ଓଡ଼ିଶାଲାଇଭ୍ ବ୍ୟୁରୋ

କର୍ମଜୀବୀ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଆବେଦନ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଲୋକାର୍ପିତ ହୋଇଛି ନୂଆ ପୋର୍ଟାଲ। ଏହାଦ୍ୱାରା ଏବେ ରାଜ୍ୟର ସାମ୍ବାଦିକମାନେ ସୁବିଧାରେ ସରକାରୀ ସ୍ୱାସ୍ଥ୍ୟ ବୀମା ଓ ଅନ୍ୟାନ୍ୟ ସୁବିଧା ପାଇପାରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ପୋର୍ଟାଲର ଲୋକାର୍ପଣ କରିଥିଲେ।

ରାଜ୍ୟ ସରକାରଙ୍କ ପକ୍ଷରୁ ୫ଟି ନୀତି ଉପରେ ଗୁରୁତ୍ୱ ଦେଇ ଏହି ପୋର୍ଟାଲ ପ୍ରସ୍ତୁତ କରାଯାଇଛି। ଏହା ମାଧ୍ୟମରେ ଓଡ଼ିଶା ତଥା ଦେଶର ବିଭିନ୍ନ ସ୍ଥାନରେ କାମ କରୁଥିବା ଓଡ଼ିଆ ସାମ୍ବାଦିକମାନେ ଅନଲାଇନରେ ବୀମା ଓ ଅନ୍ୟ ସୁବିଧା ପାଇପାରିବେ। ଏଥିପାଇଁ ସେମାନଙ୍କୁ ଆଉ ଜିଲ୍ଲା କିମ୍ବା ରାଜ୍ୟ ମୁଖ୍ୟାଳୟକୁ ଆସିବାକୁ ପଡ଼ିବନି।

“ରାଜ୍ୟ ସରକାର ଓଡ଼ିଶାର ସାମ୍ବାଦିକମାନଙ୍କ ସହଯୋଗ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସେମାନେ ସମାଜର ବିଭିନ୍ନ କ୍ଷେତ୍ରରେ ସଚେତନତା ସୃଷ୍ଟି କରିବା ପାଇଁ କାମ କରନ୍ତୁ। ନିଜ କାର୍ଯ୍ୟ ମାଧ୍ୟମରେ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୁଅନ୍ତୁ। ସରକାର ରାଜ୍ୟ ସାମ୍ବାଦିକଙ୍କ ସାଥିରେ ସବୁବେଳେ ରହିବେ ବୋଲି ମୁଁ ପ୍ରତିଶ୍ରୁତି ଦେଉଛି”, କହିଛନ୍ତି ନବୀନ ପଟ୍ଟନାୟକ।

ସାମ୍ବାଦିକମାନେ www.owjws.odisha.gov.in ୱେବସାଇଟକୁ ଯାଇ ନିଜ ପରିଚୟ ପତ୍ର, କାର୍ଯ୍ୟ ସମ୍ପର୍କିତ ସମସ୍ତ ସୂଚନା ଦେଇ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ପାଇଁ ଆବେଦନ କରିପାରିବେ।

ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ଓଡ଼ିଶା ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ, ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ, ନିର୍ଦ୍ଦେଶକ ସରୋଜ କୁମାର ସାମଲ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଏହାଛଡ଼ା ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲ ମାଧ୍ୟମରେ ରାଜ୍ୟର ସବୁ ଜିଲ୍ଲାର ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନେ ଯୋଡ଼ି ହୋଇଥିଲେ।

Tags: #HealthInsurancePortal #WorkingJournalists #Odisha

 

LEAVE A REPLY

Please enter your comment!
Please enter your name here