ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାଳିତ ଝିଅ ହୋଇପାରେ ରାମରହିମଙ୍କ ଉତ୍ତରାଧିକାରୀ

ବଳାତ୍କାରୀ ବାବା ରାମ ରହିମଙ୍କୁ ଅଦାଲତ ଦୋଷୀ ସବ୍ୟସ୍ତ କରିବା ପରେ ଜଣେ ମହିଳା ବେଶ୍‌ ଚର୍ଚ୍ଚାକୁ ଆସିଛନ୍ତି। ସିରସା ଆଶ୍ରମରୁ ରାମରହିମ ଅଦାଲତକୁ ଆସିବା ଏବଂ ଅଦାଲତରୁ ରୋହତକ ଜେଲ ଯିବା ପର୍ଯ୍ୟନ୍ତ ଜଣେ ସୁନ୍ଦରୀ ମହିଳାଙ୍କୁ ଦେଖିବାକୁ ମିଳିଥିଲା। ରାମରହିମଙ୍କ ପାଖେପାଖେ ଛାଇ ଭଳି ରହିଥିଲେ ମହିଳା ଜଣକ।

ଅବଶ୍ୟ ଏହି ଚେହେରା ହରିୟାଣାବାସୀଙ୍କ ପାଇଁ ଅଜଣା ନୁହେଁ, ଏହା ସେମାନଙ୍କ ପାଇଁ ଜଣେ ଚର୍ଚ୍ଚିତ ସେଲିବ୍ରେଟିର ଚେହେରା। କାରଣ ରାମରହିମ ନିର୍ମାଣ କରିଥିବା ଫିଲ୍ମରେ ଅଭିନୟ ଓ ନିର୍ଦ୍ଦେଶନା ଦେଇଛନ୍ତି ଏହି ମହିଳା।

ରାମରହିମଙ୍କ ସହ ଅଦାଲତକୁ ଗୋଟିଏ ଗାଡ଼ି​‌ରେ ଆସିବା ଏବଂ କୋର୍ଟରୁମରେ ତାଙ୍କ ନିକଟରେ ବସିଥିବା ମହିଳାଙ୍କ ନାଁ ହେଉଛି ହନିପ୍ରୀତ ଇନସାନ୍। ବାବା ରାମ ରହିମଙ୍କ ପାଳିତ ଝିଅ।

୨୦୦୯ରେ ରାମରହିମ ଏହି ମହିଳାଙ୍କୁ ଝିଅ କରିଥିଲେ। ରାମରହିମଙ୍କ ଅଦାଲତ ଦୋଷୀ ସାବ୍ୟସ୍ତ କରିବା ପରେ ତାଙ୍କ ପାଖ ଛାଡ଼ି ନଥିଲେ ହନିପ୍ରୀତ। ସ୍କର୍ପିଓରେ ହେଲିକଫ୍ଟର ଯାଏଁ, ହେଲିକଫ୍ଟରରେ ଅସ୍ଥାୟୀ ଜେଲ ଓ ପରେ ରୋହତକ ଯାଏଁ ରାମରହିମଙ୍କ ପାଖରେ ବସିଥିଲେ ହନିପ୍ରୀତ।

ଜେଲ ଭିତରକୁ ଯିବା ପରେ ରୋହତକର ଜଣେ ଡେରା ସମର୍ଥକଙ୍କ ଘରକୁ ଚାଲିଯାଇଥିଲେ ହନିପ୍ରୀତ। ବାବାଙ୍କ ତିନି ପୁଅ ଝିଅ ଥିବା ବେଳେ ହନିପ୍ରୀତ କାହିଁକି ବାବାଙ୍କ ଏତେ ପ୍ରିୟ, ଏ ନେଇ ଚର୍ଚ୍ଚା ଜୋରଧରିଛି।

ହନିପ୍ରୀତ ହେଉଛନ୍ତି ହିସାରର ବାସିନ୍ଦା। ତାଙ୍କର ମୂଳ ନାଁ ଥିଲା ପ୍ରିୟଙ୍କା ତନୁଜା। ରାମରହିମ ତାଙ୍କୁ ଝିଅ କରିବା ପରେ ତାଙ୍କ ନାଁ ବଦଳାଇ ରଖିଥିଲେ ହନିପ୍ରୀତ ଇନସାନ। ତେବେ ହନିପ୍ରୀତ କିପରି ବାବାଙ୍କ ସଂସ୍ପର୍ଶରେ ଆସିଲେ, ତାହା ମଧ୍ୟ ଏକ ରୋଚକ କାହାଣୀ।

ସିରସାରେ ରହୁଥିବା ଡେରା​‌ ଅନୁଗାମୀ ବିଶ୍ୱାସ ଗୁପ୍ତାଙ୍କ ସହ ୧୯୯୯ ମସିହାରେ ହନିପ୍ରୀତଙ୍କ ବିବାହ ହୋଇଥିଲା। ହେଲେ କିଛି ଦିନ ମଧ୍ୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସଂପର୍କ ଭଲ ରହିଲାନାହିଁ। ବାବା ରାମ ରହିମଙ୍କ ଆଶ୍ରମକୁ ଯାଇ ହନିପ୍ରୀତ ଅଭିଯୋଗ କଲେ, ତାଙ୍କୁ ଯୌତୁକ ନିର୍ଯାତନା ଶ୍ୱଶୁର ଘର​‌ଲୋକ। ଏକଥା ରାମରହିମଙ୍କ କାନକୁ ଗଲା।

ହନିପ୍ରୀତଙ୍କଠାରୁ ସବୁ କଥା ଶୁଣିବା ପରେ ତାଙ୍କୁ ପାଳିତ ଝିଅ ଭାବେ ଗ୍ରହଣ କରିଥିଲେ ରାମରହିମ। କୁହାଯାଏ, ହନିପ୍ରୀତଙ୍କୁ ରାମରହିମ ପାଳିତ ଝିଅ କରିବା ପରେ ଜ୍ୱାଇଁ ବିଶ୍ୱାସ ଗୁପ୍ତାଙ୍କ ବିଜିନେସ ଆକାଶଛୁଆଁ ହୋଇଥିଲା।

ହେଲେ ୨୦୧୨ରେ ହନିପ୍ରୀତ ସିଂହ ଓ ବାବା ରାମରହିମଙ୍କ ସଂପର୍କକୁ ନେଇ ବଡ଼ ବିବାଦ ସୃଷ୍ଟି ହେଲା। ଏହାର କାରଣ ହେଉଛି ବିଶ୍ୱାସ ଗୁପ୍ତା ଅଭିଯୋଗ ଆଣିଲେ ଯେ ତାଙ୍କ ପତ୍ନୀ ହନିପ୍ରୀତ, ବାବା ରାମରହିମଙ୍କ ଦ୍ୱାରା ଯୌନଶୋଷଣର ଶିକାର ହେଉଛନ୍ତି। ତାଙ୍କ ପତ୍ନୀଙ୍କୁ ବାବାଙ୍କ କବଳରୁ ମୁକ୍ତ କରି ତାଙ୍କ ହେପାଜତରେ ଛାଡିବା ଲାଗି ବିଶ୍ୱାସ ଗୁପ୍ତା କୋର୍ଟରେ ମାମଲା ଦାୟର କଲେ। ଏହା ସେତେବେଳେ ସାରା ଦେଶର ଗଣମାଧ୍ୟମର ପ୍ରମୁଖ ଖବର ପାଲଟିଥିଲା। ତେବେ କୋର୍ଟ ଏହି ମାମଲାର ଶୁଣାଣି କରିବା ପୂର୍ବରୁ ମାମଲା ପ୍ରତ୍ୟାହାର କରି ନେଇଥିଲେ ବିଶ୍ୱାସ ଗୁପ୍ତା। କୋର୍ଟ ବାହାରେ ସମସ୍ୟାର ସମାଧାନ ହୋଇଥିବା ଦର୍ଶାଯାଇଥିଲା। ଏହାପରେ ସ୍ୱାମୀ-ସ୍ତ୍ରୀ ପରିସ୍ପରଠାରୁ ଅଲଗା ହୋଇଯାଇଥିଲେ।

ବାବା ରାମରହିମଙ୍କ ଦୁଇ ଝିଅ ଓ ଗୋଟିଏ ପୁଅ ଥିଲେ ମଧ୍ୟ ପାଳିତ ଝିଅ ହନିପ୍ରୀତ ହିଁ ତାଙ୍କର ସବୁଠୁ ନିକଟ ଥିବା କୁହାଯାଉଛି। ଏବେ ଏହି ବିବାଦୀୟ ପାଳିତ ଝିଅ ହନିପ୍ରୀତ ଇନସାନ ହିଁ ଡେରା ସଚ୍ଚା ସୌଦାର ପରବର୍ତ୍ତୀ ଚେହେରା ବୋଲି କୁହାଯାଉଛି। ନିଜର ପୁଅ ଝିଅ ଥିଲେ ବି ରାମରହିମଙ୍କ ସାମ୍ରାଜ୍ୟର ତାଙ୍କୁ ଉତ୍ତାଧିକାରୀ ବୋଲି ତାଙ୍କୁ ଧରାଯାଉଛି।

ବାବା ରାମରହିମଙ୍କ ଛୋଟ ବଡ଼ ସବୁ କାର୍ଯ୍ୟରେ ସାମଲ ହୋଇଥାନ୍ତି ହନିପ୍ରୀତ। ରାମରହିମଙ୍କ ୫ଟି ଚଳଚ୍ଚିତ୍ରରେ ହନିପ୍ରୀତ ଅଭିନୟ କରିବା ସହ ଏଡିଟିଂ, ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ସେ ଯାହା କୁହନ୍ତି, ତାହା ରାମରହିମଙ୍କ ମତ ବୋଲି ଡେରା ଅନୁଗାମୀମାନେ ଭାବିଥା’ନ୍ତି।

Tags: Hanipreet, Hanipreet Isnan, Bhubaneswar News, Breaking News, CBI, Dera Sacha Sauda, Gurmeet Ram Rahim, Gurmeet Ram Rahim Singh, Latest News, Odisha Breaking News, Odisha News, Odisha Stories, Odisha Top Stories, Punjab, Ram Rahim, Ram Rahim Verdict, Rape Case, Top Stories

 

Comment