ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ନୂଆ ନୂଆ ବା ଇମର୍ଜିଙ୍ଗ ସେକ୍ଟରରେ ପୁଞ୍ଜିନିବେଶର ସମ୍ଭାବନା ଉଜ୍ଜ୍ୱଳ ହେବାରେ ଲାଗିଛି। ସରକାରଙ୍କ ପକ୍ଷରୁ ବିଗତ ଦିନରେ ଏ ଦିଗରେ ଯେଉଁ ଉଦ୍ୟମ କରାଯାଇଥିଲା, ତାହା ଏବେ ଫଳ ଦେବା ଆରମ୍ଭ କରିଛି। ଏ ପର୍ଯ୍ୟନ୍ତ ଓଡ଼ିଶା କେବଳ ଖଣି ଓ ଧାତୁ ଶିଳ୍ପ ପାଇଁ ପୁଞ୍ଜିନିବେଶର ପ୍ରକୃଷ୍ଟ ସ୍ଥାନ ବୋଲି ଧରାଯାଉଥିଲା। ବର୍ତ୍ତମାନ ତାହା ବଦଳିଛି।

ଅଣ-ପାରମ୍ପରିକ କ୍ଷେତ୍ର ଯଥା ଖାଦ୍ୟ ପ୍ରକ୍ରିୟାକରଣ, ପେଟ୍ରୋକେମିକାଲ୍‍, ପ୍ଲାଷ୍ଟିକ୍‍, ଗ୍ରୀନ୍‍ ଏନର୍ଜି ଓ ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜି ଆକର୍ଷଣ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଦେଶର ବିଭିନ୍ନ ସହରରେ ଯେଉଁ ରୋଡ ସୋ’ କରାଯାଇଥିଲା, ତାହାକୁ ବାସ୍ତବତାରେ ପରିଣତ କରିବା ପାଇଁ ବ୍ୟାପକ ପଦକ୍ଷେପ ନେବା ଆରମ୍ଭ ହୋ‍ଇଛି।

ଗତବର୍ଷ ମୁମ୍ବାଇ ଓ ବାଙ୍ଗାଲୋରରେ ମେକ୍‌-ଇନ୍‌-ଓଡ଼ିଶା କନକ୍ଲେଭ୍‍ ଅନୁଷ୍ଠିତ ହୋ‍ଇଥିଲା। ଏଥିରେ ୧୨୪ଟି ପ୍ରକଳ୍ପ ପାଇଁ ୩.୬ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲା। ଏଥିମଧ୍ୟରୁ ଅଧାଅଧି ପ୍ରକଳ୍ପକୁ ସବୁଜ ସଙ୍କେତ ଦିଆସରିଛି। ଏମ୍‌ଏସ୍‌ଏମ୍‌ଇ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ପୁଞ୍ଜିନିବେଶକାରୀଙ୍କ ପାଇଁ ଏବେ ଆଉ କୌଣସି ପ୍ରତିବନ୍ଧକ ନାହିଁ। ଯେଉଁସବୁ ପ୍ରକଳ୍ପକୁ ଗ୍ରୀନ୍‍ ସିଗ୍‌ନାଲ୍‍ ଦିଆଯାଇଛି, ସେଥିରୁ ପ୍ରାୟ ୧ ଲକ୍ଷ ଲୋକ ନିଯୁକ୍ତି ପାଇପାରିବେ।

ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଗ୍ରାସିମ୍‍ ଇଣ୍ଡଷ୍ଟ୍ରି, ଆଇଟିସି, ଇଣ୍ଡୋ-ନିସିନ୍‍ ଫୁଡ୍‍, ଭାରତ ପେଟ୍ରୋଲିୟମ, ଜୟଶ୍ରୀ କେମିକାଲ୍‌ସ୍‌ ଓ ଆଦାନି ୱିଲ୍‍ମର ପ୍ରଭୃତି କମ୍ପାନୀର ପୁଞ୍ଜି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।

ମୁମ୍ବାଇ କନକ୍ଲେଭ୍‌ରେ ଓଡ଼ିଶା ସରକାରଙ୍କ ପକ୍ଷରୁ ‘ଭିଜନ୍‍ ଡକ୍ୟୁମେଣ୍ଟ ୨୦୨୫’ ପ୍ରସ୍ତୁତ କରାଯାଇଥିଲା। ଫୋକସ୍‍ ସେକ୍ଟରରେ ପୁଞ୍ଜିନିବେଶ ପାଇଁ ବଡ଼ ବଡ଼ ଶିଳ୍ପସଂସ୍ଥାକୁ ଆମନ୍ତ୍ରଣ କରାଯାଇଥିଲା। ଇଲେକ୍ଟ୍ରୋନିକ୍ସ, ମାନୁଫାକ୍‌ଚରିଂ, ଆଇଟି, ହାଣ୍ଡଲୁମ୍‍ ଓ ବାୟୋଟେକ୍ନୋଲଜି ଆଦି କ୍ଷେତ୍ରରେ ପୁଞ୍ଜିନିବେଶ ହେଲେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ଅନ୍ତତଃ ପକ୍ଷେ ୩୦ ଲକ୍ଷ ଲୋକଙ୍କୁ ରୋଜଗାର ମିଳିପାରିବ ବୋଲି ଆକଳନ କରାଯାଇଛି।

ପୂର୍ବରୁ ବିଭିନ୍ନ କମ୍ପାନୀ ସହିତ ଏମ୍‌ଓୟୁ ହୋ‍ଇଥିଲେ ହେଁ ଏଗୁଡ଼ିକ କାର୍ଯ୍ୟକାରୀ ହୋ‍ଇପାରିନଥିଲା। ସେହି କାରଣରୁ ଏବେ କାର୍ଯ୍ୟକାରିତା ଉପରେ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ଆଗାମୀ ଦିନରେ ଶିଳ୍ପ ବିଭାଗ ପକ୍ଷରୁ ଏକ ନୂଆ ଇ-ବିଜିନେସ୍‍ ପୋର୍ଟାଲ୍‍ ଆରମ୍ଭ କରାଯିବ। ଏଥିରେ ପୁଞ୍ଜିନିବେଶ ସମ୍ପର୍କିତ ସବୁ ତଥ୍ୟ ଉଲ୍ଲେଖ ରହିବ। ଆସନ୍ତା ମାସରେ ଏହି ପୋର୍ଟାଲ୍‍ ଉନ୍ମୋଚନ ହେବ ବୋଲି ଓଡ଼ିଶାଲାଇଭ୍‌କୁ ଜଣେ ଅଧିକାରୀ କହିଛନ୍ତି। ଏଥିରେ ପୁଞ୍ଜିନିବେଶ ସମ୍ପର୍କିତ ୫୦ଟି ସେବା ପାଇଁ ଅନ୍‌ଲାଇନ୍‍ ଆବେଦନ କରାଯାଇପାରିବ।

Tags: Make-in-Odisha, Make-in-Odisha Conclave, Investment in Odisha, Emerging Sector, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment