ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ୧୦ଟି ଜିଲ୍ଲାର ୩୬ଟି ପୌରାଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀ କର୍ମତତ୍ପରତା ଅଭିଯାନ ବା ମୁକ୍ତା ଯୋଜନାର ତୃତୀୟ ପର୍ଯ୍ୟାୟରେ ୨୨୫.୫୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର। ରାଜ୍ୟର ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗିର, ସୁବର୍ଣ୍ଣପୁର, ବରଗଡ଼, ଝାରସୁଗୁଡ଼ା ଓ ଦେବଗଡ଼ ଜିଲ୍ଲାର ପୌରାଞ୍ଚଳଗୁଡ଼ିକରେ ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ପାଣ୍ଠିରୁ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯିବ।

ମୁକ୍ତା ଯୋଜନାରେ ଏହି ସବୁ ଜିଲ୍ଲାରେ ଥିବା ମ୍ୟୁନିସିପାଲିଟି ଏବଂ ଏନଏସିର ବିକାଶ ପାଇଁ ବାର୍ଷିକ ରୋଡ ମ୍ୟାପ୍ ପ୍ରସ୍ତୁତ କରାଯାଇଛି। ଏହି ପାଣ୍ଠିର ଅର୍ଥ ମାଧ୍ୟମରେ ଏଠାରେ ବିଭିନ୍ନ ପରିବେଶ ଅନୁକୂଳ ଭିତ୍ତିଭୂମି ଯଥା ମିନି ପାର୍କ, ମୁକ୍ତାକାଶ ଜିମ୍, ଛୋଟ ପିଲାଙ୍କ ପାଇଁ ଖେଳ ପଡ଼ିଆ, ଶୌଚାଳୟ ଓ ଭେଣ୍ଡିଂ ଜୋନ୍ ଆଦି ନିର୍ମାଣ କରାଯିବ। ଏହାଛଡ଼ା ଏହି ଟଙ୍କା ବିଭିନ୍ନ ଜଳାଶୟର ବିକାଶ ଓ ବହୁମୁଖୀ ଗୋଷ୍ଠୀ ଉନ୍ନୟନ କେନ୍ଦ୍ର ଆଦି ନିର୍ମାଣ କରିବାରେ ବିନିଯୋଗ କରାଯିବ।

ଏହିସବୁ ପ୍ରକଳ୍ପ ପାଇଁ ଆବଶ୍ୟକତା ଅନୁସାରେ ପରିବେଶକୁ ନଜରରେ ରଖାଯିବ। ଏଥିପାଇଁ ସବୁ ପ୍ରକଳ୍ପର ଉପଯୁକ୍ତ ସମୀକ୍ଷା କରାଯିବ। ମଞ୍ଜୁର ହେଉଥିବା ପ୍ରକଳ୍ପଗୁଡ଼ିକ ମିଶନ ଶକ୍ତି ମହିଳାଙ୍କ ଦ୍ଵାରା ପରିଚାଳିତ ହେବ।

ଓଡ଼ିଶାର ସହରାଞ୍ଚଳରେ ଥିବା ଗରିବ ଓ ବେରୋଜଗାର ଲୋକଙ୍କୁ କାମ ଦେବା ଲକ୍ଷ୍ୟରେ ୨୦୨୦ ମସିହା ଏପ୍ରିଲ ମାସରେ ରାଜ୍ୟ ସରକାର ମୁକ୍ତା ଯୋଜନାର ଆରମ୍ଭ କରିଥିଲେ। ଏହାର ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୧୦ଟି ଜିଲ୍ଲାର ୩୭ଟି ପୌରାଞ୍ଚଳ ପାଇଁ ୪୨୩ କୋଟି ୮୭ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା। ଏହାପରେ ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ଆଉ ୧୦ଟି ଜିଲ୍ଲାର ୪୨ଟି ପୌରାଞ୍ଚଳ ପାଇଁ ୧୮୩.୮୧ କୋଟି ଟଙ୍କା ମଞ୍ଜୁର ହୋଇଥିଲା।

ଏହି ମୁକ୍ତା ଯୋଜନାର ତିନୋଟି ଯାକ ପର୍ଯ୍ୟାୟରେ ଓଡ଼ିଶାର ୩୦ଟି ଜିଲ୍ଲାରେ ଥିବା ସବୁ ପୌରାଞ୍ଚଳ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ମୋଟ ୮୩୩.୨୧ କୋଟି ଟଙ୍କା ମଞ୍ଜୁର କରାଯାଇଛି।

Tags: #MUKTAScheme #UrbanLocalBodies #Employmentgeneration #Odisha

 

Comment