ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ଡେରା ସଚ୍ଚା ସୌଦା’ର ଗୁମର କିଛି ରହସ୍ୟ ଉପନ୍ୟାସ ଭଳି। ଯେତେ ଭିତରକୁ ଯିବ, ସେତିକି ରହସ୍ୟ ଉପରୁ ପର୍ଦ୍ଦା ଉଠିବ। ପୁଣି କିଛି ନୂଆ ରହସ୍ୟ ମନ ଭିତରେ ସୃଷ୍ଟି ହେବ।
ରାମରହିମ ଦୋଷୀ ସାବ୍ୟସ୍ତ ହେଲେ। ବଳାତ୍କାର ଅଭିଯୋଗରେ ବାବା ଜେଲ ଗଲେ, ହେଲେ ସେ ଯେଉଁ ପାପର ସାମ୍ରାଜ୍ୟ ଗଢିଛନ୍ତି, ତାହା ଏବେ ସମସ୍ତଙ୍କୁ ଚକିତ କରିଛି। ଜଣେ ତଥାକଥିତ ସନ୍ୟାସୀ ଯେ କେତେ ବିଳାସୀ ହୋଇପାରେ ତା’ର ଗୋଟିଏ ପରେ ଗୋଟିଏ ପ୍ରମାଣ ସାମନାକୁ ଆସୁଛି।
ହରିଆଣାର ସିରସାରେ ଥିବା ଡେରା ସଚ୍ଚା ସୌଦା ମୁଖ୍ୟାଳୟର ଗୁମର ଧିରେ ଧିରେ ଫିଟିବାରେ ଲାଗୁଛି। ସୁରକ୍ଷା କର୍ମୀ ଯାଞ୍ଚ କରିବା ପରେ ବହୁ ତଥ୍ୟ ଆଗକୁ ଆସୁଛି। ଅସ୍ତ୍ରଶସ୍ତ୍ରଠାରୁ ଆରମ୍ଭ କରି ଯାବତୀୟ ଆପତ୍ତିଜନକ ସାମଗ୍ରୀ ମିଳୁଛି ଏହି ଆଶ୍ରମରୁ।
ଏହା ଆଶ୍ରମ ନୁହେଁ, ଏହା ୭ ଷ୍ଟାର ହୋଟେଲଠାରୁ ଆହୁରି ସୌଖୀନ। ରାମରହିମ ଯେଉଁ ଗୁମ୍ଫାରେ ରହୁଥିଲେ, ଯେଉଁଠି ଶିଷ୍ୟାମାନଙ୍କୁ ​‌ଯୌନଦାସୀ କରି ରଖିଥିବା ଅଭିଯୋଗ ହୋଇଥିଲା, ତାହା ଏକ ଗୋଲାପୀ ରଙ୍ଗର ମହଲ। ସେଠି ସୁଇମିଂ ପୁଲଠାରୁ ଆରମ୍ଭ କରି ପ୍ରେକ୍ଷାଳୟ ପର୍ଯ୍ୟନ୍ତ ରହିଛି।
ଆଶ୍ରମ ଭିତରେ ଯେଉଁ ବିଶାଳ ସିନେମା ହଲ ରହିଛି, ତାହା ଦେଶର ଅନ୍ୟତମ ବୃହତ୍ତମ ପ୍ରେକ୍ଷାଳୟ କହିଲେ ଭୁଲ ହେବନାହିଁ। ଏବେ ବି ସେଠାରେ ଚାଲିଛି ରାମରହିମଙ୍କ ଫିଲ୍ମର ସ୍କ୍ରିନିଂ।
ଆଶ୍ରମ ଭିତରେ ରହିଛି ‘ସ୍କାଏବାର’ ସହ ୭-ଷ୍ଟାର ହୋଟେଲ ଓ ରିସର୍ଟ, ଏଥିରେ ରହିଛି ଫ୍ରାନ୍ସର ପ୍ରସିଦ୍ଧ ଇଫେଲ ଟାୱାରର ପ୍ରତିକୃତି। କେବଳ ସେତିକିରେ ସବୁ ଶେଷ ହୋଇଯାଇନାହିଁ। ଆଶ୍ରମ ଭିତରେ ରହିଛି ତାଜମହଲର ପ୍ରତିକୃତି, ଡିସନୀ ପ୍ୟାଲେସ୍ ମଧ୍ୟ ରହିଛି।
ଏହାଛଡ଼ା ବିଶାଳ ସିନେମା ହଲ, ସପିଂ ମଲ୍, ଫୁଡ କୋର୍ଟ ଆଦି ରହିଛି ୭୦୦ ଏକର ପରିମିତ ଏହି ଆଶ୍ରମ ପରିସରରେ। ବିଶ୍ୱର ସବୁ ବିଳାସ ବ୍ୟସନ ସାମଗ୍ରୀକୁ ଏକାଠି କରାଯାଇଛି ଡେରା ଆଶ୍ରମରେ।
ସବୁ ବିଲ୍‌ଡିଂରେ ରାମରହିମଙ୍କ ବଡ଼ ବଡ଼ ପେଣ୍ଟିଂ ଲାଗିଥିବା ଦେଖିବାକୁ ମିଳିଛି। ପୁଲିସ ଯାଞ୍ଚ ପରେ ଆହୁରି ରହସ୍ୟ ଖୋଲିବ ବୋଲି ଆଶା କରାଯାଉଛି।
୧୯୪୮ ମସିହାରେ ଡେରା ସଚ୍ଚା ସୌଦାର ଆଶ୍ରମ ହରିୟାଣାରେ ପ୍ରତିଷ୍ଠା ହୋଇଥିଲା। ୧୯୯୦ ମସିହାରେ ଗୁରମିତ ରାମରହିମ ସିଂହଙ୍କୁ ଏହାର ମୁଖ୍ୟ ଭାବେ ଘୋଷଣା କରାଯାଇଥିଲା। ଏହାପରେ ଡେରାର ଅନୁଗାମୀ ବୃଦ୍ଧି ପାଇ ପାଖାପାଖି ୬ କୋଟିରେ ପହଁଚିଥିବା କୁହାଯାଏ।
ତେବେ ଧର୍ମ ଓ ଆସ୍ଥା ନାଁରେ ଏହି ଆଶ୍ରମରେ ବ୍ୟଭିଚାର ଚାଲିଥିବାର ଅଭିଯୋଗ ହୋଇଥିଲା ରାମରହିମଙ୍କ ବିରୋଧରେ। ଦୁଇ ମହିଳା ସାଧ୍ୱୀଙ୍କ ବଳାତ୍କାର ଅଭିଯୋଗ ପ୍ରମାଣିତ ହେବା ପରେ ବାବା ରାମରହିମଙ୍କ ୨୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି।
Tags: Bhubaneswar News, Breaking News, CBI, Dera Sacha Sauda, Gurmeet Ram Rahim, Gurmeet Ram Rahim Singh, Hanipreet, Hanipreet Isnan, Latest News, Odisha Breaking News, Odisha News, Odisha Stories, Odisha Top Stories, Punjab, Ram Rahim, Ram Rahim Verdict, Rape Case, Top Stories

LEAVE A REPLY

Please enter your comment!
Please enter your name here