ଓଡ଼ିଶାଲାଇଭ୍‍ ବ୍ୟୁରୋ

ଆରମ୍ଭରୁ ତାତି। ଆଲୋଚନା ହୋଇପାରିଲା କୌଣସି ପ୍ରସଙ୍ଗ। ବିରୋଧୀ ଦଳ ନୁହେଁ, ଶାସକ ଦଳର ସଭ୍ୟ ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ହୋ-ହଲ୍ଲା କରିବାରୁ ଗୃହ ଅଚଳ ହୋଇ ଯାଇଛି। ଫଳରେ ବାଚସ୍ପତି ପ୍ରଦୀପ କୁମାର ଅମାତ ଗୃହକୁ ମୁଲତବୀ କରିଛନ୍ତି।
ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ ଗୁରୁବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନ ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ବାଚସ୍ପତି ଗୃହକୁ ମୁଲତବୀ କରିଥିଲେ। ଦ୍ୱିତୀୟ ଦିନ ଗୃହ ସୁରୁଖୁରୁରେ ଚାଲିବ ବୋଲି ଆଶା କରାଯାଉଥିଲା। ହେଲେ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ଝଡ ସୃଷ୍ଟି ହୋଇଥିଲା।
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବି ଏବଂ ମହାନଦୀ ପ୍ରସଙ୍ଗରେ ଶାସକ ଦଳର ସଭ୍ୟ ଗୃହରେ ହୋ-ହଲ୍ଲା କରିଥିଲେ। କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ୍ ଦେଇଥିଲେ। ଫଳରେ ବାଚସ୍ପତି ପ୍ରଥମେ ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ କରିଥିଲେ।
ଗୃହ ମୁଲତବୀ ହେବା ପରେ ବିଧାନସଭା ବାହାରେ ବି ଶାସକ ଦଳ ସଭ୍ୟ ନୀରବ ରହି ନ ଥିଲେ। ବିଧାନସଭା ପରିସରରୁ ଶୋଭାଯାତ୍ରାରେ ରାଜଭବନ ପର୍ଯ୍ୟନ୍ତ ଯାଇଥିଲେ।  ଧାନ ସହାୟକ ମୂଲ୍ୟ ବୃଦ୍ଧି ଦାବି ଏବଂ ମହାନଦୀ ପ୍ରସଙ୍ଗରେ ରାଜ୍ୟପାଳ ଡକ୍ଟର ଏସ୍‌ସି ଜମିରଙ୍କୁ ସ୍ମାରକପତ୍ର ଦେଇଥିଲେ।
ଶାସକ ଦଳ ସଭ୍ୟ ବିଧାନସଭା ଅଚଳ କରିବାକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେପି ସମାଲୋଚନା କରିଛନ୍ତି।
ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ”ଗଣତନ୍ତ୍ରର ହତ୍ୟାକାରୀ ହେଉଛି ଶାସକ ଦଳ। ଚାଷୀ ସମସ୍ୟା ପ୍ରସଙ୍ଗରେ ଆଲୋଚନା କରିବାକୁ ବିଜେଡି ସଭ୍ୟ ଚାହୁଁ ନାହାନ୍ତି। ଚାଷୀ ସମସ୍ୟା ଆଲୋଚନା ହେଲେ ସରକାର ଅସୁବିଧାରେ ପଡିବେ  ବୋଲି ଡରୁଛନ୍ତି।”
ବିଜେଡି ନେତା ଅମର ପ୍ରସାଦ ଶତପଥୀ କହିଛନ୍ତି, ”ବିଗତ ଦିନରେ ଗୃହରେ ଚାଷୀ ସମସ୍ୟା ପ୍ରସଙ୍ଗରେ ଆଲୋଚନା ହୋଇଛି। ଆଜି ଆମେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ପ୍ରତିବାଦ କରିଥିଲୁ।”
ରାଜ୍ୟପାଳ ଅଫିସ ସହ ଯୋଗାଯୋଗ ନ କରି ବିଜେଡି ସଭ୍ୟମାନେ ରାଜଭବନ ଯାଇଥିବାରୁ ହଟହଟା ହୋଇଥିଲେ। ରାଜ୍ୟପାଳଙ୍କ ସହ ସାକ୍ଷାତ ପାଇଁ ଅନୁମତି ନ ମିଳିବାରୁ ସଭ୍ୟମାନେ କିଛି ସମୟ ଅପେକ୍ଷା କରିଥିଲେ। ଦଳର ବରିଷ୍ଠ ନେତା ରାଜ୍ୟପାଳଙ୍କ ଅଫିସ ସହ ଯୋଗାଯୋଗ କରିବା ପରେ ବିଜେଡି ସଭ୍ୟ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଇଥିଲେ।

Tags: Bhubaneswar News, Bikram Keshari Arukha, Breaking News, Latest News, Narasingh Mishra, Odisha Assembly, Odisha Breaking News, Odisha News, Odisha Stories, Odisha Top Stories, Top Stories

Comment