ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀ ଯୋଗୁ ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ଅର୍ଥନୀତି ବାଧାପ୍ରାପ୍ତ ହେବ। ୨୦୨୦-୨୧ ବର୍ଷରେ ଅର୍ଥନୀତିକ ଅଭିବୃଦ୍ଧି ଦୁଇ ପ୍ରତିଶତ ହ୍ରାସ ପାଇଲେ ହେଁ ଆସନ୍ତା ବର୍ଷ (୨୦୨୧-୨୨)ରେ ଏହା ୭ପ୍ରତିଶତ ରହିବ। ଆସନ୍ତା ଆର୍ଥିକ ବର୍ଷ ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ବଜେଟ ପ୍ରସ୍ତୁତି ଆରମ୍ଭ ହେବାକୁ ଯାଉଥିବାରୁ ଗୁରୁବାର ସବୁ ବିଭାଗୀୟ ସଚିବଙ୍କ ପାଖକୁ ଏହି ମର୍ମରେ ଏକ ପତ୍ର ଲେଖିଛନ୍ତି ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମିନା।

ଅର୍ଥ ସଚିବ କହିଛନ୍ତି ଯେ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଜସ୍ୱ ଆୟ ଏବର୍ଷ ପୂରା କମିବ ଯାହା ଫଳରେ କି ଟିକସ ଆବଣ୍ଟନ ଓ ଗ୍ରାଣ୍ଟ ଇନ୍ ଏଡ୍ ମଧ୍ୟ ବ୍ୟାପକ ପରିମାଣରେ ହ୍ରାସ ପାଇବ। ଏହି ପ୍ରଭାବ ୨୦୨୧-୨୨ ଆର୍ଥିକ ବର୍ଷ ଉପରେ ମଧ୍ୟ ପଡ଼ିବା ଆଶଙ୍କା ରହିଛି। କରୋନା ପାଇଁ ଚଳିତବର୍ଷ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ପକ୍ଷରୁ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୧୦.୩ ପ୍ରତିଶତ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି।
“୨୦୨୧ ଫେବ୍ରୁଆରୀ ତୃତୀୟ ସପ୍ତାହରେ ରାଜ୍ୟ ବଜେଟ ଉପସ୍ଥାପିତ ହେବ। ଇତି ମଧ୍ୟରେ ଓଡିଶା ସରକାରଙ୍କ ପକ୍ଷରୁ କିଛି ସମୟୋଚିତ ପଦକ୍ଷେପ ନିଆଯାଇଛି। ଏହି ପଦକ୍ଷେପ ଭିତରେ ରହିଛି ମାଇନିଂ ଲିଜର ନବୀକରଣ ଓ ଏକାଥରକେ ରାଜସ୍ୱ ଆଦାୟ, ବ୍ୟାଙ୍କଗୁଡ଼ିକରେ ଖର୍ଚ୍ଚ ନହୋଇ ପଡ଼ିଥିବା ଟଙ୍କାକୁ ଆଣିବା ଇତ୍ୟାଦି। ଏହି ସବୁ ପଦକ୍ଷେପ ଯୋଗୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ସରକାରଙ୍କ ଆର୍ଥିକ ସ୍ଥିତିକୁ ନିୟନ୍ତ୍ରଣ ଭିତରେ ରଖାଯାଇ ପାରିଛି”, କହିଛନ୍ତି ଅର୍ଥ ସଚିବ ଅଶୋକ ମିନା।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କରୋନା ଯୋଗୁ ଗୋଟିଏ ପଟେ ରାଜ୍ୟ ସରକାରଙ୍କ ରାଜସ୍ୱ ଆଦାୟ ବାଟ ବନ୍ଦ ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ଅନୁଦାନ ବି ପୂର୍ବ ବର୍ଷ ଭଳି ହେବ ନାହିଁ। ଏଣୁ କରୋନା ପରିଚାଳନାକୁ ଚାଲୁ ରଖିବା ପାଇଁ ଚଳିତ ଆର୍ଥିକ ବର୍ଷ ମଧ୍ୟରେ ସରକାରଙ୍କୁ ବ୍ୟାପକ ପରିମାଣର ଋଣ ଆଣିବାକୁ ପଡିପାରେ।

ଆସନ୍ତା ଆର୍ଥିକ ବର୍ଷରେ ଓଡ଼ିଶା ସରକାରଙ୍କ ରାଜସ୍ୱ ଆଦାୟ ଅଳ୍ପ କିଛି ବୃଦ୍ଧି ପାଇପାରେ। କିନ୍ତୁ ଜିଏଷ୍ଟି ବାବଦକୁ କେନ୍ଦ୍ର ସରକାରଙ୍କ ଠାରୁ ଯେତେ ପାଇବା କଥା ସେତିକି ନମିଳିପାରେ। ମୋଟାମୋଟି ଦେଶର ଅର୍ଥନୀତିକ କାର୍ଯ୍ୟକଳାପ କେତେ ଶୀଘ୍ର ଜୋର ଧରୁଛି ତାହାରି ଉପରେ ସବୁ କିଛି ନିର୍ଭର କରୁଛି ବୋଲି ଅର୍ଥ ସଚିବ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।

Comment