତିଗ୍ମାଂଶୁ ଧୁଲିୟା, ସୁନିଲ ଗ୍ରୋଭରଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ। ଏମାନଙ୍କ ବ୍ୟତୀତ ଜିଶାନ ଅୟୁବ ଖାନ, କୁମୁଦ ମିଶ୍ରା, ଗୌହର ଖାନ, ଅନୁପ ସୋନି, ସାରା ଜେନ, ଡିନୋ ମୋରିୟା ଏବଂ ପରେଶ ପହୁଜା ଅଭିନୟ କରିଛନ୍ତି।

Comment