ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁରୁବାରଠାରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ। ଏଥିପାଇଁ ରାଜ୍ୟର ଦୁଇ ବିରୋଧୀ ଦଳ ରଣନୀତି ପ୍ରସ୍ତୁତ କରିଥିବା ବେଳେ ଶାସକ ଦଳ ମଧ୍ୟ ପଛରେ ପଡି ନାହିଁ। ବିରୋଧୀଙ୍କୁ ଜବାବ ଦେବା ପାଇଁ ବିଜେଡି କେନ୍ଦ୍ର ଅବହେଳା କ୍ୟାସେଟ୍ ବଜାଇବ ବୋଲି ବୁଧବାର ବସିଥିବା ବିଧାୟକ ଦଳ ବୈଠକରୁ ଜଣାପଡିଛି।
ଚଳିତ ଅଧିବେଶନରେ ଶାସକ ବିଜେଡିକୁ ଘେରିବା ପାଇଁ ବିଜେପି ପ୍ରସ୍ତୁତ କରିଛି ଲମ୍ବା ତାଲିକା। ଖଣି ଲିଜଧାରୀଙ୍କଠାରୁ ଜରିମାନା ଆଦାୟକୁ ବିଜେପି ମୁଖ୍ୟ ପ୍ରସଙ୍ଗ କରିବ ବୋଲି କହିଛି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଆକାଉଣ୍ଟ ଅନିୟମିତତା, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ଆଇନଶୃଙ୍ଖଳା ପରିସ୍ଥିତି, ପିଆଜ ଦର ବୃଦ୍ଧି ଓ ନିଯୁକ୍ତି ଆଦିକୁ ବିଜେପି ସଭ୍ୟ ପ୍ରସଙ୍ଗ କରିବେ।
ବିଜେପି ବିଧାୟକ ରବି ନାଏକ କହିଛନ୍ତି, ”ରାଜ୍ୟରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡିଛି। ବେକାରୀ ସମସ୍ୟା ଦିନକୁ ଦିନ ଉତ୍କଟ ରୂପ ଧାରଣ କରୁଛି। କେନ୍ଦ୍ର ଓ ରାଜ୍ୟ ସରକାର ଏପର୍ଯ୍ୟନ୍ତ ପ୍ରତିଶ୍ରୁତି ରକ୍ଷା କରିପାରି ନାହାନ୍ତି।”
ଏପଟେ ମୁଖ୍ୟ ବିରୋଧୀ କଂଗ୍ରେସ ମଧ୍ୟ ରଣନୀତି ପ୍ରସ୍ତୁତ କରି ବିଧାନସଭା ହୁଲସ୍ତୁଲ କରିବାକୁ ଯୋଜନା କରିଛି। ରାଜ୍ୟର ବିଜେଡି ଓ କେନ୍ଦ୍ରର ଏନଡିଏ ସରକାରଙ୍କ ଅବହେଳାକୁ ପ୍ରସଙ୍ଗ କରିବ କଂଗ୍ରେସ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ବେକାର ଯୁବକଙ୍କୁ ନିଯୁକ୍ତି, ବିମୁଦ୍ରୀକରଣରେ ମୋଦି ସରକାର ବିଫଳ ଆଦିକୁ ନେଇ କଂଗ୍ରେସ ଚଳିତ ଅଧିବେଶନକୁ ଗରମ କରିବ।
”କେନ୍ଦ୍ର ସରକାର ତାଙ୍କ ପ୍ରତିଶ୍ରୁତି ରକ୍ଷା କରିପାରି ନାହାନ୍ତି। ରାଜ୍ୟରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇଥିବା ବେଳେ ବେକାରୀ ସମସ୍ୟା ଉତ୍କଟ ହୋଇଛି”, କହିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର।
ଶାସକ ବିଜେଡି ବି ବିରୋଧୀଙ୍କୁ ଜବାବ ଦେବା ଲାଗି ଅସ୍ତ୍ର ରେଡ୍ଡି କରି ରଖିଛି। କେନ୍ଦ୍ରୀୟ ଅବହେଳା, ବିଭିନ୍ନ ଯୋଜନା କାଟ୍, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ବିମୁଦ୍ରୀକରଣ ଫେଲ୍, ରନ୍ଧନ ଗ୍ୟାସ ସିଲିଣ୍ଡରରେ ସବସିଡି ପ୍ରତ୍ୟାହାର ନେଇ ଶାସକ ବିଜେଡି ବିରୋଧୀଙ୍କୁ କାଉଣ୍ଟର ଆଟାକ କରିବ।
”ମୌସୁମୀ ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସରେ ୯ଟି ବିଲ୍ ଆସିବ। କେନ୍ଦ୍ରୀୟ ଅବହେଳା ଓ ମହାନଦୀ ପ୍ରସଙ୍ଗ ଉଠିବ”, କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।
ସେପ୍ଟେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧବେଶନରେ ୯ଟି ଗୁରୁତ୍ୱପୂର୍ଣ୍ଣ ପାର୍ଲ୍ୟାମେଣ୍ଟାରୀ ବିଲ୍ ଉପସ୍ଥାପିତ କରାଯିବ।

Tags: Odisha Assembly, Narasingh Mishra, Bikram Keshari Arukha, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

Comment