ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ପ୍ରେମ’ ଦୁଇଟି ଅକ୍ଷରର ଏହି ଶବ୍ଦ କେତେ ଶକ୍ତିଶାଳୀ ତାହା ପୁଣିଥରେ ପ୍ରମାଣିତ ହୋଇଛି। ଅତୀତରେ ପ୍ରେମ ପାଇଁ ରାଜପଦକୁ ଅନେକ ତୁଚ୍ଛ ମନେ କରିଛନ୍ତି। ପ୍ରେମ ପାଇଁ ଯୁଦ୍ଧ ହୋଇଛି, ପ୍ରେମ ପାଇଁ ସର୍ବସ୍ୱ ତ୍ୟାଗ କରିବାର ନଜିର ମଧ୍ୟ ରହିଛି। ଏବେ ଏହା ସହିତ ଆଉ ଏକ ପ୍ରେମ କାହାଣୀ ଯୋଡ଼ିଡ଼ି ହୋଇଯାଇଛି। ଯାହାକୁ ନେଇ ସାରା ବିଶ୍ୱରେ ଏବେ ଚର୍ଚ୍ଚା।
ରାଜ ପରିବାର ତ୍ୟାଗ କରିବାକୁ ଘୋଷଣା କରିଛନ୍ତି ଜାପାନର ସମ୍ରାଟ ଅକିହିଟୋଙ୍କ ବଡ଼ ନାତୁଣୀ ରାଜକନ୍ୟା ମାକୋ। ଗତ ରବିବାର ଦିନ ନିଜ ୟୁନିଭରସିଟି ସହପାଠୀ କେଇ କୋମୁରୋଙ୍କୁ ବିବାହ କରିବାକୁ ଘୋଷଣା କରିଛନ୍ତି ରାଜକନ୍ୟା ମାକୋ। କୋମୁରୋ ଜଣେ ସାଧାରଣ ବ୍ୟକ୍ତି ହୋଇଥିବାରୁ ମାକୋଙ୍କୁ ରାଜପରିବାର ଛାଡ଼ିବାକୁ ପଡ଼ିବ। ଜାପାନ ରାଜ ପରମ୍ପରା ଅନୁଯାୟୀ ଜଣେ ସାଧାରଣ ବ୍ୟକ୍ତିଙ୍କୁ ରାଜକନ୍ୟା ବିବାହ କଲେ ତାଙ୍କୁ ଆଉ ରାଜ ମର୍ଯ୍ୟାଦା ମିଳିବ ନାହିଁ।
୫ ବର୍ଷ ତଳେ ପ୍ରିନ୍ସେସ ମାକୋ ଏବଂ ମିଷ୍ଟର କୋମୁରୋ ପରସ୍ପରକୁ ଟୋକିଓ ଇଣ୍ଟରନ୍ୟାସନାଲ ଖ୍ରୀଷ୍ଟିଆନ ୟୁନିଭରିସିଟିରେ ପାଠ ପଢିବା ବେଳେ ଭେଟିଥିଲେ। ପ୍ରଥମ ଦେଖାରୁ ଦୁହିଁଙ୍କ ମଧ୍ୟରେ ପ୍ରେମସଂପର୍କ ଗଢି ଉଠିଥିଲା। ରାଜ ପରିବାରର ପ୍ରତିବନ୍ଧକ ସେମାନଙ୍କୁ ଅଟକାଇ ପାରିନଥିଲା। ଦୁଇ ଜଣ ବିବାହ କରିବାକୁ ନିଷ୍ପତି ନେଇଥିଲେ। ବର୍ତ୍ତମାନ ଉଭୟଙ୍କ ବୟସ ୨୫ ବର୍ଷ।
ରାଜକନ୍ୟା ମାକୋ କହିଛନ୍ତି ଯେ ପ୍ରଥମ ଦେଖାରେ କୋମୁରୋଙ୍କ ସ୍ମିତହସ ତାଙ୍କୁ ଆକର୍ଷିତ କରିଥିଲା।
୨୦୧୩ ଡ଼ିସେମ୍ବର ମାସର ଏକ ସଂଧ୍ୟାରେ ଡିନର ଖାଇସାରିବା ପରେ କୋମୁରୋ ବିବାହ ପ୍ରସ୍ତାବ ଦେଇଥିଲେ ମାକୋ।
ଜାପାନ ରାଜ ପରମ୍ପରା ଅନୁଯାୟୀ ଯଦି କୌଣସି ରାଜକନ୍ୟା ଜଣେ ସାଧାରଣ ବ୍ୟକ୍ତିଙ୍କୁ ବିବାହ କରେ ତେବେ ତାଙ୍କୁ ରାଜପରିବାର ଛାଡ଼ିବାକୁ ପଡ଼ିବ। ଆଉ ତାଙ୍କୁ ରାଜକୀୟ ମର୍ଯ୍ୟାଦା ମିଳିବ ନାହିଁ। ତେବେ ନିଜ ପ୍ରେମ ପାଇଁ ଏସବୁ ପଦ ମର୍ଯ୍ୟାଦା ଛାଡ଼ିବାକୁ ମନସ୍ଥ କରିଥିଲେ ରାଜଜେମା ମାକୋ।
ବାପା ପ୍ରିନ୍ସ ଅକିସିନୋ ମାଆ ପ୍ରିନ୍ସେସ କିକୋଙ୍କ ସହ କୋମୁରୋଙ୍କୁ ଭେଟ କରାଇଥିଲେ ମାକୋ। କୋମୁରୋଙ୍କୁ ବିବାହ କରି ସାରା ଜୀବନ ବିତାଇବାକୁ ନିଷ୍ପତ୍ତି ନେଇଥିବା ସଂପର୍କରେ ମଧ୍ୟ ସେ କହିଥିଲେ। ପ୍ରଥମେ ଅରାଜି ଥିଲେ ବି ପରେ ଝିଅର ପ୍ରେମକୁ ସ୍ୱୀକାର କରିଥିଲେ ମାକୋଙ୍କ ବାପା-ମାଆ।
ବିବାହ ପାଇଁ ରାଜି ହୋଇଥିବାରୁ ପ୍ରିନ୍ସ ଅକିସିନୋ ଏବଂ ପ୍ରିନ୍ସେସ କିକୋଙ୍କୁ ଧନ୍ୟବାଦ ଜଣାଇଛନ୍ତି କୋମୁରୋ।
ସେହିପରି ପ୍ରିନ୍ସେସ ମାକୋଙ୍କ ଜେଜେ ବାପା ୮୩ ବର୍ଷୀୟ ସମ୍ରାଟ ଅକିହିଟୋ ଏବଂ ପ୍ରିନ୍ସେସ ମିଚିକୋ ମଧ୍ୟ ଏହି ବିବାହରେ ସମ୍ମତି ପ୍ରକାଶ କରିଛନ୍ତି।
ମାକୋ କହିଛନ୍ତି, “ମୁଁ ପ୍ରଥମରୁ ଜାଣିଥିଲି, ବିବାହ କରିବା ପରେ ମୋତେ ରାଜକୀୟ ମର୍ଯ୍ୟାଦା ଛାଡ଼ିବାକୁ ପଡ଼ିବ। ରାଜ ପରିବାରର ସଦସ୍ୟ ଭାବେ ମୋର ଦାୟିତ୍ୱ ମୁଁ ପାଳନ କରିଆସିଛି। ଏବେ ମୋତେ ମୋ ଜୀବନରେ ଆଗେଇବାକୁ ପଡ଼ିବ।”
ଟୋକିଓ ଇଣ୍ଟରନ୍ୟାସନାଲ ଖ୍ରୀଷ୍ଟିଆନ ୟୁନିଭରିସିଟିରେ ପିଏଚଡି କରୁଥିବାବେଳେ ମାକୋ ଭେଟିଥିଲେ କୋମୁରୋଙ୍କୁ। ଜାପାନ ରାଜଜେମା ମାକୋ ଏବେ ମ୍ୟୁଜିୟମ ଗବେଷକ ଭାବେ କାର୍ଯ୍ୟ କରୁଛନ୍ତି। ପ୍ରେମିକ କେଇ କୋମୁରୋ ଏକ ଲ’ ଫାର୍ମରେ କାର୍ଯ୍ୟ କରୁଛନ୍ତି।
ଗତ ଜୁଲାଇରେ ବିବାହ କରୁଥିବା ନେଇ ଘୋଷଣା କରିବାକୁ ଦୁଇଜଣ ସ୍ଥିର କରିଥିଲେ। ହେଲେ ପଶ୍ଚିମ ଜାପାନରେ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହେବାରୁ ଅଗଷ୍ଟ ପ୍ରଥମ ସପ୍ତାହକୁ କାର୍ଯ୍ୟକ୍ରମ ଘୁଞ୍ଚାଯାଇଥିଲା।
ଆସନ୍ତା ବର୍ଷ ମାକୋ ଓ କୋମୁରୋ, ଉଭୟ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ପୁଣିଥରେ ସଫଳ ହେବାକୁ ଯାଉଛି ଆଉ ଏକ ନିଆରା ପ୍ରେମକାହାଣୀ।

Tags: Macco, Komuro, Japan Lovestory, Social Media, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

Comment