ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡେରା ସଚ୍ଚା ସୌଦାର ମୁଖ୍ୟ ରାମ ରହିମ ଓରଫ ଗୁରମିତ୍‍ ସିଂଙ୍କୁ ୨୦ ବର୍ଷ ଜେଲ୍‍ ଦଣ୍ଡ ଦିଆଯାଇଛି। ଜଣେ ସାଧ୍ୱୀଙ୍କ ସହିତ ଦୁଷ୍କର୍ମ ମାମଲାରେ ସିବିଆଇର ସ୍ୱତନ୍ତ୍ର ଅଦାଲତ ଏହି ଦଣ୍ଡ ଘୋଷଣା କରିଛନ୍ତି।

ଡେରା ସଚ୍ଚା ସୌଦାର ମୁଖ୍ୟ ରାମ ରହିମ ଓରଫ ଗୁରମିତ୍‍ ସିଂଙ୍କୁ ୨୦ ବର୍ଷ ଜେଲ୍‍ ଦଣ୍ଡ ଦିଆଯାଇଛି। ଜଣେ ସାଧ୍ୱୀଙ୍କ ସହିତ ଦୁଷ୍କର୍ମ ମାମଲାରେ ସିବିଆଇର ସ୍ୱତନ୍ତ୍ର ଅଦାଲତ ଏହି ଦଣ୍ଡ ଘୋଷଣା କରିଛନ୍ତି। ଦଣ୍ଡାଦେଶ ଶୁଣିବା ମାତ୍ରେ କୋର୍ଟରୁମ୍‍ ପରିସରରେ ରାମ ରହିମ କାନ୍ଦିବା ଆରମ୍ଭ କରିଥିଲେ ଓ ତଳେ ବସି ପଡ଼ିଥିଲେ। କୋଟି କୋଟି ଅନ୍ଧଭକ୍ତଙ୍କ ’ପିତାଜୀ’ କୁହାଯାଉଥିବା ଡେରା ମୁଖ୍ୟ ବିଚାରପତିଙ୍କ ସାମନାରେ ହାତଯୋଡ଼ି କ୍ଷମା ଭିକ୍ଷା କରିବା ଦେଖା ଯାଇଥିଲା।

ସିବିଆଇର ସ୍ୱତନ୍ତ୍ର ଜଜ୍‍ ଜଗଦୀପ ସିଂ ତାଙ୍କର ରାୟ ପଢ଼ା ଆରମ୍ଭ କରିବା ମାତ୍ରେ ରାମ ରହିମ ୭ ବର୍ଷ… ୭ ବର୍ଷ… କହିବା ଶୁଣାଯାଇଥିଲା। ଅନ୍ୟ ଅର୍ଥରେ ୨୦ ବର୍ଷ ପରିବର୍ତ୍ତେ ୭ ବର୍ଷ ଦଣ୍ଡ ପାଇଁ ସେ ନିବେଦନ କରିଥିଲେ। ହେଲେ ବିଚାରପତି ରାମ ରହିମଙ୍କର କୌଣସି ନିବେଦନକୁ କର୍ଣ୍ଣପାତ କରିନଥିଲେ ଓ ସିଧାସଳଖ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

ଦଣ୍ଡାଦେଶ ସମୟରେ ରାମ ରହିମଙ୍କ ଆଖିରେ ଲୁହ ଦେଖାଯାଇଥିଲା। ରାୟ ଶେଷ ହେବା ପରେ ସେହି ଜାଗାରେ ସେ ବସି ପଡ଼ିଥିଲେ। ପୋଲିସ କର୍ମଚାରୀମାନେ ତାଙ୍କୁ ଯେତେବେଳେ କୋର୍ଟ ବାହାରକୁ ନେବା ପାଇଁ ଆସିଲେ, ସେ ନ ଯିବା ପାଇଁ ଜିଦ୍‍ ଧରି ବସିଥିଲେ।

ରାମ ରହିମଙ୍କୁ ଆଇପିସିର ଧାରା ୩୭୬, ୫୧୧ ଓ ୫୦୬ରେ ଏହି ଦଣ୍ଡାଦେଶ ହୋ‍ଇଛି। ୨୫ ତାରିଖରେ ଡେରା ମୁଖ୍ୟଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଆଜି ଦଣ୍ଡର ପରିଣାମ ଘୋଷଣା କରାଗଲା।

ସୁରକ୍ଷା ଦୃଷ୍ଟିରୁ ରୋହତକ ଜେଲ୍‌ରେ କୋର୍ଟ ବସିଥିଲା ଓ ବିଚାରପତି ସେଠାକୁ ରାୟ ଶୁଣାଇବା ପାଇଁ ଆସିଥିଲେ। କୌଣସି ପ୍ରକାର ହିଂସାର ଯେପରି ପୁନରାବୃତ୍ତି ନ ଘଟେ ସେଥିପାଇଁ ହରିଆଣା ସରକାରଙ୍କ ପକ୍ଷରୁ ବ୍ୟାପକ ନିରାପତ୍ତା ବ୍ୟବସ୍ଥା କରାଯାଇଥିଲା। ଜେଲ୍‌ ପରିସରର ୨ କିମି ଭିତରେ କାହାକୁ ପ୍ରବେଶ କରିବାକୁ ଦିଆଯାଇନଥିଲା। ହିଂସାରେ ଲିପ୍ତ ରହିଥିବା ବ୍ୟକ୍ତିଙ୍କୁ ଦେଖିଲା ମାତ୍ରେ ହିଁ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ରୋହତକ ଜେଲ୍‌ରେ ଶୁଣାଣି ଚାଲିଥିବା ବେଳେ ଗୁରମିତ୍‍ ସିଂଙ୍କ ୩ ଜଣ ଓକିଲ ତାଙ୍କ ତରଫରୁ ଅପିଲ୍‍ କରିଥିଲେ ଯେ ରାମ ରହିମ ଜଣେ ସମାଜସେବୀ ଓ ସ୍ଥାନୀୟ ଲୋକଙ୍କ କଲ୍ୟାଣ ପାଇଁ କାମ କରୁଛନ୍ତି। ଏଣୁ ଦଣ୍ଡର ପରିମାଣ ହ୍ରାସ କରାଯାଉ। ସିବିଆଇ ପକ୍ଷରୁ ଓକିଲ ଯୁକ୍ତି କରିଥିଲେ ଯେ ଏହିଭଳି ଏକ ଘୃଣ୍ୟ ଅପରାଧୀକୁ ଅଧିକରୁ ଅଧିକ ଦଣ୍ଡ ଦିଆଯିବା ଦରକାର।

ସାଧ୍ୱୀ ବଳାତ୍କାର ମାମଲାରେ ରାମ ରହିମଙ୍କ ବିରୁଦ୍ଧରେ ମାମଲାଟି ଦୀର୍ଘ ୧୫ ବର୍ଷ ଧରି ଚାଲିଥିଲା। ତାଙ୍କ ଓକିଲ କହିଛନ୍ତି ଯେ ଏହି ରାୟ ବିରୁଦ୍ଧରେ ଉପର ଅଦାଲତରେ ଅପିଲ୍‍ କରିବେ।

Tags: Bhubaneswar News, Breaking News, CBI, Dera Sacha Sauda, Gurmeet Ram Rahim, Gurmeet Ram Rahim Singh, Hanipreet, Hanipreet Isnan, Latest News, Odisha Breaking News, Odisha News, Odisha Stories, Odisha Top Stories, Punjab, Ram Rahim, Ram Rahim Verdict, Rape Case, Top Stories

Comment