ଓଡ଼ିଶାଲାଇଭ୍‌ ବ୍ୟୁରୋ

ହୋଇଥିଲା ଜେଲଯିବା ରାସ୍ତାରେ?

ବଳାତ୍କାରୀ ବାବା ଗୁରମିତ ରାମରହିମ ସିଂହଙ୍କ ଲାଇଫ୍ ଷ୍ଟାଇଲ୍ କୌଣସି ବଲିଉଡ୍ ଫିଲ୍ମଠାରୁ କମ ନୁହେଁ। ଅନେକ ବଲିଉଡ ଫିଲ୍ମରେ ଯେପରି ଛଦ୍ମବେଶୀ ବାବା ବ୍ୟଭିଚାରର ସୀମା ଟପି ଗୋଟିଏ ପରେ ଗୋଟିଏ ଅପରାଧ କରିଥା’ନ୍ତି, ସେହିଭଳି ଅପରାଧର ଫର୍ଦ୍ଦ ଖୋଲୁଛି ରାମ ରହିମଙ୍କ ସଂପର୍କରେ।

ଏବେ ଏପରି ଏକ ଖବର, ଜାତୀୟ ଗଣମାଧ୍ୟମ ହାତରେ ଲାଗିଛି, ତାହା ଜାଣିଲେ ଆପଣଙ୍କୁ ଏ କାହାଣୀ ହିନ୍ଦୀ ଟେରର୍ ଫିଲ୍ମ ଭଳି ଲାଗିବ।

ଗତ ୨୫ ତାରିଖରେ ହରିୟାଣାର ପଂଚକୁଳାସ୍ଥିତ ସ୍ୱତନ୍ତ୍ର ସିବିଆଇ କୋର୍ଟ ପାଖାପାଖି ଦିନ ୨ଟା ୩୦ରେ ରାମ ରହମଙ୍କୁ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ କଲେ। ଦୋଷୀ ସାବ୍ୟସ୍ତ ହେବା ପରେ ତୁରନ୍ତ ତାଙ୍କୁ ଗିରଫ କରାଯାଇ ପୁଲିସ କଷ୍ଟୋଡିକୁ ନିଆଗଲା।

ପରବର୍ତ୍ତୀ ପ୍ରକ୍ରିୟା ଥିଲା ରୋହତକ୍ ଜେଲରେ ରାମ ରହିମଙ୍କୁ ପହଞ୍ଚାଇବା। ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ହେଲିକଫ୍ଟର ବ୍ୟବସ୍ଥା କରିଥିଲେ ହରିୟାଣା ସରକାର। ଏକ ସ୍କର୍ପିଓ ଗାଡ଼ିରେ ବାବା ରାମ ରହିମଙ୍କୁ ହେଲିପ୍ୟାଡ୍ ପର୍ଯ୍ୟନ୍ତ ନେଇଯିବା ମଧ୍ୟ ପୁଲିସ ଓ ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ଥିଲା। ସଂପୂର୍ଣ୍ଣ ରାସ୍ତାକୁ ଖାଲି କରାଯାଇଥିଲା। ତନତନ କରି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଉଥାଏ। ପୁଲିସ, ଅର୍ଦ୍ଧସାମରିକ ବାହିନୀର ଯବାନ ପୂରା ଛାଇ ଯାଇଥିଲେ ସେହି ଅଞ୍ଚଳରେ।

ଏତେ କଡ଼ା ପ୍ରହରା ଥାଇ ମଧ୍ୟ ଅଳ୍ପ କିଛି ବାଟ ମଧ୍ୟରେ ଯାହା ହୋଇଥିଲା, ତାହା ଜାଣିଲେ ଆପଣ ଚମକି ପଡ଼ିବେ। ଆପଣ ବୁଝିପାରିବେ ନାହିଁ ଯେ ଲୋକଙ୍କୁ ସଦବୁଦ୍ଧି ବାଣ୍ଟୁଥିବା ବାବା ରାମ ରହିମ, ଧର୍ମଗୁରୁ ନା’ ଗ୍ୟାଙ୍ଗଷ୍ଟାର।

ଅଦାଲତି ରାୟ ପରେ ପୁଲିସ କବଳରୁ କିପରି ରାମ ରହିମଙ୍କୁ ଛଡ଼ାଇ ନିଆଯିବ, ସେଥିପାଇଁ ନୀଳ-ନକ୍ସା ଅଙ୍କାଯାଇଥିଲା। ହେଲେ, ହରିୟାଣା ପୁଲିସ, ବଳାତ୍କାରୀ ବାବାଙ୍କୁ ହେଲିକଫ୍ଟରରେ ନେବା ପାଇଁ ସ୍ଥିର କରିବାରୁ ଷଡଯନ୍ତ୍ରକାରୀଙ୍କ ପ୍ରଥମ ଯୋଜନା ଫେଲ୍ ମାରିଥିଲା।

ଏଥର କାର୍ଯ୍ୟକାରୀ ହେବାକୁ ଥିଲା ଯୋଜନା ନମ୍ବର ଦୁଇ। ସବୁଠୁ ସାଂଘାତିକ ଷଡଯନ୍ତ୍ର। ବାବାଙ୍କୁ ଛଡ଼ାଇ ନେବାକୁ ଶେଷ ଉଦ୍ୟମ।

ସ୍କର୍ପିଓରେ ବାବା ରାମରହିମ ଯାଉଥା’ନ୍ତି ହେଲିପ୍ୟାଡ୍ ଅଭିମୁଖେ। ଆଗ ପଛରେ ଚାଲିଥା’ନ୍ତି ଡଜନେରୁ ଅଧିକ ସଶସ୍ତ୍ର କମାଣ୍ଡୋଙ୍କ ଗାଡ଼ି। ସୁରକ୍ଷା ଏପରି ଯେ ପକ୍ଷୀଟିଏ ଆସିଗଲେ ବି ଖସିବା ମୁସ୍କିଲ।

ହେଲେ ଏସବୁ ବ୍ୟବସ୍ଥା ଭିତରେ ହଠାତ୍ ସ୍କର୍ପିଓ ସାମନାକୁ ଆସି ବାଟ ଓଗାଳିଲା ଏକ ଏସୟୁଭି। କେହି କିଛି ବୁଝିବା ପୂର୍ବରୁ ଅତ୍ୟାଧୁନିକ ମାରଣାସ୍ତ୍ର ଧରି ଗାଡ଼ିରୁ ଓହ୍ଲାଇ ପଡ଼ିଲେ ୬ ଜଣ। ପିତାଜୀଙ୍କୁ (ବାବା ରାମ ରହିମ) ଛାଡ଼ିଦେବାକୁ ନିର୍ଦ୍ଦେଶ ଦେଲେ ସ୍କର୍ପିଓରେ ଥିବା ସୁରକ୍ଷା କର୍ମୀଙ୍କୁ। ବାବାଙ୍କୁ ନ ଛାଡ଼ିଲେ ସମସ୍ତଙ୍କୁ ମାରି ଦିଆଯିବ ବୋଲି ଧମକ ମଧ୍ୟ ଦେଲେ।

ଆଶ୍ଚର୍ଯ୍ୟ ହୋଇ ସେମାନଙ୍କୁ ଅନାଇଥା’ନ୍ତି ବାବା ରାମରହିମଙ୍କୁ ସ୍କର୍ପିଓରେ ନେଇ ଆସୁଥିବା ଯବାନ। ସ୍କର୍ପିଓ ଡୋର୍ ନ ଖୋଲିବାରୁ ସେମାନଙ୍କୁ ଗାଡ଼ିରେ ଚାପି ମାରିଦେବାକୁ ଧମକ ଦିଆଗଲା। ହେଲେ ଆଉ କିଛି ଘଟିବା ପୂର୍ବରୁ ପଛରୁ ଆସୁଥିବା ଫୋର୍ସ ଘଟଣା ସ୍ଥଳରେ ପହଞ୍ଚିଗଲେ ଏବଂ ସମସ୍ତଙ୍କୁ ଆୟତ୍ତ କରିବାରେ ସମର୍ଥ ହେଲେ। ଅସ୍ତ୍ରଶସ୍ତ୍ର ଜବତ କରିବା ସହ ଗାଡିର ଡ୍ରାଇଭର ସମେତ ୭ ଜଣଙ୍କୁ ଗିରଫକଲା ପୁଲିସ।

ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଏମାନେ କୌଣସି ଆତଙ୍କବାଦୀ ସଂଗଠନର କର୍ମୀ ନୁହଁନ୍ତି, ଏମାନେ ଥିଲେ ହରିୟାଣା ପୁଲିସର ଯବାନ। ବାବା ରାମ ରହିମଙ୍କୁ ଜେଡ୍ କାଟାଗୋରୀ ସୁରକ୍ଷା ଦିଆଯାଉଥିବାରୁ ପ୍ରାୟ ୬-୭ ବର୍ଷ ହେଲା ହରିୟାଣା ପୁଲିସର ଏହି କର୍ମଚାରୀ ବାବାଙ୍କ ସୁରକ୍ଷା ପାଇଁ ନିୟୋଜିତ ଥିଲେ।

ତଦନ୍ତରୁ ଜଣାପଡ଼ିଛି, ଏହି ୭ ଜଣ କେବଳ ବାବାଙ୍କ ବଡିଗାର୍ଡ ନଥିଲେ, ଏମାନେ ଥିଲେ ଡେରା ସଚ୍ଚା ସୌଦାର ବିଶ୍ୱସ୍ତ ଅନୁଗାମୀ। ଏମାନଙ୍କ ବିରୋଧରେ ଦେଶଦ୍ରୋହ ଏବଂ ବେଆଇନ ଅସ୍ତ୍ରଶସ୍ତ୍ର ମାମଲା ଦାୟର ହୋଇଛି। ଏଭଳି କାର୍ଯ୍ୟ କରିବାକୁ କିଏ ସେମାନଙ୍କୁ ନିର୍ଦ୍ଦେଶ ଦେଇଥିଲା, ଆଉ କେଉଁମାନେ ଏ ଷଡଯନ୍ତ୍ରରେ ସାମିଲ ଅଛନ୍ତି, ସେ ନେଇ ଛାନଭିନ୍‌ ଚାଲିଛି।

ଆଉ ଏକ କଥା ମଧ୍ୟ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି, ଯାହା ଉପରେ ହରିୟାଣା ପୋଲିସ ପାଟି ଫିଟାଉନାହାନ୍ତି। ବାବାଙ୍କ ଏହି ବଡିଗାର୍ଡ, ଆଇଜି ପାହ୍ୟାର ଜଣେ ଅଧିକାରୀଙ୍କୁ ମାଡ଼ ମାରିବା ସହ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ମାତ୍ର ସୌଭାଗ୍ୟ ଯୋଗୁଁ ବର୍ତ୍ତି ଯାଇଥିଲେ ଆଇଜି। ଏହା ଯଦି ସତ ହୋଇଥାଏ, ତା’ହେଲେ କେତେ ବଡ଼ ଷଡଯନ୍ତ୍ର ରଚାଯାଇଥିଲା, ତାହା ଅନୁମାନ କରିହେବ।

Tags: Bhubaneswar News, Breaking News, CBI, Dera Sacha Sauda, Gurmeet Ram Rahim, Gurmeet Ram Rahim Singh, Latest News, Odisha Breaking News, Odisha News, Odisha Stories, Odisha Top Stories, Punjab, Ram Rahim, Ram Rahim Verdict, Rape Case, Top Stories

Comment