ଭାସ୍କର ପରିଚ୍ଛା
ବାଙ୍ଗାଲୋରରେ ବରିଷ୍ଠ ସାମ୍ବାଦିକା ଓ ହିନ୍ଦୁତ୍ୱ ରାଜନୀତିର କଟ୍ଟର ବିରୋଧୀ କୁହାଯାଉଥିବା ଗୌରୀ ଲଙ୍କେଶ୍ଙ୍କ ହତ୍ୟା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଛି। ବିଭିନ୍ନ ସହରରେ ଏ ନେଇ ବିକ୍ଷୋଭ/ଶୋଭାଯାତ୍ରା ଆୟୋଜିତ ହେଉଛି। ଏହି ହତ୍ୟାକାଣ୍ଡ ପରେ ଯେଉଁସବୁ ପ୍ରଶ୍ନ ଉଠୁଛି ତାହାକୁ ଅଣଦେଖା କରିବା ଅସମ୍ଭବ।
ଅବଶ୍ୟ, ଏହି ହତ୍ୟାକାଣ୍ଡ ପଛରେ କାହାର ହାତ ଅଛି ଏବଂ କେଉଁମାନେ ଏଥିରେ ଜଡିତ ଥିଲେ ସେ କଥା କହିବା ବର୍ତ୍ତମାନଠାରୁ କଷ୍ଟ। ଇତି ମଧ୍ୟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଧାରାମାୟା ଏକ ସ୍ୱତନ୍ତ୍ର ଯାଞ୍ଚ୍ ଟିମ୍ ଗଠନ କରିଛନ୍ତି ଓ ଟିମ୍ ତା’ର ତଦନ୍ତ ମଧ୍ୟ ଆରମ୍ଭ କରିସାରିଛି। ତେବେ ଯେଉଁଭଳି ଭାବରେ ଏବଂ ଯେଉଁ ପରିସ୍ଥିତିରେ ଗୌରୀଙ୍କୁ ନିର୍ମମ ଭାବରେ ହତ୍ୟା କରାଗଲା ତାହା କେତୋଟି ମୌଳିକ ପ୍ରଶ୍ନକୁ ଉତ୍ଥାପନ କରୁଛି।
ଗୌରୀଙ୍କ ହତ୍ୟାକାରୀମାନେ ତାଙ୍କ ଘର ସାମ୍ନାରେ ଠିଆ ହୋଇ ଯେଉଁଭଳି ଗୁଳି ପରେ ଗୁଳି ବର୍ଷେଇ ଚାଲିଲେ ସେଥିରୁ ହତ୍ୟାକାଣ୍ଡର ନିର୍ମମଭାବ ପ୍ରକାଶ ପାଉଛି। ହତ୍ୟା ପରେ ପରେ ଆତତାୟୀମାନେ ସ୍ଥାନ ଛାଡ଼ି ପଳାଇଯିବା ଓ ଘଟଣାସ୍ଥଳରେ କୌଣସି ଚିହ୍ନ ଛାଡ଼ିନଯିବା ସୂଚାଉଛି ଯେ ହତ୍ୟାକାରୀମାନେ ଏହିଭଳି କାଣ୍ଡରେ ଅତ୍ୟନ୍ତ ଦକ୍ଷ। ଏଥିରେ ଆଦୌ ସନ୍ଦେହ ନାହିଁ ଯେ ଏହି ହତ୍ୟାକାଣ୍ଡଟି ପୂର୍ବ ନିର୍ଦ୍ଧାରିତ ଥିଲା ଓ ହତ୍ୟାକାରୀମାନେ ଏହାର ପ୍ରାକ୍ ଯୋଜନା କରିଥିଲେ।
ଗୌରୀ ଲଙ୍କେଶ୍ ଏକ ଛୋଟ ସାପ୍ତାହିକ ପତ୍ରିକା ‘ଲଙ୍କେଶ୍ ପତ୍ରିକେ’ର ପ୍ରକାଶକ ଓ ସମ୍ପାଦକ ଥିଲେ। କିନ୍ତୁ ତାଙ୍କର ଅସଲ ପରିଚୟ ଥିଲା ଯେ ସେ ଜଣେ ହିନ୍ଦୁତ୍ୱ ବିରୋଧୀ ଆକ୍ଟିଭିଷ୍ଟ ଥିଲେ। ବିଭିନ୍ନ ସରକାରୀ ନୀତି ଓ ଜନସ୍ୱାର୍ଥ ବିରୋଧୀ ପ୍ରସଙ୍ଗରେ ସେ ବରାବର ସ୍ୱର ଉତ୍ତୋଳନ କରିଆସୁଥିଲେ। ଏମିତି ଦେଖିବାକୁ ଗଲେ ଗୌରୀ ବିଭିନ୍ନ ବର୍ଗ ଓ ବିଭିନ୍ନ ଗୋଷ୍ଠୀଙ୍କୁ ପଦାରେ ପକାଇବା ପାଇଁ ତାଙ୍କର ପତ୍ରିକା ଜରିଆରେ ଉଦ୍ୟମ କରିଆସୁଥିଲେ।
ଦଳିତ ଓ ଚାଷୀମାନଙ୍କର ସମସ୍ୟାକୁ ସାମ୍ନାକୁ ଆଣିବା ବ୍ୟତୀତ ନକ୍ସଲମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ମଧ୍ୟ ସେ ଉଦ୍ୟମ କରୁଥିଲେ। ସବୁଠାରୁ ବଡ଼ କଥା ହେଉଛି ହିନ୍ଦୁତ୍ୱବାଦୀମାନଙ୍କ ବିରୁଦ୍ଧରେ ମଧ୍ୟ ସେ ସ୍ୱର ଉତ୍ତୋଳନ କରୁଥିଲେ ଓ କ୍ଷମତାରେ ଥିବା ସରକାରମାନେ ତାଙ୍କ ଲେଖାରେ ବରାବର ସମାଲୋଚିତ ହେଉଥିଲେ।
ଗୌରୀ ଲଙ୍କେଶଙ୍କ ମୃତ୍ୟୁ ସହିତ ଏଭଳି କେତେକ ପ୍ରସଙ୍ଗ ଯୋଡ଼ି ହୋଇରହିଛି ଯାହା ବର୍ତ୍ତମାନ ସମୟରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି। ବିଗତ କିଛି ବର୍ଷ ମଧ୍ୟରେ ବାସ୍ତବବାଦୀ ଲେଖକ ଯଥା ଏମଏମ କାଲବୁର୍ଗୀ, ଗୋବିନ୍ଦ ପନସାରେ ଓ ନରେନ୍ଦ୍ର ଦାଭୋଲକରଙ୍କର ମୃତ୍ୟୁ ପରେ ଲଙ୍କେଶଙ୍କ ହତ୍ୟାକୁ ଗୋଟିଏ ସରଳରେଖାରେ ପକାଇବା ପାଇଁ ଉଦ୍ୟମ ହେଉଛି। ଅନ୍ୟ ତିନି ଜଣ ଲେଖକ ଓ ଚିନ୍ତକଙ୍କ ହତ୍ୟା ଗୋଟିଏ ରକମର ଏବଂ ଏହା ପଛରେ ଥିବା ଅପରାଧୀଙ୍କୁ ଏ ପର୍ଯ୍ୟନ୍ତ ଧରାଯାଇନାହିଁ। ଏଣୁ ଗୌରୀ ଲଙ୍କେଶଙ୍କ କ୍ଷେତ୍ରରେ ମଧ୍ୟ ସେୟା ହେବ ବୋଲି ଆଶଙ୍କା କରାଯାଉଛି।
ବ୍ୟକ୍ତିଗତ ଦୃଷ୍ଟିକୋଣରୁ ଏହିଭଳି ହତ୍ୟାକାଣ୍ଡକୁ ନଦେଖି ଯଦି ଏକ ବୃହତ୍ତର ପୃଷ୍ଠଭୂମିରେ ଦେଖାଯାଏ, ତେବେ ଯେଉଁମାନେ ଏକ ନିର୍ଦ୍ଦିଷ୍ଟ ମତବାଦକୁ ବିରୋଧ କରୁଛନ୍ତି ସେମାନଙ୍କ ଜୀବନ ବିପଦରେ ବୋଲି ଏକ ଧାରଣା ବଳବତ୍ତର ହେବାରେ ଲାଗିଛି।
କ୍ରମାଗତ ଭାବରେ ତିନି ଚାରିଜଣ ସରକାର ଓ ବ୍ୟବସ୍ଥା ବିରୋଧୀଙ୍କ ହତ୍ୟାରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଏହିଭଳି ମତବାଦରେ ବିଶ୍ୱାସ ରଖୁଥିବା ବ୍ୟକ୍ତିଙ୍କୁ ରାସ୍ତାରୁ ହଟାଇବା ପାଇଁ ଉଦ୍ୟମ କରାଯାଉଛି- ସେମାନେ ଆକ୍ଟିଭିଷ୍ଟ ହୁଅନ୍ତୁ, ସାମ୍ବାଦିକ ହୁଅନ୍ତୁ, ସମାଜସେବୀ ହୁଅନ୍ତୁ ଅଥବା ସୂଚନା ଅଧିକାର କର୍ମୀ। ଏହାଦ୍ୱାରା ଗୋଟିଏ ସନ୍ଦେଶ ଯାଉଛି ଯେ ହତ୍ୟା ପଛରେ ଥିବା ଶକ୍ତିଗୁଡ଼ିକ ଲେଖକମାନଙ୍କୁ ତାଗିଦ୍ କରୁଛନ୍ତି: ‘ନିଜ କଲମ ମୁନକୁ ଏତେ ଆଉ ତେଜେଇ ରଖନା’।
ନିକଟରେ ୨୦ ବର୍ଷ ଜେଲ ଦଣ୍ଡ ପାଇଥିବା ଗୁର୍ମିତ୍ ରାମରହିମର କାରନାମାକୁ ପଦାରେ ପକାଇଥିବା ଶୀର୍ଷାର ଜଣେ ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କୁ ହତ୍ୟା କରାଯାଇଥିଲା ଯିଏ ୨୦୦୨ ମସିହାରେ ରାମରହିମର କେଳେଙ୍କାରୀକୁ ପଦାକୁ ଆଣିଥିଲା।
ଏହିଭଳି ଦେଖିବାକୁ ଗଲେ ଯେଉଁମାନେ ଅନ୍ୟାୟ ଓ ଅନୀତି ବିରୁଦ୍ଧରେ ଲେଖୁଛନ୍ତି ଓ ପ୍ରଗତିଶୀଳ ଚିନ୍ତାଧାରାର ସମର୍ଥକ ସେମାନଙ୍କ ଜୀବନ ବରାବର ବିପଦରେ।
ବିଶ୍ୱାସ, ମତବାଦ ଓ ଚିନ୍ତାଧାରାକୁ ଅଲଗା କରି ଯଦି ଆମେ ଆଇନ ଶୃଙ୍ଖଳା ଦୃଷ୍ଟିରୁ କଥାଟିକୁ ଦେଖିବା, ତେବେ ଶାସନରେ ଥିବା ସରକାର ଏହିଭଳି ଘଟଣାଗୁଡ଼ିକୁ ହାଲ୍କା ଭାବରେ ନ ନେଇ ହତ୍ୟା ପଛରେ ଥିବା ଶକ୍ତିଗୁଡ଼ିକୁ ପ୍ରତିହତ କରିବା ଦରକାର।
ଯଦି ଗୌରୀ ଲଙ୍କେଶ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ ନ ହୁଏ ଏବଂ ଯଥାଶୀଘ୍ର ଆସାମୀମାନଙ୍କୁ ଧରାନଯାଏ ଗୋଟିଏ ସନ୍ଦେଶ ଯିବ ଯେ ଏହିଭଳି ବିରୋଧୀ ଲେଖକ ଓ ସାମ୍ବାଦିକମାନଙ୍କର ସମାଜରେ ସ୍ଥାନ ନାହିଁ। ଖାଲି ସେତିକି ନୁହେଁ, ଅପରାଧୀ ଧରା ନପଡ଼ିଲେ ସେମାନେ ଏହିଭଳି କାମ କରିବା ପାଇଁ ଅଧିକ ଉତ୍ସାହୀ ହେବେ ଏବଂ ଏହି ଧାରଣା ଶକ୍ତିଶାଳୀ ହେବ ଯେ ଯେଉଁମାନେ ସରକାରୀ ଓ ବ୍ୟବସ୍ଥା ବିରୋଧୀ ସେମାନଙ୍କ ପାଇଁ ଏକମାତ୍ର ପୁରସ୍କାର ହେଉଛି ହିଂସା।
ଗୌରୀ ଲଙ୍କେଶଙ୍କର ହତ୍ୟା ଏଭଳି ଏକ ସମୟରେ ଆସିଛି ଯେତେବେଳେ ପ୍ରେସ୍ ସ୍ୱାଧୀନତା ସୂଚକାଙ୍କରେ ଭାରତ କ୍ରମାଗତ ଭାବରେ ତଳକୁ ଖସି ଚାଲିଛି। ‘ରିପୋର୍ଟର୍ସ ୱିଦାଆଉଟ୍ ବୋଡର୍ସ’ ପକ୍ଷରୁ ନିକଟରେ ଜାରି କରାଯାଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ ଭାରତରେ ସାମ୍ବାଦିକଙ୍କ ଜୀବନ ଓ ପ୍ରେସ୍ ସ୍ୱାଧୀନତା ସାଙ୍ଘାତିକ ବିପଦର ସମ୍ମୁଖୀନ ହେଉଛି। ଗତବର୍ଷ ବିଶ୍ୱସ୍ତରରେ ଭାରତର ସ୍ଥାନ ୧୩୩ ଥିଲା ବେଳେ ଏବେ ଏହା ୧୩୬କୁ ଖସି ଆସିଛି।
ଏହା ଅତ୍ୟନ୍ତ ଚିନ୍ତାର ବିଷୟ। କ୍ଷମତାରେ ଥିବା ସରକାରମାନଙ୍କୁ ଏହି ବିଷୟକୁ ଗୁରୁତ୍ୱର ସହିତ ବିଚାରକୁ ନେବାକୁ ପଡ଼ିବ।
(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡ଼ିଶା ଲାଇଭର ପରାମର୍ଶଦାତା ସମ୍ପାଦକ)
Tags:
,