ଓଡ଼ିଶାଲାଇଭ୍ ବ୍ୟୁରୋ

Lokaseva Bhawan

ଓଡ଼ିଶା ସରକାର ମଧୁବାବୁ ପେନସନ ଯୋଜନାର ପରିସରକୁ ବଢ଼ାଇଛନ୍ତି। ସୋମବାର ଏହି ଯୋଜନାରେ ଯୋଡ଼ି ହୋଇଛନ୍ତି ରାଜ୍ୟର ଆଉ ୪ ଲକ୍ଷ ୧୩ ହଜାର ହିତାଧିକାରୀ। ଏହିସବୁ ନୂଆ ହିତାଧିକାରୀଙ୍କୁ ଅଗଷ୍ଟ ୧୫ ତାରିଖରେ ସେମାନଙ୍କ ପ୍ରଥମ ଭତ୍ତା ଦିଆଯିବ।

ଓଡ଼ିଶାର ପ୍ରତି ଗ୍ରାମପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟରେ ନିର୍ବାଚିତ ପ୍ରତିନିଧିଙ୍କ ଉପସ୍ଥିତିରେ ହିତାଧିକାରୀଙ୍କୁ ପେନସନ ଦିଆଯିବ। ଏଥିପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି।

ଏବେ ନୂଆ ହିତାଧିକାରୀଙ୍କ ଯୋଡ଼ି ହେବା ସହ ରାଜ୍ୟରେ ମଧୁବାବୁ ପେନସନ ଯୋଜନାର ମୋଟ ହିତାଧିକାରୀଙ୍କ ସଂଖ୍ୟା ୩୨ ଲକ୍ଷ ୭୫ ହଜାରରେ ପହଞ୍ଚିଛି। ପୂର୍ବରୁ ଏହି ଯୋଜନାରେ ୨୮ ଲକ୍ଷ ୬୧ ହଜାର ଜଣ ହିତାଧିକାରୀ ଥିଲେ।

ସାମାଜିକ ସୁରକ୍ଷାକୁ ଦୃଷ୍ଟିରେ ରଖି ୨୦୦୮ ମସିହାରେ ଓଡ଼ିଶାରେ ମଧୁବାବୁ ପେନସନ ଯୋଜନା ଆରମ୍ଭ ହୋଇଥିଲା। ଏଥିରେ ବୟସ୍କ ବ୍ୟକ୍ତି, ଭିନ୍ନକ୍ଷମ, ବିଧବା ତଥା ଅବିବାହିତ ମହିଳା ଏବଂ ଅନ୍ୟମାନଙ୍କୁ ବିଭିନ୍ନ କ୍ଷେତ୍ରରେ ପେନସନ ଦିଆଯାଉଛି।

ଏହି ଯୋଜନାରେ ୭୯ବର୍ଷ କିମ୍ବା ତାଠୁ କମ୍ ବୟସର ହିତାଧିକାରୀଙ୍କୁ ମାସିକ ୫୦୦ ଟଙ୍କା ଏବଂ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ମାସିକ ୭୦୦ ଟଙ୍କା ଦିଆଯାଉଛି। ସେହିପରି ଭିନ୍ନକ୍ଷମମାନଙ୍କୁ ୫୦୦ରୁ ୯୦୦ ଟଙ୍କା ଯାଏଁ ପେନସନ ଦିଆଯାଉଛି।

Tags: #MadhubabuPensionScheme #OldAgePension #SSEPD #Odisha

Comment