ଓଡ଼ିଶାଲାଇଭ୍‌ ବ୍ୟୁରୋ

ଐତିହାସିକ ସହର କଟକ ପାଲଟିଛି ନାଟ୍ୟପ୍ରେମୀଙ୍କ ପାଇଁ ମନୋରଞ୍ଜନର ଉତ୍ସ। କଟକସ୍ଥିତ କଳା ବିକାଶ କେନ୍ଦ୍ର ମଞ୍ଚରେ ପ୍ରଦର୍ଶିତ ହେଉଛି ସଙ୍ଗୀତ, ନାଟକ ତଥା ନୃତ୍ୟର ସମାଗମ।
ଓଡ଼ିଶା ବ୍ୟତୀତ ପ୍ରାୟ ୨୦ଟି ଅନ୍ୟାନ୍ୟ ରାଜ୍ୟର କଳାକାରମାନଙ୍କ ସମେତ ୧୨ଟି ଦେଶର କଳାକାରମାନେ ପ୍ରତିଦିନ ସେମାନଙ୍କ ନିଖୁଣ ଅଭିନୟ ତଥା ସଂସ୍କୃତି ମାଧ୍ୟମରେ ଦର୍ଶକଙ୍କୁ ବିମୋହିତ କରୁଛନ୍ତି। ଏହା ମାଧ୍ୟମରେ କେବଳ ଯେ କଳାର ପ୍ରଦର୍ଶନ ହେଉଛି ତାହା ନୁହେଁ, ବରଂ ବିଭିନ୍ନ ଦେଶର ସଂସ୍କୃତି ସହ ଆମେ ପରିଚିତ ହେବାର ସୁଯୋଗ ହାତେଇଛୁ।
ଏତଦ୍ ବ୍ୟତୀତ ଏପରି ଏକ ବିଶ୍ୱ ନାଟକ ମେଳା ଆୟୋଜନ କରିବା ଦ୍ୱାରା  ଦେଶ ଦେଶ ମଧ୍ୟରେ ବନ୍ଧୁତା ସୁଦୃଢ ହେବା ତଥା ସୌହାର୍ଦ୍ଦ୍ୟ ଭାବ ମଧ୍ୟ ବୃଦ୍ଧି ପାଇବାରେ ସହାୟକ ହେଉଛି।
ଏଥର ‘ଇଣ୍ଡିଆ ଥିଏଟର ଅଲମ୍ପିଆଡ’ର ୨୫ତମ ସିଲଭର ଜୁବଲି ଅବସରରେ ବିଭିନ୍ନ ଧରଣର ତଥା ସ୍ୱାଦର ନାଟକ ମାନ ମଞ୍ଚସ୍ଥ ହେଉଛି।
ସେପ୍ଟେମ୍ବର ମାସ ୧ ତାରିଖରେ ଆରମ୍ଭ ହୋଇଥିବା ଥିଏଟର ଅଲମ୍ପିଆଡ୍ ସେପ୍ଟେମ୍ବର ମାସ ୧୨ ତାରିଖ ଯାଏଁ ଚାଲୁ ରହିବ। ଉତ୍କଳ ଯୁବ ସାଂସ୍କୃତିକ ସଂଘ ଦ୍ୱାରା ଆୟୋଜିତ ଏହି ବିଶ୍ୱ ନାଟକ ମେଳାକୁ ଓଡ଼ିଶା ଟୁରିଜମ୍ ଆଣ୍ଡ୍ କଲଚର ଡିପାର୍ଟମେଣ୍ଟ୍ ଏବଂ କଟକ ଡିଷ୍ଟ୍ରିକ୍ଟ୍‌ ଆଡମିନିଷ୍ଟ୍ରେସନ ମଧ୍ୟ ସହଯୋଗ କରୁଛନ୍ତି।
ଏହି ନାଟକ ମେଳାରେ ୧୦୦ରୁ ଊର୍ଦ୍ଧ୍ୱ ସାଂସ୍କୃତିକ  ଅନୁଷ୍ଠାନ ତଥା ୨,୦୦୦ରୁ ଅଧିକ କଳାକାର ଭାଗ ନେଇଛନ୍ତି। ଏଥିରେ ଭାଗ ନେଇଥିବା ଦେଶମାନଙ୍କ ମଧ୍ୟରେ ଋଷିଆ, ସରବିଆ, କ୍ରୋଏସିଆ, ଜର୍ଜିଆ, ଆର୍ଜେଣ୍ଟିନା, ମେକ୍ସିକୋ, ବ୍ରାଜିଲ୍, ସାଉଥ୍ ଆଫ୍ରିକା, ମରୋକ୍କୋ,  ଇରାନ, ବାଙ୍ଗଲାଦେଶ ଓ ନେପାଲ ଅନ୍ୟତମ।
ଗତ ୨୪ ବର୍ଷ ମଧ୍ୟରେ ପ୍ରାୟ ୨,୦୦୦ ନାଟ୍ୟକାରଙ୍କ ଦ୍ୱାରା ରଚିତ ୨,୨୦୦ଟି ଡ୍ରାମା ଏହି ମଞ୍ଚରେ ପ୍ରଦର୍ଶିତ ହୋଇଛି। ଏହି ନାଟ୍ୟମେଳାର ପରମ୍ପରା ଐତିହାସିକ ସହର କଟକର ମର୍ଯ୍ୟାଦାକୁ ଦ୍ୱିଗୁଣିତ କରିଛି। ଏହା କହିଛନ୍ତି ନାଟ୍ୟକାର ତଥା ସଂଘର ସାଧାରଣ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ରଥ।
ଏହି ନାଟ୍ୟଉତ୍ସବର ପ୍ରାରମ୍ଭରେ ସର୍ବିଆର କଳାକାରମାନେ ‘ଲଷ୍ଟ ଆଣ୍ଡ ଫାଉଣ୍ଡ’ ନାଟକ ମଞ୍ଚସ୍ଥ କରିଥିଲେ। ସେହିପରି ଆସନ୍ତା ବୁଧବାର ଦିନ ସନ୍ଧ୍ୟାରେ ବାଂଲାଦେଶର କଳାକାରମାନେ ଇଂରାଜୀ ନାଟକ ’ଲର୍ଡ ଅଫ୍ ଦ ଫ୍ଲାଇସ୍’ ଗୁରୁବାର ସନ୍ଧ୍ୟାରେ ଇରାନିଆନ୍ ନାଟକ ‘ସୋଲ ଅଫ୍ ଟାଇମ୍’ ଶୁକ୍ରବାର ଦିନ ସାଉଥ୍ ଆଫ୍ରିକାର କଳାକାରମାନେ ‘ଚିଅରସ ଟୁ ସାରାଦେଭୋ’, ଶନିବାର ଦିନ ନେପାଳି ନାଟକ ’କୁମାରୀ କୋ ଘର’ ରବିବାର ଦିନ ଇରାନିଆନ୍ ନୃତ୍ୟ, ସୋମବାର ଦିନ ମେକ୍ସିକୋ କଳାକାରମାନଙ୍କ ‘ନସ୍କିଟା ଦ ଅଲୁକ୍ସିଟା’ ଓ  ପରିଶେଷରେ ମଙ୍ଗଳବାର ଦିନ ବ୍ରାଜିଲର ନୃତ୍ୟନାଟିକା ଓ ଇରାନିଆନ୍ ଡ୍ରାମା ମଞ୍ଚସ୍ଥ ହେବାର ଯୋଜନା ଅଛି।
ଏତଦ୍ ବ୍ୟତୀତ କୋଲକାତା, ରାଉରକେଲା, ଇମ୍ପାଲ, ଉଜ୍ଜୟିନୀର କଳାକାରମାନେ ବିଭିନ୍ନ ନୃତ୍ୟ ଓ ନାଟକ ପରିବେଷଣ କରିବେ।

Tags: India Theater Olympiad, Lost And Found, Theater Show, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

 

Comment