ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶୁକ୍ରବାରଠାରୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ। ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଗୃହ ମୁଲତବୀ କରି ଦେଇଛନ୍ତି ବାଚସ୍ପତି। ତେବେ ଶୁକ୍ରବାରଠୁ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ କମ୍ପିବ। ଶାସକ ବିଜେଡି ବିଜେପିକୁ ଘେରିବା ପାଇଁ ଯୋଜନା କରୁଥିବା ବେଳେ ବିଜେପି ଏବଂ କଂଗ୍ରେସ ମଧ୍ୟ ବିଜେଡିକୁ ଘେରିବା ଲାଗି ତାଲିକା ପ୍ରସ୍ତୁତ କରିଛନ୍ତି।
ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ। ତେବେ ପ୍ରଥମ ଦିନ ଗୃହ କାର୍ଯ୍ୟ ହୋଇ ନ ଥିଲା। ଦିବଂଗତ ବିଧାୟକ ସୁବଳ ସାହୁ, ସୁର ସେଠୀ ଏବଂ ଶହୀଦ ପୋଲିସ କନଷ୍ଟେବଳଙ୍କ ସମ୍ମାନାର୍ଥେ ଶୋକ ପ୍ରସ୍ତାବ ଆଗତ କରିଥିଲେ।
ଏହାକୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏବଂ ବିଜେପି ବିଧାୟକ ପ୍ରଦୀପ ପୁରୋହିତ ସମର୍ଥନ କରିଥିଲେ। ୧ ମିନିଟ୍ ନୀରବ ପ୍ରାର୍ଥନା କରିବା ପରେ ବାଚସ୍ପତି ପ୍ରଦୀପ ଅମାତ୍ ଗୃହ ଶୁକ୍ରବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।
ଶୁକ୍ରବାର ଗୃହ କାର୍ଯ୍ୟ ଆରମ୍ଭ ହେବ। ହେଲେ ସାଂପ୍ରତିକ ରାଜନୀତିକୁ ନେଇ ଚଳିତ ଅଧିବେଶନ ସରଗରମ୍ ରହିବ ବୋଲି କୁହାଯାଉଛି। ମୁଖ୍ୟ କଥା ହେଉଛି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ବର୍ତ୍ତମାନ ଓଡ଼ିଶାରେ ଅଛନ୍ତି ଏବଂ ଶାସକ ବିଜେଡିକୁ ଟାର୍ଗଟେ କରିଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାରକୁ ଶାହା କଟୁ ସମାଲୋଚନା କରିଛନ୍ତି। ଏପରିକି ବିଜେଡିକୁ ପୋଡା ଟ୍ରାନ୍ସଫର୍ମର କହିବାକୁ ପଛାଇ ନାହାନ୍ତି ଶାହା। ଏହାକୁ ନେଇ ଉଭୟ ଦଳ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଖାଲି ସେତିକି ନୁହେଁ, କଂଗ୍ରେସ ଦଳକୁ ବି ଶାହା ଛାଡିନାହାନ୍ତି।
ଶୁକ୍ରବାର ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ଓ ବିଜେଡି ସଭ୍ୟ ବିଜେପିକୁ ଟାର୍ଗଟେ କରିବେ। କେନ୍ଦ୍ର ଅବହେଳା ପ୍ରସଙ୍ଗକୁ ନେଇ ବିଜେଡି ବିଧାୟକ ଗୃହ ହୁଲସ୍ତୁଲ କରିବେ। ଏହାସହ ଶାହାଙ୍କ ପୋଡା ଟ୍ରାନ୍ସଫର୍ମରର ଜବାବ ଦେବେ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଓ ଏଲପିଜି ସବସିଡ୍ ପ୍ରତ୍ୟାହାର ପ୍ରସଙ୍ଗକୁ ନେଇ ଶାସକ ବିଜେଡି ବିଜେପିକୁ ନାକେଦମ୍ କରିବାକୁ ଯୋଜନା କରିଛି।
ସେହିପରି ଶାସକ ବିଜେଡିକୁ ଘେରିବା ପାଇଁ ବିଜେପି ପ୍ରସ୍ତୁତ କରିଛି ଲମ୍ବା ତାଲିକା। ଖଣି ଲିଜଧାରୀଙ୍କଠାରୁ ଜରିମାନା ଆଦାୟକୁ ବିଜେପି ମୁଖ୍ୟ ପ୍ରସଙ୍ଗ କରିବ ବୋଲି କହିଛି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଆକାଉଣ୍ଟ ଅନିୟମିତତା, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ଆଇନଶୃଙ୍ଖଳା ପରିସ୍ଥିତି, ପିଆଜ ଦର ବୃଦ୍ଧି ଓ ନିଯୁକ୍ତି ଆଦିକୁ ବିଜେପି ସଭ୍ୟ ପ୍ରସଙ୍ଗ କରିବେ।
ଏପଟେ ମୁଖ୍ୟ ବିରୋଧୀ କଂଗ୍ରେସ ମଧ୍ୟ ରଣନୀତି ପ୍ରସ୍ତୁତ କରି ବିଧାନସଭା ହୁଲସ୍ତୁଲ କରିବାକୁ ଯୋଜନା କରିଛି। ରାଜ୍ୟର ବିଜେଡି ଓ କେନ୍ଦ୍ରର ଏନଡିଏ ସରକାରଙ୍କ ଅବହେଳାକୁ ପ୍ରସଙ୍ଗ କରିବ କଂଗ୍ରେସ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ବେକାର ଯୁବକଙ୍କୁ ନିଯୁକ୍ତି, ବିମୁଦ୍ରୀକରଣରେ ମୋଦି ସରକାର ବିଫଳ ଆଦିକୁ ନେଇ କଂଗ୍ରେସ ଚଳିତ ଅଧିବେଶନକୁ ଗରମ କରିବ।
ସେପ୍ଟେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧବେଶନରେ ୯ଟି ଗୁରୁତ୍ୱପୂର୍ଣ୍ଣ ପାର୍ଲ୍ୟାମେଣ୍ଟାରୀ ବିଲ୍ ଉପସ୍ଥାପିତ କରାଯିବ।
Tags: Bhubaneswar News,Breaking News, Latest News, BJP, BJD, Congress, Odisha Assembly, Odisha Breaking News, Odisha News, Odisha Stories, Odisha Top Stories, Top Stories

 

Comment