ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୋବେଲ ଶାନ୍ତି ପୁରସ୍କାର ବିଜେତା ଶ୍ରୀ କୈଳାସ ସତ୍ୟାର୍ଥୀଙ୍କ ଦ୍ୱାରା ଦେଶରେ ହେଉଥିବା ଶିଶୁ ଯୌନ ଉତ୍ପୀଡନ ଏବଂ ଶିଶୁ ଚାଲାଣ ବିରୋଧରେ ଭାରତ ଯାତ୍ରା ଅଭିଯାନ ସେପ୍ଟେମ୍ବର ୨୬ରୁ ଭୁବନେଶ୍ୱରରୁ ଆରମ୍ଭ ହେବ। ଏହି ଯାତ୍ରା ଅକ୍ଟୋବର ୫ରେ ବିଳାସପୁର ଦେଇ ଭୋପାଳରେ ପହଞ୍ଚିବ। ସେହିପରି ଭାରତଯାତ୍ରା ଦେଶର ଦକ୍ଷିଣରେ ସେପ୍ଟେମ୍ବର ୧୧ ତାରିଖରେ କନ୍ୟାକୁମାରୀରୁ ଆରମ୍ଭ ହୋଇ ନୂଆଦିଲ୍ଲୀରେ ଅକ୍ଟୋବର ୧୬ରେ ପହଞ୍ଚିବ।
କୈଳାସ ସତ୍ୟାର୍ଥୀ ଚିଲଡ୍ରେନ୍ ଫାଉଣ୍ଡେସନ୍ ପକ୍ଷରୁ ଏହା ଘୋଷଣା କରାଯାଇଛି।
ଗତ ୩୬ ବର୍ଷ ଧରି କୈଳାସ ସତ୍ୟାର୍ଥୀ ଶିଶୁଙ୍କ ଉପରେ ହେଉଥିବା ଯୌନଶୋଷଣ ଉପରେ ସଚେତନତା ସୃଷ୍ଟି କରିବାର ପ୍ରୟାସ କରିଛନ୍ତି। କୈଳାସ ସତ୍ୟାର୍ଥୀ ବିଶ୍ୱସ୍ତରରେ ଶିଶୁଙ୍କ ସ୍ୱାଧୀନତା, ସୁରକ୍ଷା ଓ ନିରାପତ୍ତା ଉପରେ କାର୍ଯ୍ୟ ଜାରି ରଖିଛନ୍ତି। ୧୯୯୮ରେ ସେ ବିଶ୍ୱସ୍ତରରେ ଶିଶୁ ଶ୍ରମିକ ବିରୋଧରେ କାର୍ଯ୍ୟ ଆରମ୍ଭ କରିଥିଲେ।
ଭାରତରେ ଶିଶୁଙ୍କ ସୁରକ୍ଷା ନେଇ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ଣ୍ଣ ସମର୍ଥନ ଦେଇଛନ୍ତି।
ପରିଚୟ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ରୋଜାଲିନ୍ ପାଟ୍ଟଶାଣୀ ମିଶ୍ର, ନ୍ୟାସନାଲ୍ ୟୁଥ୍ ପ୍ରୋଜେକ୍ଟର ରାଜ୍ୟ ଆବାହକ ମଧୁସୂଦନ ଦାସ ଶିଶୁ ଯୌନ ଉତ୍ପୀଡନ ଏବଂ ଶିଶୁ ଚାଲାଣ ବିରୋଧରେ ଗୁରୁତ୍ୱାରୋପ କରିଛନ୍ତି।
“ଓଡ଼ିଶାରେ ଅନେକ ବର୍ଷ ଧରି ଶିଶୁ ଶ୍ରମିକ ସମସ୍ୟା ରହିଆସିଛି। ଏହା ସହିତ ରାଜ୍ୟରେ ଶିଶୁ ଚାଲାଣ ଓ ଶିଶୁ ଯୌନ ନିର୍ଯାତନା ଘଟଣା ବଢ଼ିବାରେ ଲାଗିଛି। ତେଣୁ ଏବେ ସମୟ ଆସିଛି ରାଜ୍ୟ ତଥା ଦେଶର ନାଗରିକ ବାଳିକା ଶିକ୍ଷା ଓ ସଶକ୍ତିକରଣ ପାଇଁ ସଚେତନ ହେବା ଉଚିତ। ଭାରତ ଯାତ୍ରା ଅଭିଯାନ ଦେଶର ବାଳିକା ଓ ଶିଶୁଙ୍କ ଉପରେ ହେଉଥିବା ବହୁବିଧ ଅତ୍ୟାଚାରର ବିରୋଧ କରିବ”, ‍କହିଛନ୍ତି ରୋଜାଲିନ୍ ପାଟ୍ଟଶାଣୀ ମିଶ୍ର।
ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ଏବଂ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୩ ଅନୁସାରେ ରାଜ୍ୟରେ ୧,୨୧,୬୬୯ ବାଳିକା ଏବଂ ୧,୩୭,୪୬୪ ବାଳକ ଆଇନଗତ ବୟସ ପୂର୍ବରୁ ବିବାହ କରିଥାନ୍ତି। ରାଜ୍ୟ ପୋଲିସ ତଥ୍ୟ ଅନୁସାରେ ୨୦୧୬-୧୭ ରେ ୧୮ ବର୍ଷରୁ କମ୍ ବୟସ୍କ ୨୦୬ ପିଲାଙ୍କୁ ଚାଲାଣ କରାଯାଇଥିଲା। ୨୦୧୬ରେ  ଏହି ଚାଲାଣ ସଂଖ୍ୟାରେ ୪୪ ପ୍ରତିଶତ ବୃଦ୍ଧି ହୋଇଥିଲା।
“ଓଡ଼ିଶାରେ ହେଉଥିବା ଶିଶୁ ଯୌନ ଉତ୍ପୀଡନ ଏବଂ ଶିଶୁ ଚାଲାଣ ବିରୋଧରେ ଆମେ ସଚେତନ ହେବାର ଆବଶ୍ୟକତା ରହିଛି। ଯାହାଦ୍ୱାରା ଓଡ଼ିଶା ସମେତ ଦେଶର ସମାଜିକ ତଥା ଆର୍ଥିକ ବିକାଶ ପଥରେ ବାଧା ସୃଷ୍ଟି କରୁଛି। ଏହି ମର୍ମରେ ମୁଁ ଦେଶର ଯୁବବର୍ଗଙ୍କୁ ଅନୁରୋଧ କରୁଛି ସେମାନେ ଆଗେଇ ଆସି ଏହି ସମସ୍ୟାର ନିରାକରଣ ପାଇଁ ଏକ ସାମାଜିକ ବିପ୍ଲବର ଆରମ୍ଭ କରନ୍ତୁ। ଯୁବ ବର୍ଗ ସେମାନଙ୍କ ଶକ୍ତି ଆଧାରରେ ପରବର୍ତୀ ପିଢ଼ୀର ଭବିଷ୍ୟତ ନିର୍ଦ୍ଧାରଣ କରିବାରେ ସହଯୋଗ କରିବା ଉଚିତ”, ‍କହିଛନ୍ତି ମଧୁସୂଦନ ଦାସ।
କୈଳାସ ସତ୍ୟାର୍ଥୀ  ଅନେକ ମାସ ଧରି ତାଙ୍କ କୈଳାସ ସତ୍ୟାର୍ଥୀ ଚିଲଡ୍ରେନସ୍ ଫାଉଣ୍ଡେସନ ସହାୟତାରେ ଏହି ଯାତ୍ରା ଆରମ୍ଭ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ।
ଶିଶୁ ଯୌନ ଉତ୍ପୀଡନ ଏବଂ ଶିଶୁ ଚାଲାଣ ବିରୋଧରେ ଏହା ଦେଶର ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ସକ୍ଷମ ହେବ।
Tags: Kailash Satyarthi, Social Worker, Indian activist, Bachpan Bachao Andolan, Nobel Prize Winner, Rojalin Patasani Mishra, Madhusudan Das, Childrens’ Foundation, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories, Bharat Yatra, Bharat Jatra,

Comment