ପ୍ରସିଦ୍ଧ ବଙ୍ଗଳା କବି ତଥା ସଙ୍ଗୀତଜ୍ଞ କାଜି ନଜରୁଲ ଇସଲାମ୍‌‍ଙ୍କ ଶ୍ରାଦ୍ଧବାର୍ଷିକୀ ସେପ୍ଟେମ୍ବର ୨୯ ଅବସରରେ ତାଙ୍କର କାଳଜୟୀ ରଚନା ଉପରେ ଆଧାରିତ ଓଡ଼ିଆ ଆଲବମ୍ ‘ନଜରୁଲ୍ ଗୀତି’ ଡିଜିଟାଲ୍ ମିଡିଆରେ ମୁକ୍ତିଲାଭ କରିଛି। ଲୋକପ୍ରିୟ କଣ୍ଠଶିଳ୍ପୀ ନମ୍ରତା ମହାନ୍ତିଙ୍କ ଦ୍ୱାରା ପ୍ରସ୍ତୁତ ଏହି ଆଲବମକୁ ଓଡ଼ିଆ ୱେବ୍ ଚ୍ୟାନେଲ୍ ‘ଓଡିଶାଲାଇଭ୍’ ପକ୍ଷରୁ ଇଂଟରନେଟ୍ ମାଧ୍ୟମରେ ପ୍ରସାରଣ କରାଯାଇଛି।

ଏହି ଆଲବମରେ ରହିଥିବା ୧୧ଟି ଗୀତରେ କଣ୍ଠଦାନ କରିଛନ୍ତି ଗାୟିକା ନମ୍ରତା ମହାନ୍ତି। କବି ନଜରୁଲ ଇସଲାମଙ୍କ ମୂଳ କୃତୀରୁ ଓଡ଼ିଆ ଅନୁବାଦ କରିଛନ୍ତି ଗୀତିକାର ଓ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ। ‘ନଜରୁଲ୍ ଗୀତି’ର ସୁମଧୁର ତଥା ହୃଦୟସ୍ପର୍ଶୀ ଗୀତଗୁଡ଼ିକର ସଙ୍ଗୀତ ପରିଚାଳନା କରିଛନ୍ତି ନିତ୍ୟ ଶ୍ରୀନିରଞ୍ଜନ।
ଏହି ଡିଜିଟାଲ୍ ପ୍ରସାରଣ ଅବସରରେ ଗାୟିକା ନମ୍ରତା ମହାନ୍ତି କହିଛନ୍ତି,”କାଜି ନଜରୁଲଙ୍କ ଲେଖାରେ ଏକ ସ୍ୱତନ୍ତ୍ରତା ରହିଛି। ତାଙ୍କ ରଚନା ମୋତେ ଭଲ ଲାଗିବାରୁ ମୁଁ ଏହି ଗୀତଗୁଡିକୁ ଗାଇବା ପାଇଁ ଇଚ୍ଛା ପ୍ରକାଶ କଲି। ଏହି ଆଲବମରେ ବହୁ ସୁମଧୁର ସଙ୍ଗୀତ ରହିଛି ଯାହା ଦର୍ଶକଙ୍କୁ ବାନ୍ଧି ରଖିପାରିବ ।” ଓଡ଼ିଶାଲାଇଭ୍ ପକ୍ଷରୁ ଏଗୁଡ଼ିକୁ ଇଂଟରନେଟ୍ ମାଧ୍ୟମରେ ଉପସ୍ଥାପନ କରାଯାଇଥିବାରୁ ଏହା ପୃଥିବୀର କୋଣ ଅନୁକୋଣରେ ଥିବା ଓଡ଼ିଆ ସଂଗୀତପ୍ରେମୀ ବିଶେଷକରି ନଜରୁଲ୍-ମନସ୍କ ଶ୍ରୋତାଙ୍କୁ ନିଶ୍ଚୟ ଆକର୍ଷିତ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।
ଗୀତିକାର ସ୍ୱରୂପ ନାୟକ କହିଛନ୍ତି, “ନଜରୁଲ ହେଉଛନ୍ତି ଜଣେ ଉଚ୍ଚକୋଟୀର କବି, ସଙ୍ଗୀତକାର ଏବଂ ସ୍ୱରକାର। ତାଙ୍କ ମୂଳ ରଚନାକୁ ମୁଁ ଓଡ଼ିଆରେ ଅନୁବାଦ କରିବା ପାଇଁ ଧ୍ରୁଷ୍ଟତା କରିଛି। ଏହି ଗୀତଗୁଡିକୁ ପ୍ରସିଦ୍ଧ ଗାୟିକା ନମ୍ରତା ମହାନ୍ତି ମଧ୍ୟ ବେଶ୍ ଆବେଗମୟ ଭାବେ ଗାଇଥିବାରୁ ଏହା ଶ୍ରୋତାଙ୍କ ମନକୁ ଛୁଇଁବ ।”
ଏହି ଡିଜିଟାଲ ରିଲିଜ ଅବସରରେ ଓଡିଶାଲାଇଭର ପ୍ରତିଷ୍ଠାତା ସମ୍ପାଦକ ଓ ସିଇଓ ନୀଳାମ୍ବର ରଥ ଗାୟିକା ନମ୍ରତା ମହାନ୍ତି ତଥା ‘ନଜରୁଲ୍ ଗୀତି’ର ପ୍ରଡକ୍ସନ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, “ଓଡ଼ିଶାଲାଇଭ୍ ପକ୍ଷରୁ ଆମେ ସବୁବେଳେ ସ୍ଥାନୀୟ କଳାକାରମାନଙ୍କୁ ପ୍ରୋତ୍ସାହିତ କରିଆସୁଛୁ। ବିଶେଷକରି ଭଲ ଓଡ଼ିଆ ଗୀତକୁ ଡିଜିଟାଲ୍ ମିଡିଆ ମାଧ୍ୟମରେ ଅଧିକ ଲୋକଙ୍କ ପାଖରେ ପହଂଚାଇବା ଆମ ଚ୍ୟାନେଲର ଲକ୍ଷ୍ୟ ।’’ ନଜରୁଲଙ୍କୁ ଏହି ଗୀତଗୁଡ଼ିକ ଇଂଟରନେଟ୍ ଏବଂ ମୋବାଇଲ୍ ମିଡିଆ ମାଧ୍ୟମରେ ଏକ ବ୍ୟାପକ ଶ୍ରୋତା ମହଲରେ ପହଂଚି ପାରିବ ବୋଲି ସେ ଆଶାପ୍ରକାଶ କରିଛନ୍ତି।
ଏହି ଅଡିଓ ଟ୍ରାକ୍ ଏବେ ଓଡ଼ିଶାଲାଇଭର ୱେବ୍ ଏବଂ ସୋସିଆଲ୍ ମିଡିଆ ପ୍ଲାଟଫର୍ମ www.youtube.com/odishalive ଓ www.odisha.live ମାଧ୍ୟମରେ ଉପଲବ୍ଧ ରହିଛି। ‘ଓଡିଶାଲାଇଭ୍’ ଏକ ପ୍ରିମିୟମ୍ ମିଡିଆ କମ୍ପାନି ଭାବେ ବହୁ ଲୋକପ୍ରିୟ ସର୍ଜନାର ଗ୍ଲୋବାଲ ଡିଜିଟାଲ ଉନ୍ମୋଚନ କରିଆସୁଛି।
କାଜି ନଜରୁଲ୍ ଇସଲାମଙ୍କ ସମ୍ପର୍କରେ:
ବାଙ୍ଗଲାଦେଶର ଜାତୀୟ କବିର ମାନ୍ୟତା ପାଇଥିଲେ କାଜି ନଜରୁଲ ଇସ୍ଲାମ୍। ତାଙ୍କ ରଚିତ କବିତା ଏବଂ ସଙ୍ଗୀତ ଉଭୟ ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶରେ ବେଶ୍ ଆଦୃତ ହୋଇପାରିଛି। ମଣିଷ ଉପରେ ମଣିଷର ଅତ୍ୟାଚାର ଏବଂ ସାମାଜିକ ଅନ୍ୟାୟ ତଥା ଶୋଷଣ ବିରୋଧରେ ନଜରୁଲ୍ କବିତା ମାଧ୍ୟମରେ ସ୍ୱର ଉତ୍ତୋଳନ କରି ସାହିତ୍ୟକୁ ଏକ ସାମାଜିକ ସଂଗ୍ରାମର ଅସ୍ତ୍ର ରୂପେ ତିଆରି କରିଥିଲେ।
ପଶ୍ଚିମବଙ୍ଗର ବର୍ତ୍ତମାନ ପଶ୍ଚିମ ବର୍ଦ୍ଧମାନ ଜିଲାର ଆସନସୋଲ ନିକଟସ୍ଥ ଚୁରୁଲିଆ ଗ୍ରାମର ଏକ ଗରିବ ମୁସଲିମ୍ ପରିବାରରେ ୧୮୯୯ ମସିହା ମେ’ ୨୪ରେ ନଜରୁଲ ଜନ୍ମ ଗ୍ରହଣ କରିଥିଲେ। ଜୀବନକାଳରେ ସେ ୩୦୦୦ରୁ ଊର୍ଦ୍ଧ୍ୱ ଗୀତ ରଚନା କରିବା ସହ ଅଧିକାଂଶ ଗୀତର ସ୍ୱର ସଂଯୋଜନା ମଧ୍ୟ କରିଥିଲେ। ତାଙ୍କ ଅନବଦ୍ୟ କୃତୀ ‘ନଜରୁଲ ଗୀତି’ ନାମରେ ବେଶ୍ ଜଣାଶୁଣା। ବାଙ୍ଗଲାଦେଶ ସରକାରଙ୍କ ନିମନ୍ତ୍ରଣକ୍ରମେ ସେ ପରିବାର ସହ ୧୯୭୨ରେ ଢାକା ଯାଇଥିଲେ। ସେହି ସମୟରେ ତାଙ୍କୁ ବାଙ୍ଗଲାଦେଶର ନାଗରିକତା ପ୍ରଦାନ କରାଯାଇଥିଲା। ୧୯୭୬ ଅଗଷ୍ଟ ୨୯ରେ ତାଙ୍କର ମୃତ୍ୟୁ ଘଟିଥିଲା।
Tags: Nazrul Geeti, OdishaLIVE, Kazi Nazrul Islam, Nazrul Islam, Namrata Mohanty, Nilambar Rath, Odia Album, Odia Song, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment