ଓଡ଼ିଶାଲାଇଭ୍‍ ବ୍ୟୁରୋ

ମା’ ମାଟିଠାରୁ ଦୂରରେ ରହିଲେ ବି ଗଣପର୍ବ ନୂଆଁଖାଇକୁ ଦୂରେଇ ଦେଇନାହାନ୍ତି ପ୍ରବାସୀ ଓଡ଼ିଆ। ପଶ୍ଚିମ ଓଡ଼ିଶାର ସୀମା ଡେଇଁ ନୂଆଁଖାଇ ଦୁବାଇ ସହରରେ ପହଞ୍ଚିଛି। ଗତ ୨୬ ତାରିଖରେ ପାଖାପାଖି ୨୦୦ରୁ ଊର୍ଦ୍ଧ୍ୱ ଓଡ଼ିଆ ଏହି ପର୍ବରେ ସାମିଲ ହୋଇଥିଲେ। ଇଣ୍ଡିଆନ କନସୋଲେଟ୍ ଦୁବାଇ ପ୍ରେକ୍ଷାଳୟରେ ଆୟୋଜିତ ଉତ୍ସବରେ ପ୍ରବାସୀ ଓଡ଼ିଆ ମାତୃଭୂମିର ସ୍ମୃତି ସାଉଁଟିଥିଲେ। ସମ୍ବଲପୁରୀ ନୃତ୍ୟ, ଗୀତରେ ନିଜକୁ ହଜାଇ ଦେଇଥିଲେ।

କେବଳ ଚଳିତ ବର୍ଷ ନୁହେଁ, ଦୀର୍ଘ ୪ ବର୍ଷ ଧରି ଦୁବାଇରେ ଏହି ଗଣପର୍ବ ପାଳନ କରାଯାଇ ଆସୁଛି। ଚଳିତ ବର୍ଷ ପ୍ରକୃତ ଲଗ୍ନ ଧାର୍ଯ୍ୟ ଦିନ ହିଁ ଏଠାରେ ନୂଆଁଖାଇ ପାଳନ କରାଯାଇଥିଲା। ଏହି ଉତ୍ସବରେ ପ୍ରେମଚାନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ନୂଆଁଖାଇ ଭେଟଘାଟ୍’ ଶୁଭାରମ୍ଭ କରିଥିଲେ। ଏହି ଉତ୍ସବରେ ସମ୍ବଲପୁରୀ ନୃତ୍ୟ, ଗୀତ ଏବଂ ଏକାଙ୍କିକା ପରିବେଷଣ କରାଯାଇଥିଲା। ୬୦ରୁ ଊର୍ଦ୍ଧ୍ୱ କଳାକାରମାନେ ଏଥିରେ ଭାଗ ନେଇ ନିଜ ଅନ୍ତର୍ନିହିତ କଳା ପ୍ରତିପାଦନ କରିଥିଲେ।

ସମ୍ବଲପୁରୀ ଖାଦ୍ୟ, ବସ୍ତ୍ରର ଝଲକ ଦୁବାଇରେ ଆୟୋଜିତ ନୂଆଁଖାଇ ପର୍ବରେ ଦେଶୀ ଖାଦ୍ୟର ମଜା ନେଇଥିଲେ ପ୍ରବାସୀ ଓଡ଼ିଆ। ଏହି ଅବସରରେ ମଣ୍ଡା ପିଠା, ପଣା, ଆମ୍ବିଲ ଆଦି ପ୍ରସ୍ତୁତ କରାଯାଇଥିଲା। ଭେଦଭାବ ଭୁଲି ସମସ୍ତେ ଏକାଠି ଚଟାଣରେ ବସି ଏହି ଦେଶୀ ଏବଂ ନିଆରା ଖାଦ୍ୟର ମଜା ନେଇଥିଲେ।

ଏହି ପର୍ବ ପାଇଁ ପୂର୍ବରୁ ଓଡ଼ିଶାରୁ ଖଲିପତ୍ର, ତିଆସିଚଣା, କରଡି, ହେଣ୍ଡୁଆ ଆଦି ସଂଗ୍ରହ କରାଯାଇଥିଲା। ଏହାସହ ପିଲାମାନଙ୍କ ମଧ୍ୟରେ ଫ୍ୟାନ୍‌ସି ଡ୍ରେସ୍, ଚିତ୍ରାଙ୍କନ, ରଚନା ଆଦି ପ୍ରତିଯୋଗିତା କରାଯାଇଥିଲା। ଏହି ନିଆରା ପ୍ରତିଯୋଗିତା ବେଶ୍ ପ୍ରଶଂସାଯୋଗ୍ୟ ହୋଇଥିଲା। ଗୃହିଣୀମାନେ ସମ୍ବଲପୁରୀ ବସ୍ତ୍ର ପିନ୍ଧି ଫ୍ୟାସନ ସୋରେ ଆସିବା ଉତ୍ସବକୁ ଆହୁରି ଚିତ୍ତାକର୍ଷକ କରିଦେଇଥିଲା ।

ଖାଲି ସେତିକି ନୁହେଁ, ଏହି ଅବସରରେ ଏକ ବାର୍ଷିକ କ୍ୟାଲେଣ୍ଡର ଉନ୍ମୋଚନ କରାଯାଇଥିଲା। ଏଥିରେ ପଶ୍ଚିମ-ଓଡ଼ିଶାର ବିଶିଷ୍ଟ ବ୍ୟକ୍ତି, କବି, ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀଙ୍କ ପଟ୍ଟଚିତ୍ର ବହନ କରିଥିଲା। ସମ୍ବଲପୁରୀ କବିତା ସଙ୍କଳନ ‘ମାଟିର ସୁରତା’ ମଧ୍ୟ ଉନ୍ମୋଚନ କରାଯାଇଥିଲା। କେତେକ ବ୍ୟକ୍ତି ସ୍ୱରଚିତ କବିତା ପାଠ କରିଥିଲେ। ଏହା ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

ଦୁବାଇରେ ବସବାସ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଏବଂ ଭାଇଚାରା ବଜାୟ ରଖିବା ଉଦ୍ଦେଶ୍ୟରେ ଏହି ପର୍ବ ପାଳନ କରାଯାଇଆସୁଛି। ପ୍ରାୟ ଦୁଇମାସ ପୂର୍ବରୁ ଏହି ପର୍ବ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଏହି ଉତ୍ସବରେ ବିଭିନ୍ନ ଭାଷାଭାଷୀ ଲୋକେ ସାମିଲ ହୋଇଥିଲେ।

Tags: Nuakhai Bhetghat, Nuakhai Bhetghat in UAE, Nuakhai Bhetghat in Dubai, Matira Surataa, Western Odiaha, Nuakhai, Nuakhai 2017, NRI in UAE, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment