ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସରକାରଙ୍କ ସଚିବସ୍ତରୀୟ ବୈଠକ ଭୁବନେଶ୍ଵରରେ ଅନୁଷ୍ଠିତ ହୋଇଯାଇଛି। ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଅଧ୍ୟକ୍ଷତା କରିଥିଲେ। ଏଥିରେ ଓଡ଼ିଶାର ବହୁ ସଚିବ ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ବୈଠକରେ ରାଜ୍ୟର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା।

ଏହି ବୈଠକରରେ ‘ଜଳଜୀବନ ମିଶନ’ ଅଧିନରେ ଦେଶରେ ଟ୍ୟାପ୍ ଜଳ ଯୋଗାଣ କ୍ଷେତ୍ରରେ ସଫଳତା ପାଇଥିବା ନୂଆପଡ଼ା ଜିଲ୍ଲାକୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ରାଜ୍ୟ ପର୍ଯ୍ୟଟନ ବିଭାଗ ନିର୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ଏବଂ ନୂଆପଡ଼ା ଜିଲ୍ଲାପାଳ ହେମକାନ୍ତ ରାୟ ମୁଖ୍ୟ ଶାସନ ସଚିବଙ୍କ ଠାରୁ ଏହି ପ୍ରମାଣପତ୍ର ଗ୍ରହଣ କରିଥିଲେ।

ବୈଠକରେ ଭୁବନେଶ୍ଵର ସ୍ଥିତ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ବିଭିନ୍ନ ପ୍ରଶିକ୍ଷଣ ପ୍ରକ୍ରିୟାର ଆଧୁନିକୀକରଣ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଠାରେ ବିଭିନ୍ନ ସଚିବ, ବିଭାଗୀୟ ଅଧିକାରୀ ଓ ନୂଆ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ନୋଟିଂ ଓ ଡ୍ରାଫିଂ ଦକ୍ଷତା ବୃଦ୍ଧି, କର୍ପୋରେଟ୍ ମାର୍ଗଦର୍ଶିକା ଏବଂ କମ୍ପାନୀ ଆଇନ ସଂପର୍କରେ ପ୍ରଶିକ୍ଷଣ ଦେବାକୁ ପ୍ରସ୍ତାବ ଦିଆଯାଇଥିଲା। ଏହାଛଡ଼ା ଏହି ଏକାଡେମୀର ଭିତ୍ତିଭୂମି ବିକାଶ ଓ ଏଠାରେ ୨ଟି ଛତ୍ରାବାସ ନିର୍ମାଣ ବାବଦରେ ବୈଠକରେ ଆଲୋଚନା କରାଯାଇଛି।

ସେହିପରି ବୈଠକରେ ଅର୍ଥ ବିଭାଗ ପକ୍ଷରୁ ୨୦୨୩-୨୪ ଆର୍ଥିକ ବର୍ଷରେ ଜୁନ ମାସ ସୁଦ୍ଧା ରାଜ୍ୟ ବଜେଟ୍ ଅନୁମୋଦନ ଓ ଏଯାଏଁ କରାଯାଇଥିବା ଖର୍ଚ୍ଚ ସମ୍ପର୍କରେ ତଥ୍ୟ ଦିଆଯାଇଥିଲା। ଧାର୍ଯ୍ୟ ଲକ୍ଷ୍ୟ ଅନୁସା​‌ରେ ଅର୍ଥ ବିନିଯୋଗ କରି ବିଭିନ୍ନ ଜନକଲ୍ୟାଣକାରୀ କାମକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ଵ ମୁଖ୍ୟ ଶାସନ ସଚିବ ବୈଠକରେ ପରାମର୍ଶ ଦେଇଥିଲେ।

ଅନ୍ୟପଟେ ଇ-କମର୍ସ ପୋର୍ଟାଲ ଜରିଆରେ ରାଜ୍ୟର ଏମଏସଏମଇ ଉଦ୍ୟୋଗଗୁଡ଼ିକର ଉତ୍ପାଦକୁ ରପ୍ତାନି ପାଇଁ  ପ୍ରୋତ୍ସାହିତ କରାଯିବା ସମ୍ପର୍କରେ ଆଲୋଚନା ହୋଇଥିଲା। ସେହିପରି ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମଗୁଡ଼ିକର ପ୍ରଚାର ପ୍ରସାରକୁ ଆହୁରି ବ୍ୟାପକ କରିବା ପାଇଁ ଏଠାରେ ଚର୍ଚ୍ଚା କରାଯାଇଥିଲା।

ସେହିପରି ସରକାରୀ କାର୍ଯ୍ୟାଳୟରେ ବିଦ୍ୟୁତ ଶକ୍ତି ସଂରକ୍ଷଣ, ବିଭିନ୍ନ ଜନଶୁଣାଣି ମାମଲାଗୁଡ଼ିକର ଫଇସଲା ଏବଂ ମାଲକାନଗିରି ଜିଲ୍ଲାର ସ୍ଵାଭିମାନ ଅଞ୍ଚଳ ତଥା ‘କେବିକେ’ ଜିଲ୍ଲାମାନଙ୍କରେ ଜାରି ରହିଥିବା ବିଭିନ୍ନ ପ୍ରକଳ୍ପର କାମକୁ ତ୍ୱରାନ୍ୱିତ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।

ଏହି ବୈଠକରେ ଓଡ଼ିଶା ରାଜସ୍ୱ  ପରିଷଦ ସଭ୍ୟ ତଥା ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦ୍ଦେଶକ ରାଜ କୁମାର ଶର୍ମା, ଉନ୍ନୟନ କମିଶନର ଅନୁ ଗର୍ଗ ପ୍ରମୁଖ ଯୋଗ ଦେଇଥିଲେ। ଏହାଛଡ଼ା ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଏବଂ  କମିଶନର ତଥା ଶାସନ ସଚିବମାନେ ମଧ୍ୟ ବୈଠକରେ ସାମିଲ ହୋଇଥିଲେ।

Tags: #SecretarialMeeting #StateAdministration #OdishaGovt #PublicService #Odisha

Comment