ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡୋକଲାମ ବିବାଦରେ ଚୀନ୍‌ ଯେପରି ଭାରତ ଆଗରେ ମୁଣ୍ଡ ନୁଆଁଇଲା, ତାହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗୌରବ ଆଣିଦେଇଛି। ଏହି କୁଟନୈତିକ ବିଜୟର ଶ୍ରେୟ ଯାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ। ଏହାପରେ ଅଜିତ ଡୋଭାଲଙ୍କ ସମ୍ମାନ ଓ ପ୍ରତିଷ୍ଠା ଆହୁରି ବଢିଯାଇଛି।
ଗତବର୍ଷ ସଫଳତାର ସହ ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ କରି ଚର୍ଚ୍ଚାକୁ ଆସିଥିଲେ ଡୋଭାଲ। ଡୋଭାଲଙ୍କ ଜୀବନ କିଛି ଗୁଇନ୍ଦା ରୋମାଞ୍ଚ କାହାଣୀଠାରୁ କମ ନୁହେଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗାଧ ବିଶ୍ୱାସ ରହିଛି ଅଜିତ ଡୋଭାଲଙ୍କ ଉପରେ।
ଜାତୀୟ ସୁରକ୍ଷାର କଥା ଆସୁ କିମ୍ବା ବୈଦେଶିକ ସଂପର୍କ ହେଉ, ସବୁ ପ୍ରସଙ୍ଗରେ ତାଙ୍କ ପରାମର୍ଶ ନେଇଥା’ନ୍ତି ମୋଦି। ଆତଙ୍କବାଦ ଓ ଶତ୍ରୁ ରାଷ୍ଟ୍ରଙ୍କ ବିରୋଧରେ ସରକାର ଯେଉଁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି, ତାହା ‘ଡୋଭାଲ ଡକ୍ଟ୍ରିନ’ ଅନୁଯାୟୀ ନିଆଯାଉଛି ବୋଲି କୁହାଯାଏ।
କିଏ ଏହି ଡୋଭାଲ?
ଅଜିତ ଡୋଭାଲଙ୍କ ସଂପର୍କରେ କୌଣସି ସରକାରୀ ୱେବସାଇଟରେ ବିଶେଷ କିଛି କୁହାଯାଇନାହିଁ। ତାଙ୍କର ବିଭିନ୍ନ ବକ୍ତୃତାରୁ ଯାହା ଜଣାପଡ଼ିଛି, ତାଙ୍କର ଜନ୍ମ ୧୯୪୫ ମସିହାରେ, ଉତ୍ତରାଖଣ୍ଡର ପୌରି ଗଡ଼ୱାଲରେ। ୧୯୬୭ରେ ସେ ଆଗ୍ରା ୟୁନିଭର୍ସିଟିରୁ ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ୧୯୬୮ ମସିହାରେ କେରଳ କ୍ୟାଡର ଆଇପିଏସ ଅଫିସର ଭାବେ ଯୋଗ ଦିଅନ୍ତି ପୁଲିସ ଫୋର୍ସରେ। ଏହାପରେ ଭାରତୀୟ ଗୁଇନ୍ଦା ବ୍ୟୁରୋରେ ଅଣ୍ଡର କଭର ଏଜେଣ୍ଟ ଭାବେ ସେ କାମ କରନ୍ତି।
୨୦୦୪-୦୫ରେ ଗୁଇନ୍ଦା ବ୍ୟୁରୋର ନିର୍ଦ୍ଦେଶକ ପଦବୀକୁ ତାଙ୍କର ପଦୋନ୍ନତି ହୁଏ। ଦେଶ ପାଇଁ ଉତ୍ସର୍ଗୀକୃତ ଅବଦାନ ନିମନ୍ତେ ତାଙ୍କୁ ଦ୍ୱିତୀୟ ସର୍ବୋଚ୍ଚ ଗାଲାଣ୍ଟ୍ରୀ ସମ୍ମାନ ‘କୀର୍ତ୍ତି ଚକ୍ର’ରେ ସମ୍ମାନିତ କରାଯାଇଛି। ଦେଶର ପ୍ରଥମ ପୁଲିସ ଅଫିସର ଭାବେ ତାଙ୍କୁ ଏହି ସମ୍ମାନ ଦିଆଯାଇଛି।
ଅବସର ପରେ ୨୦୦୯ ମସିହାରେ ସେ ‘ବିବେକାନନ୍ଦ ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ’ ନାମକ ଏକ ସଂସ୍ଥା ସ୍ଥାପନ କରିଥିଲେ। ଉତ୍ତର-ପୂର୍ବ ଭାରତ, ପଞ୍ଜାବ, ଜାମ୍ମୁକାଶ୍ମୀର ଏବଂ ପାକିସ୍ତାନରେ ଆତଙ୍କବାଦ ବିରୋଧ ଲଢେଇରେ ତାଙ୍କର ବ୍ୟାପକ ଜ୍ଞାନ ରହିଛି। ମୋଦି ସରକାର କ୍ଷମତାକୁ ଆସିବା ପରେ ସେ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି।
କାହିଁକି ତାଙ୍କୁ ଭାରତର ଜେମ୍ସ ବଣ୍ଡକୁହାଯାଏ?
ସିନେମାରେ ବା କାହାଣୀରେ ବର୍ଣ୍ଣନା କରାଯାଉଥିବା ଗୁଇନ୍ଦାଙ୍କ ଭଳି ତାଙ୍କର ଜୀବନ। ଡୋଭାଲ ଜଣେ ଅଦମ୍ୟ ସାହାସୀ, ଅନେକ ଥର ମୃତ୍ୟୁ ତାଙ୍କୁ ଛୁଉଁ ଛୁଉଁ ବର୍ତ୍ତିଛନ୍ତି ସେ। ଜଣେ ଉଚ୍ଚପଦସ୍ଥ ପୁଲିସ ଅଧିକାରୀ, ହେଲେ ଛଦ୍ମବେଶରେ ୭ ବର୍ଷ କାଟିଛନ୍ତି ପାକିସ୍ତାନରେ।
ଜଣେ ପାକିସ୍ତାନ ମୁସଲମାନ ଭଳି ବେଶ ଧାରଣ କରି ବିଭିନ୍ନ ମସଜିଦକୁ ଯାଇ ସ୍ଥାନୀୟ ଲୋକଙ୍କ ସହ ସଂପର୍କ ସ୍ଥାପନ କରିଥିଲେ ଡୋଭାଲ। ତାଙ୍କର କାନ ଫୋଡା ହୋଇଥିବାରୁ ଥରେ ଜଣେ ପାକିସ୍ତାନୀ ତାଙ୍କୁ ହିନ୍ଦୁ ବୋଲି ଜାଣିଯାଇଥିଲା। ସେ ପୁଲିସକୁ ଖବର ଦେବା ପୂର୍ବରୁ ଡୋଭାଲ ସେଠାରୁ ଖସି ଚାଲିଯାଇଥିଲେ ଏବଂ ଏହାପରେ କାନ ଅପରେସନ କରି ସେ କଣାକୁ ବନ୍ଦ କରିଦେଇଥିଲେ। ପାକିସ୍ତାନରେ ଅଣ୍ଡର କଭର ରହି ଅନେକ ଗୁପ୍ତ ଅପରେସନକୁ ସଫଳ ରୂପାୟନ କରିଥିଲେ ଡୋଭାଲ।
ସେହିପରି ଖଲିସ୍ତାନ ଆନ୍ଦୋଳନ ଯେତେବେଳେ ଚରମ ସୀମାରେ ଥିଲା, ସ୍ୱର୍ଣ୍ଣମନ୍ଦିର ନିକଟରେ କିଛି ଦିନ ସେ ରିକ୍ସା ଚାଳକ ଭାବେ କାମ କରି ଅନେକ ଗୁପ୍ତ ତଥ୍ୟ ପ୍ରଦାନ କରିଥିଲେ।
୧୯୮୪ରେ ବ୍ଲୁ-ଷ୍ଟାର ଅପରେସନ ବେଳେ କେତେ ଉଗ୍ରପନ୍ଥୀ ମନ୍ଦିର ଭିତରେ ରହିଛନ୍ତି, କେତେ ଅସ୍ତ୍ରଶସ୍ତ୍ର ରହିଛି, ତା’ର ସଠିକ୍ ବିବରଣୀ ଦେଇଥିଲେ ଡୋଭାଲ। ୧୯୮୮ରେ ଅପରେସନ୍ ବ୍ଲାକ୍ ଥଣ୍ଡର ବେଳେ ପାକିସ୍ତାନର ଆଇଏସଆଇ ଗୁଇନ୍ଦା ଭାବେ ଉଗ୍ରପନ୍ଥୀଙ୍କ ଆଡ୍ଡାକୁ ପ୍ରବେଶ କରିଥିଲେ। ଏବଂ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିଲେ।
ଡୋଭାଲ ଡକ୍ଟ୍ରିନ?
୨୦୧୪-୧୫ରେ ପ୍ରତିରକ୍ଷା ଓ ବିଦେଶ ନୀତି ସଂକ୍ରାନ୍ତରେ ଅଜିତ ଡୋଭାଲ ଦୁଇଟି ବକ୍ତୃତା ଦେଇଥିଲେ। ଦେଶର ସ୍ୱାର୍ଥ ରକ୍ଷା ଲାଗି ସେ ଯେଉଁ ପଲିସି ସଂପର୍କରେ ଯୁକ୍ତି ବାଢିଥିଲେ ତାହାକୁ ‘ଡୋଭାଲ ଡକ୍ଟ୍ରିନ’ ଭାବେ ଅବିହିତ କରାଯାଏ। ତିନିସ୍ତରୀୟ ନୀତି ଉପରେ ସେ ଗୁରୁତ୍ଵ ଦେଇଥା’ନ୍ତି। ପ୍ରଥମେ ପ୍ରତିରକ୍ଷାତ୍ମକ, ଦ୍ୱିତୀୟରେ ପ୍ରତିରକ୍ଷା ସହିତ ଆକ୍ରମଣ ଏବଂ ତୃତୀୟରେ କେବଳ ଆକ୍ରମଣ।
‘ଡୋଭାଲ ଡକ୍ଟ୍ରିନ’ ଆଧାରରେ ଗତବର୍ଷ ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ୍ ଓ ମ୍ୟାନମାରରେ ଆତଙ୍କବାଦୀଙ୍କୁ ଦମନ କରାଯାଇଛି।  ‘ଡୋଭାଲ ଡକ୍ଟ୍ରିନ’ କୁ ଏବେ ବିଶ୍ୱର ଅନେକ ଦେଶ ଅନୁସରଣ କରୁଥିବା ଦେଖାଯାଏ।
୨୬/୧୧ ମୁମ୍ବାଇ ଆକ୍ରମଣ ଭଳି ଆଉ ଏକ କାଣ୍ଡ  ଘଟାଇଲେ ବେଲୁଚିସ୍ତାନକୁ ପାକିସ୍ତାନ ହରାଇବ ବୋଲି କଡ଼ା ଚେତାବନୀ ଦେଇଥିଲେ ଅଜିତ ଡୋଭାଲ। ଯେସାକୁ ତେସା ନୀତିରେ ଉଗ୍ରବାଦକୁ ସାବାଡ କରିବାକୁ ସେ ମତ ଦେଇଥା’ନ୍ତି।
ଅଜିତ ଡୋଭାଲ ଜଣେ ଏଭଳି ଉତ୍ସର୍ଗୀକୃତ ବ୍ୟକ୍ତି, ସେ ତାଙ୍କ କର୍ତ୍ତବ୍ୟକୁ ସବୁବେଳେ ନିଜ ବ୍ୟକ୍ତିଗତ ଜୀବନଠାରୁ ଉର୍ଦ୍ଧ୍ୱରେ ଦେଖିଥା’ନ୍ତି। ଉଭୟ ପାକିସ୍ତାନ ଓ ଚୀନ୍‌ରେ ଅଜିତ ଡୋଭାଲଙ୍କୁ ଯେତିକି ସମ୍ମାନ ଦିଅନ୍ତି ସେତିକି ଭୟ ମଧ୍ୟ କରିଥାନ୍ତି।

Tags: James Bond, Ajit Kumar Doval, Narendra Modi, Doval Doctrine, 26/11 Mumbai Attack, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

 

1 COMMENT

Comment