ଓଡ଼ିଶାଲାଇଭ ବ୍ୟୁରୋ

ଫେସବୁକରେ ହୋଇଥିଲା ପରିଚୟ। ଆଉ ତା’ ପରେ ଆରମ୍ଭ ହୋଇଥିଲା ଚାଟିଂ। ଘର କଥାଠାରୁ ଆରମ୍ଭ କରି ବ୍ୟକ୍ତିଗତ କଥା ପର୍ଯ୍ୟନ୍ତ ଚାଲିଥିଲା ଘଣ୍ଟା ଘଣ୍ଟା ଧରି ଚାଟିଂ।
ଏପରିକି ବିଶ୍ୱାସରେ ଫଟୋ ଦିଆନିଆ ମଧ୍ୟ ଚାଲିଥିଲା। ହେଲେ ଏହି ଫେସବୁକ୍ ସମ୍ପର୍କ ଏବେ ମହଙ୍ଗା ପଡିଛି।
ଚାଟିଂ ଓ ଅଶ୍ଲୀଳ ଫଟୋକୁ ନେଇ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ମହାଭାରତ ସୃଷ୍ଟି ହୋଇଛି। ଚାଟିଂ ଏବଂ ଫଟୋକୁ ନେଇ ଜଣେ ଯୁବକ ଜନୈକା ମହିଳାଙ୍କୁ ବ୍ଲାକମେଲିଂ କରିବାରୁ ପରିସ୍ଥିତି ଅସମ୍ଭାଳ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଟାଉନ ଥାନା ଅଞ୍ଚଳର ଜନୈକା ଯୁବତୀ ପାଟକୁରାର ପରୁହାଁ ଗ୍ରାମର ମନୋଜ ନାୟକଙ୍କୁ ପ୍ରେମ ବିବାହ କରିଥିଲେ।
ବିବାହର କିଛି ବର୍ଷ ପରେ ଉକ୍ତ ମହିଳା ପଟ୍ଟାମୁଣ୍ଡାଇ ଅଞ୍ଚଳର ଜଣେ ଯୁବକଙ୍କ ସହ ଫେସବୁକରେ ପରିଚିତ ହୋଇ ବନ୍ଧୁତା ସ୍ଥାପନ କରିଥିଲେ। କିଛିଦିନ ଧରି ଉଭୟଙ୍କ ମଧ୍ୟରେ ଚାଟିଂ ଚାଲିଥିଲା। ସମ୍ପର୍କ ଘନିଷ୍ଠ ହେବା ପରେ ଯୁବକ ଜଣଙ୍କ ମହିଳାଙ୍କୁ ଟଙ୍କା ମାଗିଥିଲେ। ହେଲେ ମହିଳା ଜଣକ ଏଥିରେ ରାଜି ନ ହେବାରୁ ଯୁବକ ଜଣକ ତାଙ୍କୁ ବ୍ଲାକମେଲିଂ କରିଥିଲେ। ମହିଳାଙ୍କର କିଛି ଅଶ୍ଲୀଳ ଫଟୋ ସ୍ୱାମୀ ଏବଂ ଭାଇଙ୍କୁ ପଠାଇଦେବେ ବୋଲି ଯୁବକ ଧମକ ଦେଇଥିଲେ।
ଘଟଣା ସମ୍ପର୍କରେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ କହିବା ପରେ ଉକ୍ତ ଯୁବକଙ୍କୁ ପାନେ ଦେବା ପାଇଁ ଉଭୟ ଯୋଜନା କରିଥିଲେ। ଟଙ୍କା ଦେବାକୁ କହି ଉକ୍ତ ମହିଳା ଜଣକ ଯୁବକଙ୍କୁ ପଟ୍ଟାମୁଣ୍ଡାଇ ସବ ରେଜିଷ୍ଟ୍ରାର ଅଫିସ ନିକଟକୁ ଡାକିଥିଲେ।
ଯୁବକ ଜଣକ ଟଙ୍କା ନେବା ଆଶାରେ ମହିଳାଙ୍କ କଥା ଅନୁଯାୟୀ ସବ୍-ରେଜିଷ୍ଟ୍ରାର ଅଫିସ ନିକଟରେ ପହଞ୍ଚିଥିଲେ। ସେହି ସମୟରେ ମହିଳାଙ୍କ ସ୍ୱାମୀ ମନୋଜ ଏବଂ ଅନ୍ୟ କିଛି ଲୋକ ଉକ୍ତ ଯୁବକଙ୍କୁ କାବୁ କରି ମାଡ ମାରିଥିଲେ।

Tags: Social Media, Facebook, Chatting, Blackmailing, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

 

Comment