ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିନକୁ ଦିନ ସାଇବର ଠକେଇ ବଢ଼ିଚାଲିଛି। ଆଉ ଏବେ ଏହି ସାଇବର ଠକମାନେ ଲୋକଙ୍କୁ ଠକିବା ଲାଗି ନୂଆ ଉପାୟ ଆପଣେଇଛନ୍ତି। ଏମାନେ ଫେସ୍‌ବୁକ୍‌ରେ ବିଭିନ୍ନ ଝିଅ, ପୁଅଙ୍କ ଆର୍ଷଣୀୟ ଚେହେରାର ଫଟୋକୁ ଅପଲୋଡ୍ କରି ଅନ୍ୟମାନଙ୍କ ସହ ପ୍ରଥମେ ବନ୍ଧୁତ୍ୱ ସ୍ଥାପନ କରୁଛନ୍ତି। ପରବର୍ତ୍ତୀ ସମୟରେ ହ୍ୱାଟ୍‌ସ୍ଆପ୍‌‌ ନମ୍ବର ନେଇ ଅଶ୍ଳୀଳ ଭିଡିଓ ଏବଂ ଫଟୋ ଚାଟ୍ କରୁଛନ୍ତି। ସାଇବର ଠକମାନଙ୍କ ମାୟାଜାଲକୁ ବୁଝିନପାରି ଯେଉଁମାନେ ହ୍ୱାଟସ୍‌ଆପ୍‌ରେ  ଚାଟ୍ କରୁଛନ୍ତି ପରବର୍ତ୍ତୀ ସମୟରେ ସେମାନେ ଠକମାନଙ୍କ ବ୍ଲାକମେଲର ଶିକାର ହେଉଛନ୍ତି।

ସାଇବର୍ ଠକମାନେ ବହୁ ଯୁବତୀ ଏବଂ ଯୁବକଙ୍କ ଗୋପନୀୟ ଫଟୋ ଓ ଭିଡିଓକୁ ସୋସିଆଲ୍ ମିଡିଆ ପ୍ରଘଟ କରିବା ନାଁରେ ଏବେ ଲକ୍ଷାଧିକ ଟଙ୍କା ପ୍ରତିଦିନ ଠକୁଥିବା ନେଇ ମାଳ ମାଳ ଅଭିଯୋଗ କ୍ରାଇମବ୍ରାଞ୍ଚରେ ପହଞ୍ଚୁଛି।

ସାଇବର ଠକମାନଙ୍କ ଏପରି ଶୋଷଣ ଏବେ ସମସ୍ତଙ୍କ ଚିନ୍ତା ବଢାଇଛି। ଏପରି ସ୍ଥିତିରେ ସାଇବର ଠକମାନଙ୍କ ମାୟାଜାଲରୁ ରାଜ୍ୟର ବିଭିନ୍ନ ବ୍ୟକ୍ତିବିଶେଷ ବିଶେଷତଃ ଯୁବପିଢିଙ୍କୁ ରକ୍ଷା କରିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ସତର୍କ ସୂଚନା ସ୍ୱରୂପ ଏକ ମାର୍ଗଦର୍ଶିକା ଜାରି କରାଯାଇଛି।

କ୍ରାଇମବ୍ରାଞ୍ଚରୁ ମିଳିଥିବା ସୂଚନାନୁସାରେ, ସାଇବର୍ ଠକମାନେ ପ୍ରଥମେ ଫେସ୍‌ବୁକ୍‌ର ବିଭିନ୍ନ ପ୍ରୋଫାଇଲ୍ ଦେଖି ସେମାନଙ୍କ କାରସାଦି ଚଳାଇଛନ୍ତି। ଠକମାନେ ମୁଖ୍ୟତଃ ନିଜ ପ୍ରୋଫାଇଲ୍‌ରେ ଆକର୍ଷଣୀୟ ଫଟୋ ରଖି ବିଭିନ୍ନ ଫେସ୍‌ବୁକ୍ ଆକାଉଣ୍ଟଧାରୀଙ୍କ ନିକଟକୁ ବନ୍ଧୁ ହେବା ପାଇଁ ଅନୁରୋଧ ପଠାଉଛନ୍ତି। ଠକମାନଙ୍କ ପ୍ରୋଫାଇଲ୍‌ରେ ଥିବା ସୁନ୍ଦର ଫଟୋ ଦେଖି ଅନେକ ଭୋଳ ହୋଇଯାଇ ସେମାନଙ୍କ ଫ୍ରେଣ୍ଡ ରିକ୍ୟୁଏଷ୍ଟକୁ ଗ୍ରହଣ କରୁଛନ୍ତି। ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରେ ମେସେଞ୍ଜର୍‌ରେ ଚାଟିଂ ହେଉଛି।

ସାଇବର ଠକମାନେ ଯୁବକ ବା ଯୁବତୀମାନଙ୍କ ହ୍ୱାଟସ୍‌ଆପ୍ ନମ୍ବର ମାଗି ନେଇଯାଉଛନ୍ତି। ହ୍ୱାଟସ୍ଆପ୍‌ ମେସେଜ୍ ଦିଆନିଆ ଭିତରେ ସମ୍ପର୍କ ନିବିଡ଼ ହୋଇଯିବା ପରେ ଏହାର ସୁଯୋଗ ନେଉଛନ୍ତି ସାଇବର ଅପରାଧୀ।

ମଉକା ଦେଖି ଠକମାନେ ଯୁବକ ଏବଂ ଯୁବତୀଙ୍କ ଅଶ୍ଲୀଳ ଫଟୋ ଏବଂ ଭିଡିଓକୁ ନିଜ ମୋବାଇଲ୍ ସ୍କ୍ରିନ୍ ରେକର୍ଡ ମାଧ୍ୟମରେ ରେକର୍ଡିଂ କରାଇ ନେଉଛନ୍ତି। ଗୋପନୀୟ ଫଟୋ ହାସଲ କରୁଛନ୍ତି। ଏହାପରେ ବ୍ଲାକମେଲ୍ କରୁଛନ୍ତି। ଯୁବତୀ ଏବଂ ମହିଳାମାନେ ଏହାର ଅଧିକ ଶିକାର ହେଉଥିବାର କ୍ରାଇମବ୍ରାଞ୍ଚ ନିକଟରେ ଅଭିଯୋଗ ମିଳିଛି। ହ୍ୱାଟସ୍‌ଆପରେ ମହିଳା ତଥା ଯୁବତୀମାନେ ଫେସ୍‌ବୁକ୍ ବନ୍ଧୁ ନିକଟକୁ ପଠାଇଥିବା ଅଶ୍ଳୀଳ ଫଟୋ ଏବଂ ଭିଡିଓକୁ ସେମାନଙ୍କ ପରିବାର ଲୋକଙ୍କୁ ବା ସୋସିଆଲ ମିଡିଆରେ ପୋଷ୍ଟ କରିଦେବାର ଧମକ ଦେଇ ଠକମାନେ ପୀଡ଼ିତାଙ୍କୁ ଶୋଷଣ କରୁଛନ୍ତି। ଗୁଗୁଲ୍ ପେ, ଫେନ୍ ପେ ମାଧ୍ୟମରେ ଟଙ୍କା ପଠାଇବାକୁ ସାଇବର ଠକମାନେ ଅନେକଙ୍କୁ ବାଧ୍ୟ କରୁଛନ୍ତି।

ପ୍ରତିଦିନ ବହୁ ଅଭିଯୋଗ କ୍ରାଇମବ୍ରାଞ୍ଚ ସାଇବର ଥାନା ସମେତ ରାଜ୍ୟର ଅନ୍ୟ ଥାନା, ଫାଣ୍ଡିରେ ଏତଲା ଦାଏର ହେଉଥିବା ସୂଚନା ମିଳିଛି। ଏଭଳି ଅପରାଧକୁ ରୋକିବା ଲାଗି ଅଜଣା ଏବଂ ଅଚିହ୍ନା ଫେସବୁକ୍ ଆକାଉଣ୍ଟରୁ ଭାସୁଥିବା ବନ୍ଧୁ ଅନୁରୋଧ (ଫ୍ରେଣ୍ଡ ରିକ୍ୟୁଏଷ୍ଟ)କୁ ସଠିକ୍ ଯାଞ୍ଚ ନକରି ଗ୍ରହଣ ନକରିବା ପାଇଁ ପରାମର୍ଶ ଦିଆଯାଇଛି। ସେହିପରି କାହାରି ସହ ଅଶ୍ଳୀଳ ବା ଗୋପନୀୟ ଭିଡିଓ ଏବଂ ଫଟୋ ଚାଟ୍ ବା ସେୟାର୍ ନକରିବା ପାଇଁ ମଧ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

Comment