ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଗ୍ ବଜେଟ୍ ଫିଲ୍ମକୁ ନେଇ ଏବେ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ଚହଳ ସୃଷ୍ଟି ହୋଇଛି।
ବାହୁବଳି-୧ ଏବଂ ୨ରେ ଯେତିକି ଅର୍ଥ ବ୍ୟୟ ହୋଇଥିଲା ତାଠୁ ଦୁଇଗୁଣା ବଜେଟରେ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି, ଯାହାର ଟାଇଟେଲ ରହିଛି ‘ରାଣ୍ଡାମୁଝମ’। ବାହୁବଳିରେ ୪୩୦ କୋଟି ବ୍ୟୟ ହୋଇଥିବା ବେଳେ ‘ରାଣ୍ଡାମୁଝମ’ରେ ୧୦୦୦ କୋଟି ଖର୍ଚ୍ଚ ହେବ ବୋଲି ଜଣାପଡିଛି।
ସୁଟିଂ ଆରମ୍ଭ ହେବା ପୂର୍ବରୁ ଏହି ବିଗ୍ ବଜେଟ୍ ଫିଲ୍ମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସଂସ୍କୃତ କାବ୍ୟ ‘ମହାଭାରତ’ର ପୃଷ୍ଠଭୂମିକୁ ନେଇ ଏହି ଫିଲ୍ମ ନିର୍ମାଣ କରିବାକୁ ପ୍ରଯୋଜନା ସଂସ୍ଥା ଅଣ୍ଟା ଭିଡିଛି।ଦୁଇଟି ପାର୍ଟରେ ଏହି ଫିଲ୍ମ ପରଦା ଉପରକୁ ଆସିବ । ଏଥିପାଇଁ ୟୁନାଇଟେଡ୍ ଆରବର କୋଟିପତି ବ୍ୟବସାୟୀ ବି.ଆର୍ ସେଟ୍ଟୀ ୧୦୦୦ କୋଟି ଖର୍ଚ୍ଚ କରିବାକୁ ଆଗେଇ ଆସିଛନ୍ତି। ‘ମହାଭାରତ’ ବାହୁବଳୀ ରେକର୍ଡ କାଟିବ ବୋଲି ପ୍ରଯୋଜନା ସଂସ୍ଥା ଆଶାବାଦୀ ଅଛି।
ମାଲାୟାଲାମ ଲେଖକ ତଥା ସ୍କ୍ରିନରାଇଟର ଏମ.ଟି ବାସୁଦେବନ ନାୟର ଫିଲ୍ମର ସ୍କ୍ରିନପ୍ଲେ ଦାୟିତ୍ୱ ନେଇଛନ୍ତି। ୧୦୦ଟି ଭାଷାରେ ଏହି ଫିଲ୍ମ ଡବିଂ ହେବ। ବିଶ୍ୱର ୩ ବିଲିୟନ ଲୋକେ ଫିଲ୍ମକୁ ଗ୍ରହଣ କରିବେ ବୋଲି ସେଟ୍ଟୀ କହିଛନ୍ତି।
ରାଣ୍ଡାମୁଝମର ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ଭି.ଏ ଶ୍ରୀକୁମାର। ଏହି ଫିଲ୍ମ ଓସ୍କାର ପୁରସ୍କାର ପାଇବ ବୋଲି ନିର୍ଦ୍ଦେଶକ ଆଶାବାଦୀ ଅଛନ୍ତି। ବିଶ୍ୱର ପ୍ରତିଭାବାନ୍ କଳାକାରଙ୍କୁ ନେଇ ଏହି ଫିଲ୍ମ ନିର୍ମାଣ କରାଯିବ। ମହାଭାରତକୁ ନେଇ ବିଗତ ଦିନରେ ଅନେକ ଫିଲ୍ମ ଏବଂ ଧାରାବାହିକ ନିର୍ମାଣ କରାଯାଇଛି। ୧୯୮୫ରେ ଏହାକୁ ନେଇ ମଞ୍ଚ ନିର୍ଦ୍ଦେଶକ ପିଟର ବ୍ରୁକ୍ ଇଂରାଜି ଭାଷାରେ ୯ ଘଣ୍ଟିଆ ନାଟକ ତିଆରି କରିଥିଲେ।
୨୦୧୮ ସେପ୍ଟେମ୍ବରରେ ‘ରାଣ୍ଡାମୁଝମ’ର ସୁଟିଂ ଆରମ୍ଭ ହେବ। ୨୦୨୦ ଆରମ୍ଭରୁ ଫିଲ୍ମର ପ୍ରଥମ ଭାଗ ପରଦାକୁ ଆସିବ। ୯୦ ଦିନ ପରେ ଦ୍ୱିତୀୟ ଭାଗ ପୁଣି ରିଲିଜ୍ ହେବ। ଏଥିରେ ଭୀମ ଭୂମିକାରେ ପ୍ରତିଷ୍ଠିତ କଳାକାର ମୋହନଲାଲ ଅଭିନୟ କରୁଛନ୍ତି।
ମୋହନଲାଲ କହିଛନ୍ତି ଯେ ଭୀମ ଭୂମିକାରେ ଅଭିନୟ କରୁଥିବାରୁ ସେ ବହୁତ ଖୁସି। ଏଣୁ ପ୍ରଯୋଜନା ସଂସ୍ଥାର ସମସ୍ତ କର୍ମଚାରୀଙ୍କୁ ସେ ଏଥିପାଇଁ ଧନ୍ୟବାଦ ଦେଇଛନ୍ତି। ଏହି ଫିଲ୍ମ ଭାରତୀୟ ଭାଷା ତାମିଲ, ତେଲୁଗୁ, କନ୍ନଡରେ ଡବିଂ ହେବ। ବିଦେଶର କିଛି ପ୍ରମୁଖ ଭାଷାରେ ମଧ୍ୟ ଏହି ଫିଲ୍ମ ଡବିଂ କରି ବିଶ୍ୱବ୍ୟାପି ପ୍ରଚାର ପ୍ରସାର କରିବାକୁ ପ୍ରଯୋଜନା ସଂସ୍ଥା ଲକ୍ଷ୍ୟ ରଖିଛି।
Tags: M.T Basudevan, Randamoozham, V. A Shrikumar, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

Comment