ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୬ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୦୦ ଓ ୧୦୦୦ ଟଙ୍କା ନୋଟ୍ ଅଚଳ କରି ଦେଇଥିଲେ। ଏହାଦ୍ୱାରା ବିଦେଶରେ ଏବଂ ଦେଶ ଭିତରେ  ଗଚ୍ଛିତ କଳା ଟଙ୍କା ସରକାରଙ୍କ ପାଖକୁ ଫେରି ଆସିବ ବୋଲି କୁହାଗଲା। ମାତ୍ର ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟରୁ ଜଣାପଡିଛି ଯେ, ପ୍ରାୟ ୮ କୋଟି ୯୦ ଲକ୍ଷ ଖଣ୍ଡ ହଜାରେ ଟଙ୍କିଆ ନୋଟ୍ ଆରବିଆଇ ପାଖରେ ପହଞ୍ଚି ନାହିଁ। ୯୮.୭ ପ୍ରତିଶତ ହଜାରେ ଟଙ୍କିଆ ଫେରିଥିବା ବେଳେ ମାତ୍ର ୧.୩ ପ୍ରତିଶତ ନୋଟ୍ ଫେରିନାହିଁ। ଆରବିଆଇର ହିସାବ ଅନୁସାରେ ୮୯୦୦ କୋଟି ହେଉଛି କଳା ଟଙ୍କା।
ସାରା ଦେଶର ବିଭିନ୍ନ ବ୍ୟାଙ୍କରେ ଜମା ହୋଇ ରହିଥିବା ଏହି ଅଚଳ ନୋଟର ହିସାବ ଦେବା ପାଇଁ ସରକାର ଉପରେ ଚାପ ରହିଥିଲା। ହେଲେ ସରକାର ତଥ୍ୟ ଦେବାକୁ ରାଜି ହେଉ ନ ଥିଲେ। ବହୁ ବାବବିବାଦ ପରେ ଆରବିଆଇ ଯେଉଁ ତଥ୍ୟ ଦେଇଛି ସେଥିରେ ପ୍ରଚୁର କଳାଟଙ୍କା ଫେରି ନଥିବା ଜଣାପଡିଛି।
ମୋଦି ହଠାତ୍ ଅପ୍ରତ୍ୟାଶିତ ଭାବେ ଦୁଇଟି ବଡ଼ ନୋଟ୍ ଅଚଳ କରି ଦେଇଥିଲେ। ଏହାକୁ ନେଇ ସମଗ୍ର ଦେଶବାସୀ ଅକଥନୀୟ ଦୁର୍ଦ୍ଦଶା ଭୋଗିଥିଲେ। ଅଚଳ ନୋଟ୍ ବଦଳାଇବା ପାଇଁ ଲୋକେ ବ୍ୟାଙ୍କରେ ଧାଡ଼ି ବାନ୍ଧି ଛିଡ଼ା ହୋଇଥିଲେ। ଏଟିଏମରେ ମଧ୍ୟ ପର୍ଯ୍ୟାପ୍ତ ନୂଆ ଟଙ୍କା ଉପଲବ୍ଧ ନ ହେବାରୁ ବହୁ ଗରିବ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକେ ହଇରାଣ ହୋଇଥିଲେ। ବ୍ୟାଙ୍କ କର୍ମଚାରୀ ମଧ୍ୟ ଅଧିକ ଚାପରେ ରହିଥିଲେ। ଫଳରେ ୧୧ ଜଣ ବ୍ୟାଙ୍କ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ନୋଟ୍ ଅଚଳ ଯୋଗୁ ଦେଶର ବିଭିନ୍ନ ସ୍ଥାନରେ ୬୦ରୁ ୬୫ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା। ତଥାପି ଯେଉଁ ମହତ ଉଦ୍ଦେଶ୍ୟ ରଖି ନୋଟ ଅଚଳ କରାଯାଇଛି ବୋଲି କୁହାଯାଉଥିଲା ତାହା ଫଳପ୍ରଦ ହୋଇ ନ ଥିବା ଆରବିଆଇ ତଥ୍ୟରୁ ଜଣାପଡିଛି।

Tags: Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories, Demonitization

Comment