ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୩ ବର୍ଷର ଲଢ଼େଇରେ ପଡିଲା ପୂର୍ଣ୍ଣଛେଦ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଏକ ମାଷ୍ଟର ଷ୍ଟ୍ରୋକ ଖେଳି ୪୦+୨୦ ହଜାର ଶିକ୍ଷକ, ଅଧ୍ୟାପକଙ୍କୁ ସନ୍ତୁଷ୍ଟ କରିଛନ୍ତି।
ସପ୍ତମ ବେତନ କମିଶନ ଲାଗୁ କରି ସରକାରୀ କର୍ମଚାରୀଙ୍କୁ ଖୁସ୍ କରିବା ପରେ ବ୍ଲକଗ୍ରାଣ୍ଟ ଉଚ୍ଛେଦ କରିବାକୁ ଘୋଷଣା କରିଛନ୍ତି।
ଫଳରେ ୨୩ ବର୍ଷ ଧରି ଆନ୍ଦୋଳନ କରୁଥିବା ଶିକ୍ଷକ କିଛିମାତ୍ରାରେ ଖୁସି ଜାହିର କରିଛନ୍ତି। ହେଲେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ସହଜରେ ଗ୍ରହଣ କରିପାରି ନାହିଁ। ଏନେଇ ବିଧାନସଭାରେ ଆଇନ୍ ପାସ୍ କରିବାକୁ ସଂଘ ଦାବି କରିଛି।
”୨୩ ବର୍ଷର ଲଢ଼େଇ କିଛି ଛୋଟିଆ ସମୟ ନୁହେଁ। ପୂର୍ଣ୍ଣ ଅନୁଦାନକୁ ଚାହିଁଚାହିଁ କେତେ ଶିକ୍ଷକ ଆରପାରିକୁ ଚାଲି ଗଲେଣି। ଆଉ କେତେକ ଦୁର୍ଘଟଣାର ସମ୍ମୁଖୀନ ହୋଇ ମୃତୁ୍ୟ ସହ ସଂଘର୍ଷ କରୁଛନ୍ତି। ହେଲେ ୨୩ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଶିକ୍ଷକମାନଙ୍କ ମନରେ କିଛିଟା ଆଶା ସଞ୍ଚାର କରିଛି। ତେବେ ଖାଲି ଘୋଷଣା କରିଦେଲେ ଚଳିବ ନାହିଁ। ଏନେଇ ଆଇନ୍ ପାସ୍ କରିବା ପାଇଁ ଆମେ ଦାବି କରୁଛୁ। ନଚେତ୍ ଘୋଷଣା କେବଳ ଘୋଷଣାରେ ହିଁ ରହିଯିବ”, ଏହା ଓଡିଶାଲାଇଭକୁ କହିଛନ୍ତି ଏସଟିଏଫ୍ଓ ଆବାହକ ପ୍ରକାଶ ଚନ୍ଦ୍ର ମହାନ୍ତି।
୧୯୯୪ ମସିହାରୁ ଆରମ୍ଭ ହେଲାଣି ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଆନ୍ଦୋଳନ। ପ୍ରଥମେ ଅନୁଦାନ ପାଇଁ ଦାବି କରୁଥିଲେ। ହେଲେ ୨୦୦୪ରେ ରାଜ୍ୟ ସରକାର ବ୍ଲକଗ୍ରାଣ୍ଟ ବ୍ୟବସ୍ଥା ଲାଗୁ କରିଥିଲେ। ତେବେ ଏଥିରେ ଅସନ୍ତୁଷ୍ଟ ହୋଇ ଶିକ୍ଷକମାନେ ଏକତ୍ରିତ ହୋଇ ଆନ୍ଦୋଳନକୁ ଓହ୍ଲାଉଥିଲେ।
ବ୍ଲକଗ୍ରାଣ୍ଟ ଉଚ୍ଛେଦ ଦାବିରେ ଗାଁ ଗହଳିର ଶିକ୍ଷକ ଛୁଟି ଆସୁଥିଲେ ରାଜଧାନୀ ଅଭିମୁଖେ। ହେଲେ ସରକାର ଶିକ୍ଷକମାନଙ୍କୁ ଲଲି ପପ୍ ଧରାଇ ଆସୁଥିଲେ। ପରିସ୍ଥିତି ଅସମ୍ଭାଳ ହେବାରୁ ସରକାର ଶେଷରେ ଶିକ୍ଷକଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଛନ୍ତି। ଗ୍ରାଣ୍ଟ-ଇନ୍-ଏଡ୍ ବ୍ୟବସ୍ଥା ଲାଗୁ ହେବା ପରେ ରାଜ୍ୟର ୬୦ ହଜାର ଶିକ୍ଷକ, କର୍ମଚାରୀ ଉପକୃତ ହେବେ ବୋଲି ଜଣାପଡିଛି।
୨୦୧୮ ଜାନୁୟାରୀରୁ ପୂରା ଦରମା ମିଳିବ। ତେବେ ପେନସନ୍ କିମ୍ବା ସପ୍ତମ ବେତନ କମିଶନ ଲାଗୁ ହେବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି।
କିଏ ପାଇବେ କେତେ :
ଗ୍ରାଣ୍ଟ-ଇନ୍-ଏଡ୍ ବ୍ୟବସ୍ଥା ଲାଗୁ ହେବା ପରେ ସ୍କୁଲ ଶିକ୍ଷକମାନେ ୩୪ ହଜାର ଟଙ୍କା ପାଇବେ। ବ୍ଲକଗ୍ରାଣ୍ଟ ବ୍ୟବସ୍ଥାରେ ଏମାନେ ୧୬ ହଜାର ଟଙ୍କା ଦରମା ପାଉଥିଲେ।
୬୬୨ ବର୍ଗ କଲେଜ ଅଧ୍ୟାପକମାନେ ବ୍ଲକଗ୍ରାଣ୍ଟ ବ୍ୟବସ୍ଥାରେ ୧୮ ହଜାର ପାଉଥିଲେ। ଏବେ ପାଇବେ ୩୫ ହଜାର।
୪୮୮ ବର୍ଗ କଲେଜ ଅଧ୍ୟାପକ ୨୦ ହଜାର ପାଉଥିଲେ। ଏବେ ପାଇବେ ୩୮ ହଜାର ଟଙ୍କା।
ଗ୍ରାଣ୍ଟ-ଇନ୍-ଏଡ୍ ବ୍ୟବସ୍ଥା ଲାଗୁ ହେବା ପରେ କେଉଁ କଲେଜର କେତେ କର୍ମଚାରୀ ଉପକୃତ ହେବେ ତାକୁ ନେଇ ଚର୍ଚ୍ଚା ଚାଲିଛି।
ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ପ୍ରାୟ ୪ ହଜାର ବିଦ୍ୟାଳୟର ୪୦ ହଜାର ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଉପକୃତ ହେବେ।
୪୮୮ ଏବଂ ୬୬୨ ବର୍ଗ କଲେଜର ୨୦ ହଜାରରୁ ଊର୍ଦ୍ଧ୍ୱ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀଙ୍କ କ୍ଷେତ୍ରରେ ବି ଏହି ନୂଆ ନିୟମ ଲାଗୁ ହେବ।
Tags: Bhubaneswar News, Block Grant Colleges, Block Grant High schools, Block Grant Teachers, Breaking News, Dharmendra Pradhan, Latest News, Naveen Patnaik, Odisha Breaking News, Odisha CM, Odisha Education, Odisha News, Odisha Stories, Odisha Top Stories, Sikhya Sahayaka Rally, Teachers Strikes, Top Stories

Comment