ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁନାରେ ବିମୁଦ୍ରୀକରଣ।
କେନ୍ଦ୍ର ସରକାର ଏହି ନୀତି ଘୋଷଣା କରିବା ପରେ ବିଶ୍ୱର ଧନୀ ମନ୍ଦିର ତିରୁମାଲା ତିରୁପତି ଦେଭସ୍ଥାନମ୍ (ଟିଟିଡି) ଚର୍ଚ୍ଚାରେ ରହିଛି।
ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଟିଟିଡି ୨,୭୮୦ କିଲୋ ସୁନା ଜମା କରି ସମସ୍ତଙ୍କୁ ଚକିତ କରିଛି।
ପୂର୍ବରୁ ଏହି ମନ୍ଦିର ସ୍ୱଳ୍ପ ଅବଧି ପାଇଁ ସୁନା ଜମା କରିଆସୁଥିଲା। ହେଲେ ବିମୁଦ୍ରୀକରଣ ନୀତି ଘୋଷଣା ହେବା ପରେ ସ୍ୱଳ୍ପ ଅବଧିରୁ ଦୀର୍ଘ ଅବଧି ଜମା କରିବାକୁ ମନ୍ଦିର ପ୍ରଶାସନ ଗତ ଫେବୃୟାରୀରେ ନିଷ୍ପତ୍ତି ନେଇଥିଲା। ଏହି କ୍ରମରେ ୨,୦୭୫ କିଲୋ ସୁନା ଦୀର୍ଘ ଅବଧି ଜମା ଯୋଜନାକୁ ସ୍ଥାନାନ୍ତର ହୋଇଛି। ଫଳରେ ବର୍ଷକୁ ୨.୫ ପ୍ରତିଶତ ସୁଧ ବୃଦ୍ଧି ହେବାର ସମ୍ଭାବନା ରହିଛି।
ଗତବର୍ଷ ଟିଟିଡି ପକ୍ଷରୁ ୧,୩୧୧ କିଲୋ ସୁନା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଜମା କରାଯାଇଥିଲା।
ତିରୁପତିର ଭେଙ୍କଟେଶ୍ୱର ମନ୍ଦିର ଏବଂ ଚେନ୍ନାଇରେ ଥିବା ମନ୍ଦିରର ପରିଚାଳନା ଦାୟିତ୍ୱ ଟିଟିଡି ନେଇଛି।  ବହୁ ଶ୍ରଦ୍ଧାଳୁ ମନ୍ଦିରକୁ ନଗଦ ଟଙ୍କା, ସୁନା, ରୂପା ଆଦି ଦାନ ସୂତ୍ରରେ ଦେଇଥାନ୍ତି। ବର୍ଷକୁ ପାଖାପାଖି ୧ ଟନ୍ ସୁନା ମନ୍ଦିରକୁ ଆସିଥାଏ ବୋଲି ଟିଟିଡି ଜଣେ ଅଧିକାରୀ କହିଛନ୍ତି।
୨୦୧୭-୧୮ ଆର୍ଥିକ ବର୍ଷରେ ଶ୍ରଦ୍ଧାଳୁଙ୍କଠାରୁ ୧.୧୧୦ କୋଟି ଟଙ୍କା ଆୟ ହେବାର ସମ୍ଭାବନା ରହିଥିବା ଟିଟିଡି ସୂତ୍ରରୁ ଜଣାପଡିଛି। ଏହାସହ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁଙ୍କଠାରୁ ଅର୍ଥ ଆଦାୟ କରାଯାଉଛି। ଚଳିତ ବର୍ଷ ୨୫୬ କୋଟି ଆଦାୟ କରିବାକୁ ଲକ୍ଷ୍ୟ ରହିଥିବା ଟିଟିଡି ପକ୍ଷରୁ ସୂଚନା ମିଳିଛି।
ସେହିପରି ସୋମନାଥ ଟ୍ରଷ୍ଟ ସେପ୍ଟେମ୍ବର ଶେଷ ସପ୍ତାହ ସୁଦ୍ଧା ୬ କିଲୋ ସୁନା ବ୍ୟାଙ୍କରେ ଜମା କରିବ ବୋଲି ଜଣାପଡିଛି। ଏହି ଟ୍ରଷ୍ଟ ଜୁନାଗଡ଼ ଏବଂ ଗୁଜୁରାଟରେ ଥିବା ସୋମନାଥ ମନ୍ଦିରର ପରିଚାଳନା ଦାୟିତ୍ୱ ନେଇଛି।
ଶ୍ରୀ ସିଦ୍ଧି ବିନାୟକ ଗଣପତି ମନ୍ଦିର ଟ୍ରଷ୍ଟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଞ୍ଜୀବ ଏସ୍ ପାଟିଲ କୁହନ୍ତି, ”ଟ୍ରଷ୍ଟ ତରଫରୁ ବର୍ତ୍ତମାନ ସୁଦ୍ଧା ୫୦ କିଲୋ ସୁନା ଜମା କରାଯାଇଛି। ନୂଆ ବୋର୍ଡ ଦାୟିତ୍ୱ ଗ୍ରହଣ କରିବା ପରେ ଆଉ ୨୫ରୁ୩୦ କିଲୋ ସୁନା ବ୍ୟାଙ୍କରେ ଜମା କରାଯିବ”।

Tags: Tirupati, Tirupati Balaji, Balaji, Tirumala Tirupati Devasthanams, TTD, Somnath Trust, Venkateswara Temple, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment