ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତ କିଛି ବର୍ଷ ମଧ୍ୟରେ ବିଭିନ୍ନ ନୂଆ ମୋବାଇଲ୍‍ ଫୋନ କମ୍ପାନି ବଜାରକୁ ଆସିବା ଫଳରେ ସ୍ମାର୍ଟଫୋନ କାରବାରରେ ଏକ ବଡ଼ ଧରଣର ହଲଚଲ ହୋ‍ଇଛି। ଏହି ହଲଚଲ ଆଗ ଧାଡ଼ିର ସ୍ମାର୍ଟଫୋନ କମ୍ପାନି ଆପେଲ୍‍ ଓ ସାମସଙ୍ଗର କାରବାରକୁ ପ୍ରଭାବିତ କରିଛି।
ଏକ ସମୟରେ ଆପେଲ ଓ ସାମସଙ୍ଗ ହାୟର ସେଗମେଣ୍ଟ ସ୍ମାର୍ଟଫୋନ ବଜାରକୁ ଏକ ପ୍ରକାରର କବ୍‌ଜା କରିରଖିଥିଲେ। କିନ୍ତୁ ସେ କ୍ଷେତ୍ରରେ ଆଜି ଆଉ ଆଗ ପରି ସମ୍ଭାବନା ନଥିବା ସ୍ପଷ୍ଟ ହୋ‍ଇଯାଇଛି। ଗତ ବର୍ଷ ପୃଥିବୀରେ ଯେତିକି ସଂଖ୍ୟାରେ ସ୍ମାର୍ଟଫୋନ ବିକ୍ରି ହୋ‍ଇଥିଲା, ଏହି ଦୁଇଟି କମ୍ପାନି ତା’ର ୩୬ ପ୍ରତିଶତ ବଜାର ହାସଲ କରିଥିଲେ। ତେବେ ଗତ ୫ ବର୍ଷ ତଳେ ଏହି ଦୁଇ କମ୍ପାନିର ମାର୍କେଟ ସେୟାର ଥିଲା ୪୯ ପ୍ରତିଶତ। ୪୯ରୁ ୩୬କୁ କମି ଆସିବା ନିଶ୍ଚିତ ଭାବରେ ଏକ ବଡ଼ ଧକ୍କା। ଏହି ଧକ୍କାର ମୁକାବିଲା କରିବା ସହ ଲୟାଲ୍‌ କଷ୍ଟମରମାନଙ୍କୁ ନିଜ ପାଖରେ ରଖିବା ପାଇଁ ଆପେଲ ଏବଂ ସାମସଙ୍ଗର ଟପ୍‌ ମ୍ୟାନେଜମେଣ୍ଟ ନୂଆ ଷ୍ଟାଟେଜି କରୁଥିବା ଜଣାପଡୁଛି।
ବର୍ତ୍ତମାନ ପ୍ରିମିୟମ ସ୍ମାର୍ଟଫୋନ ବଜାରରେ ଏଜ୍‌-ଟୁ-ଏଜ୍‍ ଡିସପ୍ଲେ ଗ୍ରାହକଙ୍କ ଆକର୍ଷଣର ଏକ ବଡ଼ ଫିଚର ଭାବେ ଗ୍ରହଣ କରାଯାଉଛି। ଏହି ପ୍ରକାର ଡିଜାଇନ୍‌ ପାଇଁ କର୍ଭଡ ଗ୍ଲାସ ଏବଂ ଅର୍ଗାନିକ ଲାଇଟ୍‍ ଏମିଟିଂ ଡାୟୋଡ ବ୍ୟବହାର ହୋ‍ଇଥାଏ। ଏହି ଟେକ୍ନୋଲଜି ଗୋଟିଏ ସ୍ମାର୍ଟଫୋନର ଆକାରକୁ ବଡ଼ ନକରି ଏହାର ଡିସପ୍ଲେ ଫିଚରକୁ ହାଇ-ଡେଫିନେସନ ସ୍ତରକୁ ନେଇଥାଏ। ନିକଟରେ ବଜାରକୁ ଆସିଥିବା ସାମସଙ୍ଗ ଗାଲାକ୍ସି ନୋଟ୍‌ ୮ ତା’ର ଏକ ଉଦାହରଣ। ଭାରତୀୟ ବଜାରରେ ଏହାର ଦାମ୍‍ ପ୍ରାୟ ୮୦ ହଜାର ଟଙ୍କା। ଉଭୟ ସାମସଙ୍ଗ ଓ ଆପେଲ ଏଭଳି ଅଧିକ ମୂଲ୍ୟର ଫୋନ୍‍ ବିକ୍ରି କରି କମ୍ପାନିର କାରବାର ବଢାଇବା ପାଇଁ ଯୋଜନା କରୁଛନ୍ତି।
ନିକଟରେ ଆପେଲ ପକ୍ଷରୁ ୩ଟି ନୂଆ ଆଇଫୋନ୍‍ ମଡେଲ ବଜାରକୁ ଆସିବାର ଜଣାପଡ଼ିଛି। ସେପ୍ଟେମ୍ବର ୧୨ ତାରିଖ ଇଭେଣ୍ଟରେ ଏହି ରହସ୍ୟ ସଫା ହୋ‍ଇଯିବ। ଏହି ତିନୋଟି ମଡେଲ୍‍ ଭିତରୁ ଅନ୍ତତଃ ଗୋଟିଏ ଫୋନ୍‌ରେ ଏଜ୍‌-ଟୁ-ଏଜ୍‍ ଡିସପ୍ଲେ ଫିଚର ରହିବା ସହିତ ଏକ ଗ୍ଲାସଫ୍ରେମ୍‍ ପ୍ରମୁଖ ଆକର୍ଷଣ ହେବ। ମୋବାଇଲ ବଜାର ବିଶେଷଜ୍ଞଙ୍କ ଅନୁମାନ ହେଉଛି ଯେ ଏହି ଫୋନର ଦାମ୍‍ ୧ ହଜାର ଡଲାର ଉପରେ ରହିବ। ଆମେରିକୀୟ ବଜାରରେ ଏହା ସର୍ବାଧିକ ମୂଲ୍ୟର ସ୍ମାର୍ଟଫୋନ ଭାବେ ପରିଗଣିତ ହେବ। କାରଣ ବର୍ତ୍ତମାନ ସେଠାରେ ଆଇଫୋନ ୭ର ଦର ରହିଛି ୬୯୯ ଡଲାର।
୨୦୧୪ ଆର୍ଥିକ ବର୍ଷ ଶେଷ ଆଡ଼କୁ ଲଞ୍ଚ ହୋ‍ଇଥିବା ଆଇଫୋନ ୬ ଆପେଲ କମ୍ପାନି ପାଇଁ ଏକ ବରଦାନ ଥିଲା। ଲାର୍ଜ ସ୍କ୍ରିନ୍‍ ସ୍ମାର୍ଟଫୋନ ସେଗମେଣ୍ଟରେ ଏହା ଥିଲା କମ୍ପାନିର ପ୍ରଥମ ପ୍ରଡକ୍ଟ। ଏହି ଫୋନର ସଫଳତା ୨୦୧୫ ଆର୍ଥିକ ବର୍ଷରେ କମ୍ପାନିର ଲାଭ ପରିମାଣ ୩୬ ପ୍ରତିଶତ ବଢାଇବାରେ ସାହାଯ୍ୟ କରିଥିଲା।
ଆଇଫୋନ ୬ ଆସିବା ବେଳେ ଆପେଲ୍‍ କମ୍ପାନି ତା’ର ଫୋନର ମୂଲ୍ୟ ଉପରେ ହାରାହାରି ୧୧ ପ୍ରତିଶତ ବୃଦ୍ଧି କରିଥିଲା। ସବୁଠାରୁ ରୋଚକ କଥା ହେଉଛି ଆଇଫୋନ ୬ ବଜାରକୁ ଆସିବାର ପ୍ରାୟ ୬ ମାସ ଆଗରୁ ଆପେଲ୍‍ କମ୍ପାନିର ସେୟାର ମୂଲ୍ୟ ୩୦ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ପରବର୍ତ୍ତୀ ୬ ମାସରେ ମଧ୍ୟ ଏହା ଆଉ ୩୦ ପ୍ରତିଶତ ବୃଦ୍ଧି ପାଇଥିଲା।
୧୨ ସେପ୍ଟେମ୍ବର ଦିନ ଆପେଲ୍‍ ସିଇଓ ଟିମ୍‍ କୁକ୍‍ କି ଷ୍ଟ୍ରାଟେଜି କରିଛନ୍ତି ତାହା ଜଣାପଡ଼ିଯିବ। ତେଣୁ ଏହି ଇଭେଣ୍ଟ ଉପରେ  ବିଶ୍ୱ ସ୍ମାର୍ଟଫୋନ ବଜାରର ନଜର ରହିଛି।
ଅତ୍ୟାଧୁନିକ ତଥା ଆକର୍ଷଣୀୟ ଡିଜାଇନ୍‍ ମାଧ୍ୟମରେ ଉଭୟ ଆପେଲ ଓ ସାମସଙ୍ଗ ଗ୍ରାହକମାନଙ୍କୁ ପ୍ରଭାବିତ କରିଛନ୍ତି। ତେବେ ବର୍ତ୍ତମାନ କମ୍ପାନି ଯେଉଁ ଉଚ୍ଚ ଦରର ଫୋନ ବଜାରକୁ ଛାଡୁଛନ୍ତି ତାକୁ ମୋବାଇଲ ଗ୍ରାହକ କିଭଳି ଗ୍ରହଣ କରିବେ ତାହା ଦେଖିବାକୁ ହେବ।
Tags: Apple, Samsung, Tim Cook, Iphone 6, Samsung Galaxy Note 8, Financial Year, Smart Phone, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment