ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଙ୍ଗଳବାର ପରି ବୁଧବାର ମଧ୍ୟ ଲଗାଣ ବର୍ଷାରେ ମୁମ୍ବାଇ ସହର ବେହାଲ ହୋଇଯାଇଛି। ରାସ୍ତାଘାଟ ବୁଡ଼ିଯିବା ସହ ଟ୍ରେନ୍ ଏବଂ ବିମାନସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି। ପବନରେ ବଡ଼ ଗଛ ଉପୁଡ଼ି ଯିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି। ଗତ ଦୁଇଦିନ ଧରି ମୁମ୍ବାଇବାସୀ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି। ଦୀର୍ଘ ୧୨ ବର୍ଷ ତଳେ ୨୦୦୫ ଜୁଲାଇ ୨୬ରେ ଅନୁରୂପ ଘଟଣା ଘଟିଥିଲା।
ବୁଧବାର ସକାଳ ୮ଟାରୁ ଅପରାହ୍ନ ୩ଟା ମଧ୍ୟରେ ୨୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ ସୂତ୍ରରୁ ସୂଚନା ମିଳିଛି। ଏହା ଚଳିତ ବର୍ଷର ସର୍ବାଧିକ ବର୍ଷା ବୋଲି କୁହାଯାଉଛି। କେବଳ ୱର୍ଲିରେ ୩୦୩ ମି.ମି ବର୍ଷା ରେକର୍ଡ କରାଯାଇଛି। ମୁମ୍ବାଇ ସହରର ଆକାଶ କଳା ବାଦଲରେ ଘୋଡ଼େଇ ହୋଇରହିଛି ।
ମଙ୍ଗଳବାର ମାତ୍ର ୩ ଘଣ୍ଟାରେ ୬୫ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ଫଳରେ ଆର୍ଟେରିଆଲ ରୋଡ, ଲୋୟର ପାରେଲ୍, ଦାଦର, କୁର୍ଲା, ଅନ୍ଧେରୀ, ଖର ୱେଷ୍ଟ, ଘଟକୋପାର, ସିୟନ ଏବଂ ହିନ୍ଦମାତା ଅଞ୍ଚଳରେ ବର୍ଷା ପାଣି ଲହଡ଼ି ଭାଙ୍ଗୁଛି।
ଟ୍ରେନ୍, ବିମାନ ବାତିଲ
ପ୍ରଚୁର ବର୍ଷା ଯୋଗୁ ମୁମ୍ବାଇର ବିଭିନ୍ନ ଷ୍ଟେସନ ଜଳବନ୍ଦୀ ହୋଇ ରହିଛି। ଫଳରେ ସେଣ୍ଟ୍ରାଲ ରେଲୱେ ପକ୍ଷରୁ ଉଭୟ ହାରବର ଏବଂ ମେନ୍ ଲାଇନ୍ ଟ୍ରେନ୍ ବାତିଲ କରାଯାଇଛି। ୧୦ଟି ବିମାନ ବାତିଲ କରାଯାଇଥିବା ବେଳେ ୭ଟି ବିମାନର ରୁଟ୍ ବଦଳାଯାଇଛି।
ସେହିପରି ବୁଧବାର ଅପରାହ୍ନରେ ୱେଷ୍ଟର୍ଣ୍ଣ ରେଲୱେ ତରଫରୁ ଦୁଇ ଥର ଟ୍ରେନ୍ ସେବା ବାତିଲ କରାଯାଇଥିଲା। ସହରର ମୁଖ୍ୟ ଟ୍ରାଫିକ ମଧ୍ୟ ବେହାଲ ହୋଇଯାଇଛି। ରାସ୍ତାରେ ପାଣି ପ୍ରବାହିତ ହେଉଥିବାରୁ ଲୋକେ ଯାତାୟାତାରେ ଅସୁବିଧା ଭୋଗୁଛନ୍ତି। ବିଶେଷକରି ଇଷ୍ଟର୍ଣ୍ଣ ଏବଂ ୱେଷ୍ଟର୍ଣ୍ଣ ଏକ୍ସପ୍ରେସ ହାଇୱେରେ ଅବସ୍ଥା ଶୋଚନୀୟ ହୋଇପଡ଼ିଛି।
କାନ୍ଦେଭିଲରୁ ଅନ୍ଧେରୀ ଯିବା ପାଇଁ ବାଇକ ଆରୋହୀଙ୍କୁ ଅଢେ଼ଇ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଲାଗୁଛି। ସାନ୍ତାକ୍ରଜ-ଚେମ୍ବର ଲିଙ୍କ୍ ରୋଡ ଏବଂ ଆପ୍ରୋଚ ରୋଡରୁ ଇଷ୍ଟର୍ଣ୍ଣ ଫ୍ରି ୱେ ରାସ୍ତାରେ ଲମ୍ବା ଧାଡ଼ି ଲାଗିବାରୁ ଟ୍ରାଫିକ ଜାମ୍ ରହିଛି। ବସଗୁଡିକ ପାଣି ଭିତରେ ଫସି ରହିଥିବାରୁ ଟ୍ରାଫିକ ପୋଲିସ ଏଗୁଡିକୁ ରାସ୍ତାରୁ ଅନ୍ୟତ୍ର ସ୍ଥାନାନ୍ତର କରୁଛନ୍ତି। ଓଲା, ଉବେର ଗାଡି ବି ମିଳୁ ନଥିବାରୁ ଯାତ୍ରୀ ବିମାନବନ୍ଦର ଓ ଷ୍ଟେସନରୁ ଘରକୁ ଫେରିପାରୁ ନାହାନ୍ତି।
ଲୋକେ ଜଳବନ୍ଦୀ
ମତୁଙ୍ଗା, ସିଅନ୍, ଜୈନ ସୋସାଇଟି ଅଞ୍ଚଳରେ ବର୍ଷା ପାଣି ଲହଡ଼ି ଭାଙ୍ଗୁଥିବାରୁ ଲୋକେ ଜଳବନ୍ଦୀ ଜୀବନ ବିତାଉଛନ୍ତି। ଗାନ୍ଧି ମାର୍କେଟର ଅଧିକାଂଶ ଦୋକାନରେ ବର୍ଷା ଜଳପ୍ରବେଶ କରିବାରୁ ବ୍ୟବସାୟୀମାନଙ୍କର ବହୁ କ୍ଷତି ହୋଇଛି। ମତୁଙ୍ଗା ଥାନା ନିକଟରେ ୩ ଫୁଟର ପାଣି ପ୍ରବାହିତ ହେଉଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। କୁର୍ଲା ଅଞ୍ଚଳରେ ଅଧିକାଂଶଙ୍କ ଘରେ ପାଣି ପଶି ଯାଇଥିବା ଜଣାପଡ଼ିଛି। ଘରୁ ବର୍ଷା ପାଣି ନିଷ୍କାସନ କରିବା ପାଇଁ ଲୋକେ କାନ୍ଥରେ ଗାତ ଖୋଳିଥିବା କୁହାଯାଉଛି।
Tags: Flood in Mumbai, Heavy Rainfall, Monsoon Rain, IFRC, Mumbai Flood, Northen Railway, Odisha News, Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment