ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୨ ମସିହାରେ ହରିଆଣାରେ ଜଣେ ବ୍ୟକ୍ତି, ରାମରହିମଙ୍କ ରୋଜଗାର ସଂପର୍କରେ ଜାଣିବା ପାଇଁ ସୂଚନା ଅଧିକାର ଆଇନ ବଳରେ ରାଜ୍ୟ ସରକାରଙ୍କୁ ତଥ୍ୟ ମାଗିଥିଲେ। ଡେରା ମୁଖ୍ୟ ରାମରହିମଙ୍କ ଦୈନିକ ରୋଜଗାର ୧୨ ଲକ୍ଷ ଟଙ୍କା ବୋଲି ଦର୍ଶାଯାଇଥିଲା। ହେଲେ ବେସରକାରୀ ଭାବେ ଏହା ଥିଲା ବହୁତ ଅଧିକ। କିନ୍ତୁ ଏବେ ସେ ଦୈନିକ ମଜୁରି ବାବଦରେ ପାଇବେ ମାତ୍ର ୪୦ ଟଙ୍କା।
ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ରୋହତକ ସୋନାରିଆ ଜେଲରେ ସଜା​‌ କାଟୁଛନ୍ତି ରାମରହିମ। ତାଙ୍କୁ ୨୦ ବର୍ଷ ସଶ୍ରମ କାରଦଣ୍ଡର ଆଦେଶ ଦେଇଛନ୍ତି କୋର୍ଟ।
ହୁଏତ ହଜାର ହଜାର ଭକ୍ତଙ୍କୁ ଭୂଆଁ ବୁଲାଇ ରାଜକୀୟ ଜୀବନ ବିତାଉଥିବା ରାମରହିମ କେବେ ବି ଭାବିନଥିବେ ତାଙ୍କୁ ଏଭଳି ଦିନ କାଟିବାକୁ ପଡ଼ିବ। ନିଜକୁ ଭଗବାନ ବୋଲି ଲୋକଙ୍କ ଆଗରେ ଅଭିନୟ କରୁ କରୁ ହୁଏତ ସେ ନିଜକୁ ଭଗବାନ ମଣି ଧରାକୁ ସରା ମନେ କରିଥିବେ।
ହେଲେ ଏ ଦେଶର ଆଇନ ବାହୁବଳୀ ବାବାଙ୍କ କୁକର୍ମ ଲାଗି ସଜା ଶୁଣାଇବା ପରେ ତଥାକଥିତ ବାବା ରାମରହିମଙ୍କ ମୁଣ୍ଡରୁ ଭଗବାନ ହେବା ଭୂତ ଓହ୍ଲାଇଯାଇଛି। ଜେଲ ଭିତରେ ଅନୁତାପ କରିବା ଛଡ଼ା ତାଙ୍କ ନିକଟରେ ଆଉ କିଛି ରାସ୍ତା ନାହିଁ।
୨୮ ତାରିଖ ଦିନ ସିବିଆଇ ଜଜ୍ ଜଗଦୀପ ସିଂହ ଦଣ୍ଡାଦେଶ ଶୁଣାଇବା ପରେ ରାମରହିମ କାନ୍ଦି କାନ୍ଦି କ୍ଷମା ମାଗିଥିଲେ। ଦଣ୍ଡ କୋହଳ କରିବା ପାଇଁ କାକୁତି ମିନତି କରିଥିଲେ। ଜଙ୍ଗଲ ପଶୁ ଭଳି ତମର କର୍ମ ଥିଲା କହି କଡ଼ା ଦଣ୍ଡାଦେଶ ଶୁଣାଇଥିଲେ ଜଜ୍।
ସଜା ହେବା ପରେ କାନ୍ଦି କାନ୍ଦି ଆଣ୍ଠେଇ ପଡି କ୍ଷମା ମାଗିଥିଲେ। ଜେଲ ଯିବାକୁ ରାଜି ହୋଇନଥିଲେ। ଶେଷରେ ସୁରକ୍ଷାକର୍ମୀ ଘୋଷାଡ଼ି ଘୋଷାଡ଼ି ଜେଲକୁ ନେଇଥିଲେ। ସେଠାରେ ତାଙ୍କ କଏଦୀ ପୋଷାକ ପିନ୍ଧାଯାଇଥିଲା। ପୂର୍ବରୁ ତାଙ୍କର ନମ୍ବର ଥିଲା ୧୯୯୭, ହେଲେ ତାକୁ ବଦଳା ଯାଇଥିଲା। ଏବେ ତାଙ୍କର ନୂଆ ପରିଚୟ ହେଉଛି କଏଦୀ ନମ୍ବର ୮୬୪୭।
ଏହାପରେ ଆରମ୍ଭ ହୋଇଥିଲା ଭଣ୍ଡବାବାଙ୍କ ଜେଲ ଜୀବନ। ଯାହାଙ୍କ ପଛରେ ୬ କୋଟି ଲୋକ ଠିଆ ହେଉଥିଲେ, ଯିଏ ଅତି ବିଳାସପୂର୍ଣ୍ଣ ଜୀବନ କାଟୁଥିଲା, ସେ ପୂରା ଏକୁଟିଆ ହୋଇଯାଇଥିଲେ।
୭୦୦ ଏକରରେ ଆଶ୍ରମରେ ରହୁଥିବା ବ୍ୟକ୍ତିଙ୍କୁ ମିଳିଥିଲା ୧୦ ଲମ୍ବ ଓ ୧୦ ଫୁଟ ଓସାରର ଜେଲ କୋଠରୀ। ଆଇନ ଶୃଙ୍ଖଳା ଦୃଷ୍ଟିରୁ ଜେଲ ବାରାକରେ ତାଙ୍କୁ ରଖାନଯାଇ ସ୍ୱତନ୍ତ୍ର ସେଲରେ ରଖାଯାଇଛି। ଏବେ ଭକ୍ତ ନୁହେଁ, ତାଙ୍କୁ ରହିବାକୁ ପଡୁଛି ହତ୍ୟା, ଦୁଷ୍କର୍ମ ଓ ଡକାୟତି କରିଥିବା ଅପରାଧୀଙ୍କ ସହ। ୮ ଜଣ ଗାଙ୍ଗଷ୍ଟରଙ୍କ ସମେତ ବଡ ବଡ ୫୦ ଜଣ ହାର୍ଡକୋର କ୍ରିମିନାଲଙ୍କ ସହ ଦିନ କାଟୁଛନ୍ତି ରାମରହିମ।
୨୮ ତାରିଖ ରାତିରେ ଜେଲରେ ରାମରହିମଙ୍କୁ ୪ଟି ରୁଟି, ଡାଲି ଓ ତରକାରୀ ଦିଆଯାଇଥିଲା। ହେଲେ ଖାଇବାକୁ ଆଗ୍ରହ ପ୍ରକାଶ କରିନଥିଲେ ସେ। ଗୋଟିଏ ରୁଟିରୁ ଫାଳେ ଖାଇଥିଲେ। ପରେ କିଛି କ୍ଷୀର ମାଗି ପିଇଥିବା ଜଣାପଡ଼ିଛି। ହେଲେ ପରଦିନ ଏପରି ନଖରାମୀ ଶୁଣାଯିବନି ବୋଲି ତାଙ୍କୁ ମୁହେଁ ମୁହେଁ ଶୁଣାଇ ଦେଇଛନ୍ତି ଜେଲ କର୍ତ୍ତୃପକ୍ଷ। ଏହି କଥା ଶୁଣି ସେ ଆହୁରି ଡରି ଯାଇଥିବା ଜଣାପଡିଥିଲା।
ଲୋକଙ୍କ ଆଡ଼କୁ ଆଶିର୍ବାଦ ମୁଦ୍ରାରେ ହାତ ଦେଖାଇ ଅଭୟ ବାଣୀ ଶୁଣାଉଥିବା ରାମରହିମଙ୍କୁ ଜେଲଦଣ୍ଡ ହେବା ପରେ ଅତ୍ୟନ୍ତ ଭୟଭୀତ ହୋଇପଡ଼ିଥିଲେ। ସେହି ଛୋଟିଆ କୋଠରୀରେ ଅତିମାତ୍ରାରେ ବିଚଳିତ ହୋଇପଡି ଏପଟ ସେପଟେ ହେଉଥିବା ଦେଖିବାକୁ ମିଳିଥିଲା। ମନେ ମନେ କିଛି ଗୁଣୁଗୁଣୁ ହେଉଥିଲେ ଏବଂ କାହାରି ସାଙ୍ଗରେ କିଛି ବି କଥା ହେଉନଥିଲେ।
ମଙ୍ଗଳବାର ସକାଳ। ଅଳ୍ପ କିଛି କ୍ଷୀର ପିଇବା ପରେ ଦିନ ଆରମ୍ଭ ହୋଇଥିଲା ତାଙ୍କର। ରାମରହିମଙ୍କ ଜେଲ ଜୀବନର ଅସଲ ସଜା ଆରମ୍ଭ ହୋଇଥିଲା। କାରଣ ସଶ୍ରମ କାରାଦଣ୍ଡାଦେଶ ହୋଇଥିବାରୁ ଜେଲରେ କାମ କରିବାକୁ ସେ ବାଧ୍ୟ। ଅପରାଧୀଙ୍କ ପୃଷ୍ଠଭୂମି ଦେଖି ତାଙ୍କୁ ମାଳି କାର୍ଯ୍ୟ କରିବାକୁ ଦିଆଯାଇଛି। ଦିନକୁ ୮ ଘଣ୍ଟା ଖଟିଲେ ୪୦ ଟଙ୍କା ମଜୁରି ଦିଆଯିବ।
ଆଉ ଜେଲ କର୍ମଚାରୀ ତାଙ୍କ ପାଖକୁ ଖାଦ୍ୟ ନେଇକି ଯିବେ ନାହିଁ, ତାଙ୍କୁ ଥାଳି ଧରି ଲାଇନରେ ଆସି ଖାଦ୍ୟ ସଂଗ୍ରହ କରିବାକୁ ପଡିବ। ଜେଲରେ ଯେତିକି ଦିନ କଟିବ, ନିଜ ଅପକର୍ମ ପାଇଁ ରାମରହିମଙ୍କ ଅନୁତାପ ସେତିକି ବଢୁଥିବ।
ସେପଟେ ସିରସାରେ ଥିବା ଡେରା ଆଶ୍ରମରେ ପୁଲିସ ଯାଞ୍ଚ ଆରମ୍ଭ କରିଛି। ଆଶ୍ରମ ଭିତରେ ଥିବା ସ୍କୁଲରେ ପଢୁଥିବା ପ୍ରାୟ ୧୮ ଜଣ ଅନାଥ ନାବାଳିକାଙ୍କୁ ଉଦ୍ଧାର କରାଯାଇ ସେମାନଙ୍କ ଡାକ୍ତରୀମାଇନା କରାଯାଇଛି।
ଆଶ୍ରମ ଭିତରେ ଥିବା ଡେରା ଅନୁଗାମୀଙ୍କୁ ବୁଝାଇ ସୁଝାଇ ସେମାନଙ୍କ ଘରକୁ ଫେରାଇ ଦିଆଯାଉଛି। ତେବେ ଶହ ଶହ ଡେରା ସମର୍ଥକ ଆଶ୍ରମ ଛାଡି ଯିବାକୁ ଇଚ୍ଛା ପ୍ରକାଶ କରୁନଥିବା ଜଣାପଡିଛି।
ସେହିପରି କିଏ ଡେରା ସାମ୍ରାଜ୍ୟର ପରବର୍ତ୍ତୀ ମୁଖ୍ୟ ହେବ, ସେ ନେଇ ମଧ୍ୟ ପ୍ରଭାବଶାଳୀ ଭକ୍ତ ଓ ରାମରହିମଙ୍କ ପରିବାର ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଗଲାଣି।
ରାଜସ୍ଥାନରେ ରହୁଥିବା ରାମରହିମଙ୍କ ମାଆ ନସିବ କୌର ଓ ପତ୍ନୀ ହରଜିତ୍ କୌର ସିରସା ଆଶ୍ରମରେ ପହଞ୍ଚିଛନ୍ତି। ଏହି ଦୁଇ ଜଣ ରାମରହିମଙ୍କ ପୁଅ ଜସମିତ ସିଂହ ଇନସାନଙ୍କୁ ପରବର୍ତ୍ତି ମୁଖ୍ୟ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି।
ପୂର୍ବରୁ ବଳାତ୍କାର ମାମଲାର ଶୁଣାଣି ଆରମ୍ଭ ବେଳେ ଅର୍ଥାତ୍‍ ୨୦୦୭ରେ ରାମରହିମ ନିଜେ ଜଗମିତଙ୍କୁ ଉତ୍ତାରାଧିକାରୀ ଘୋଷଣା କରିଥିବା ଯୁକ୍ତି ବାଢିଛନ୍ତି ନସିବ କୌର। ତେବେ ଏହାକୁ ଡେରାର କିଛି ବରିଷ୍ଠ ସଦସ୍ୟ ବିରୋଧ କରିଛନ୍ତି। କାରଣ ନିଜ ସନ୍ତାନଙ୍କୁ ଡେରା ସଚ୍ଚା ସୌଦାର ମୁଖ୍ୟ ପଦବୀରେ ବସାଇବା ଲାଗି ବାରଣ ଥିବା ସେମାନେ କହିଛନ୍ତି।
ସେପଟେ ରାମରହିମଙ୍କ ପାଳିତ ଝିଅ ହନିପ୍ରୀତ ଇନସାନ ଓ ଡେରା ସଂଗଠନର ଅଧ୍ୟକ୍ଷ ଭାବେ ଦାୟିତ୍ଵ ତୁଲାଉଥିବା ବିପାସନା ଇନସାନଙ୍କ ସପକ୍ଷରେ କିଛି ମତପ୍ରକାଶ ପାଇଛି। ଏପରିକି ଡେରାର ମୁଖପାତ୍ର ଆଦିତ୍ୟ ଇନସାନ, ଯାହାଙ୍କ ନାଁରେ ଦଙ୍ଗାକୁ ଉସକାଇବା ଅଭିଯୋଗରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି, ତାଙ୍କ ସପକ୍ଷରେ ମଧ୍ୟ ଚର୍ଚ୍ଚା ହେଉଛି। ଯାହା ଜଣାପଡୁଛି, ଡେରାର ବିଶାଳ ସଂପତ୍ତିକୁ କିଏ ପରିଚାଳନା କରିବ, ଏହାକୁ ନେଇ ଆଗକୁ ଆଉ ଏକ ବଡ଼ ବିବାଦ ଦେଖାଦେଇପାରେ।
Tags: Bhubaneswar News, Breaking News, CBI, Dera Sacha Sauda, Gurmeet Ram Rahim, Gurmeet Ram Rahim Singh, Hanipreet, Hanipreet Isnan, Latest News, Odisha Breaking News, Odisha News, Odisha Stories, Odisha Top Stories, Punjab, Ram Rahim, Ram Rahim Verdict, Rape Case, Top Stories

LEAVE A REPLY

Please enter your comment!
Please enter your name here