ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ ରେଳଯାତ୍ରାକୁ ଟିକିଏ ଅଧିକ ଜ୍ଞାନବର୍ଦ୍ଧକ ଓ ସାହିତ୍ୟିକ କରିବା ପାଇଁ ରେଳ ମନ୍ତ୍ରାଳୟ ଏକ ନୂଆ ପ୍ରସ୍ତାବ ଉପରେ ବିଚାର କରୁଛି। ଏହି ପ୍ରସ୍ତାବ ଅନୁସାରେ ଟ୍ରେନ୍‌ଗୁଡ଼ିକୁ ସେହି ଅଞ୍ଚଳର ବଡ଼ ବଡ଼ ସାହିତ୍ୟିକଙ୍କ ସାହିତ୍ୟ କୃତିକୁ ନେଇ ନାମକରଣ କରାଯିବ। ରେଳ ମନ୍ତ୍ରାଳୟର ଜଣେ ଅଧିକାରୀ ଏକଥା କହିଛନ୍ତି।
ଏହି ପଦକ୍ଷେପସ୍ୱରୂପ ପ୍ରଥମେ ପଶ୍ଚିମବଙ୍ଗରୁ ଏହା ଆରମ୍ଭ ହେବ। ଆଉ କିଛି ଦିନ ମଧ୍ୟରେ ବଙ୍ଗଳା ଯାଉଥିବା ଟ୍ରେନ୍‌ଯାତ୍ରୀମାନେ ଏଭଳି ଏକ ଟ୍ରେନ୍‌ରେ ଯାତ୍ରା କରିବେ, ଯାହାର ନାମ ବଙ୍ଗଳାରେ ବିଶିଷ୍ଟ ଲେଖିକା ମହାଶ୍ୱେତା ଦେବୀଙ୍କ କୌଣସି ସାହିତ୍ୟ କୃତିକୁ ନେଇ ହୋ‍ଇଥିବ। ସେହିଭଳି ବିହାରକୁ ଯାଉଥିବା ଯାତ୍ରୀମାନେ ରାମଧାରୀ ସିଂ ଦିନକରଙ୍କ କୌଣସି ପୁସ୍ତକ ଅନୁଯାୟୀ ନାମକରଣ ହୋ‍ଇଥିବା ଟ୍ରେନ୍‌ରେ ଯାଇପାରିବେ।
ଜାତୀୟ ସ୍ତରରେ ପୁରସ୍କୃତ ହୋ‌ଇଥିବା ବିଭିନ୍ନ ଭାଷାର ବିଭିନ୍ନ ସାହିତ୍ୟ କୃତିର ଏକ ଡାଟାବେସ ରେଳ ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ବିଦାୟୀ ରେଳମନ୍ତ୍ରୀ ସୁରେଶ ପ୍ରଭୁ ଏହି ପ୍ରସ୍ତାବ ଦେଇଥିଲେ। ସୁରେଶ ପ୍ରଭୁଙ୍କ ଯୁକ୍ତି ହେଉଛି ଯେ ଦେଶକୁ ଯୋଡ଼ିବାରେ ଟ୍ରେନ୍‌ଗୁଡ଼ିକର ଯେଉଁ ଅବଦାନ ରହିଛି, ତାହାକୁ ଲକ୍ଷ୍ୟ କରି ଏଭଳି ନାମକରଣ କରାଯିବା ଦରକାର। ଆହୁରି ମଧ୍ୟ ରେଳଯାତ୍ରା ହେଉଛି ଏକ ଧର୍ମ ନିରପେକ୍ଷ ଯାତ୍ରା ଏବଂ ବିଭିନ୍ନ ସଂସ୍କୃତିକୁ ଏହା ଯୋଡ଼ିପାରୁଛି। ଖାଲି ସେତିକି ନୁହେଁ, ସାହିତ୍ୟିକମାନଙ୍କର ବିଶିଷ୍ଟ ପୁସ୍ତକକୁ ନେଇ ଟ୍ରେନ୍‌ର ନାମକରଣ କରାଗଲେ ସାଧାରଣ ଲୋକ ବି ସେହି ସବୁ ପୁସ୍ତକ ବିଷୟରେ ଧାରଣା କରିପାରିବେ।
ବିଶିଷ୍ଟ ସାହିତ୍ୟ କୃତିର ତାଲିକା ପ୍ରସ୍ତୁତି କାର୍ଯ୍ୟରେ କେନ୍ଦ୍ର ସାହିତ୍ୟ ଏକାଡେମୀ ସହଯୋଗ କରୁଛି।
ଅବଶ୍ୟ ପୂର୍ବରୁ ଏଭଳି କିଛି ଟ୍ରେନ୍‌ର ନାମ ପରିବର୍ତ୍ତନ ହୋ‍ଇଛି। ଉଦାହରଣସ୍ୱରୂପ ମୁମ୍ବାଇରୁ ଉତ୍ତରପ୍ରଦେଶକୁ ଯାଉଥିବା ଟ୍ରେନ୍‌ ଭିତରୁ ଗୋଟିଏ ଟ୍ରେନ୍‌ର ନାମ ରଖାଯାଇଛି ‘ଗୋଦାନ’। ମହାନ୍‌ ଲେଖକ ମୁନ୍‌ସି ପ୍ରେମଚାନ୍ଦଙ୍କର ଏକ ପ୍ରସିଦ୍ଧ ଉପନ୍ୟାସ ହେଉଛି ‘ଗୋଦାନ’। ସେହିଭଳି ଉତ୍ତରପ୍ରଦେଶର ଆଜମଗଡ଼ଠାରୁ ଦିଲ୍ଲୀ ଯାଉଥିବା ଏକ ଏକ୍ସପ୍ରେସ ଟ୍ରେନ୍‌ର ନାମ ‘କୈଫିୟତ୍‌’ ଦିଆଯାଇଛି। ପ୍ରସିଦ୍ଧ ଉର୍ଦ୍ଦୁ କବି ଓ ସବାନା ଆଜ୍‌ମିଙ୍କ ପିତା କୈଫି ଆଜ୍‌ମିଙ୍କୁ ନେଇ ଏହି ନାମକରଣ କରାଯାଇଛି। କୈଫି ଆଜ୍‌ମିଙ୍କ ଜନ୍ମ ଆଜମଗଡ଼ରେ।

Tags: Prem Chand, Kaifi Azmi, Trains, Godan Express, Kaifiyat Express, Ramdhari Singh Dinkar, Suresh Prabhu, Godan, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment