ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତରପ୍ରଦେଶର ଗୋରଖପୁରସ୍ଥିତ ବିଆରଡି ମେଡିକାଲ କଲେଜ ଓ ହସ୍ପିଟାଲରେ ଶିଶୁ ମୃତ୍ୟୁ ଥମିବାର ନାଁ ଧରୁନି। ଗତ ୭୨ ଘଣ୍ଟା ମଧ୍ୟରେ ୬୧ ଶିଶୁଙ୍କ ମୃତ୍ୟୁ ଘଟିଛି। ଏନସେଫାଲାଇଟିସ ୱାର୍ଡରେ ୧୧ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଏନଆଇସିୟୁରେ ୨୫ ଓ ଶିଶୁ ୱାର୍ଡରେ ୨୫ ଜଣଙ୍କ ମୃତ୍ୟୁ ଘଟିଛି। ଏନସେଫାଲାଇଟିସ୍, ନିମୋନିଆ, ସେପ୍ସିସ ଭଳି ରୋଗରେ ଏହିସବୁ ଶିଶୁଙ୍କ ମୃତ୍ୟୁ ଘଟୁଥିବା ମେଡିକାଲ ସୂତ୍ରରୁ ଜଣାପଡିଛି। ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଶିଶୁଙ୍କୁ ମେଡିକାଲକୁ ଅଣାଯାଉଥିବାରୁ ସେମାନଙ୍କୁ ବଞ୍ଚାଇବା ସମ୍ଭବ ହେଉନି ବୋଲି ଡାକ୍ତର କହିଛନ୍ତି।
ଚଳିତ ମାସ ଆରମ୍ଭରୁ ଏହି ମେଡିକାଲ କଲେଜରେ ୬୦ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଅକ୍ସିଜେନ୍ ଅଭାବରୁ ଅଧିକାଂଶ ଶିଶୁଙ୍କ ମୃତ୍ୟୁ ଘଟିଥିବା କୁହାଯାଇଥିଲା। ଏହି ଘଟଣାରେ ୯ ଜଣଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଘର ଗୋରଖପୁରରେ। ବିଆର୍‌ଡି ମେଡିକାଲ କଲେଜ ଏ ଅଞ୍ଚଳର ସବୁଠୁ ବଡ ହସ୍ପିଟାଲ ଭାବେ ପରିଗଣିତ ହେଉଛି। ଏହି ମେଡିକାଲ ଉପରେ ପୂର୍ବାଞ୍ଚଳ ଉତ୍ତରପ୍ରଦେଶ, ନେପାଳ ଏବଂ ବିହାରର ବହୁ ରୋଗୀ ନିର୍ଭର କରିଥାନ୍ତି। ପ୍ରବଳ ବର୍ଷା ଏବଂ ବନ୍ୟା ଯୋଗୁ ଶିଶୁ ମଡକ ବୃଦ୍ଧି ପାଉଥିବା ମେଡିକାଲ ସୂତ୍ରରୁ ଜଣାପଡିଛି।
ହସ୍ପିଟାଲ ରେକର୍ଡ ଅନୁଯାୟୀ, ଚଳିତ ବର୍ଷ ୧,୨୫୦ ଶିଶୁଙ୍କ ମୃତ୍ୟୁ ଘଟିଲାଣି। ଏନସେଫାଲାଇଟିସ୍ ଏବଂ ନବଜାତ ୱାର୍ଡରେ ଅଧିକ ସଂଖ୍ୟକ ଶିଶୁଙ୍କ ମୃତ୍ୟୁ ଘଟିଛି। ଏହି ମେଡିକାଲରେ ଶିଶୁ ରୋଗୀଙ୍କ ପାଇଁ ଆବଶ୍ୟକୀୟ ସୁବିଧା ସୁଯୋଗ ନ ଥିବାରୁ ବହୁ ଶିଶୁ ପ୍ରାଣ ହରାଉଥିବା ଅନେକ ଲୋକ କହିଛନ୍ତି।

Tags: Gorakhapur Tragedy, Gorakhapur, BRD Medical College, Jogi Adityanatha, Baba Raghav Das Medical College, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment