ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ରକ୍ତମୁଖା ହୋଇଉଠିଛି ଲାଲବାହିନୀ। ନିଜର ସକ୍ରିୟତାକୁ ଯାହିର କରିବାକୁ ଯାଇ ଏବେ ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ସହ ଲାଇଣ୍ଡମାଇନ ଖଞ୍ଜିବା ଆରମ୍ଭ କରିଛନ୍ତି ମାଓବାଦୀ। ଶନିବାର ସକାଳେ ମାଓ ପୋଷ୍ଟର ସମ୍ପର୍କରେ ଖବର ସଂଗ୍ରହ କରିବାକୁ ଯାଇଥିବାବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ସାମ୍ବାଦିକଙ୍କର ମୃତ୍ୟୁ ହୋଇଛି। ମୃତ ସାମ୍ବାଦିକଙ୍କ ପାଇଁ ୧୩ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ପ୍ରାଣ ହରାଇଥିବା କାର୍ଯ୍ୟରତ ସାମ୍ବାଦିକ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ମୋହନଗିରି ଅଞ୍ଚଳର ରୋହିତ ବିଶ୍ଵାଳ। ଶନିବାର ଦୁଲେନ କର୍ଲାଖୁଣ୍ଟା ବ୍ରିଜରେ ମାଓବାଦୀଙ୍କ ପୋଷ୍ଟର ଲଗାଯାଇଥିବା ସୂଚନା ପାଇ ରୋହିତ ବିଶ୍ଵାଳ ଖବର ସଂଗ୍ରହ କରିବାକୁ ଯାଇଥିଲେ। ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ମାଓବାଦୀ ଖଞ୍ଜିଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ତାଙ୍କର ମୃତ୍ୟୁ ହୋଇଥିଲା।

ମାଓ ପୋଷ୍ଟର ସମ୍ପର୍କରେ ଖବର ସଂଗ୍ରହ କରିବାକୁ ଯିବା ସମୟରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ରୋହିତ ବିଶ୍ଵାଳ ଗାଡ଼ି ସହ ଛିଟିକି ପଡ଼ିଥିଲେ। ବିସ୍ଫୋରଣ ଏତେ ଭୟାନକ ଥିଲା ଯେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ସିଆରପିଏଫ୍ ଜବାନ ଏବଂ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

ବ୍ରିଜରେ ଲଗାଯାଇଥିବା ପୋଷ୍ଟରଟିକୁ ଜବତ ପୋଲିସ କରିଛି। ଆଗାମୀ ଭୋଟ ବର୍ଜନ ଏବଂ କଳହାଣ୍ଡି ସୀମାନ୍ତରୁ ସିଆରପିଏଫ ଜବାନ ଓ ପୋଲିସ କ୍ୟାମ୍ପ ହଟାଇବାକୁ ଏହି ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ସିଆରପିଏଫ୍ ଜବାନ ଏବଂ ପୋଲିସ୍ ସର୍ଚ୍ଚ ଅପରେସନ ଜାରି ରଖିବା ସହ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିଛନ୍ତି।

LEAVE A REPLY

Please enter your comment!
Please enter your name here