ଶ୍ୟାମଲ କିଶୋର

ଓଡ଼ିଶାରେ ସ୍ଵାଇନ୍ ଫ୍ଲ୍ୟୁ ପ୍ରଭାବରେ ଆଜି ଯାଏଁ ୪୫ ଜଣ ଲୋକ ପ୍ରାଣ ହରାଇଲେଣି। ଚାରିଆଡେ ଭୟାବହ ପରିସ୍ଥିତି। ଆପଣଙ୍କ ମନରେ ବି ସ୍ଵାଇନ୍ ଫ୍ଲ୍ୟୁକୁ ନେଇ ହଜାରେ ପ୍ରଶ୍ନ। ଆସନ୍ତୁ ଜାଣିବା କେମିତି ଏଡ଼ାଇବା ଏହି ଭୟଙ୍କର ରୋଗକୁ।
ଘୁଷୁରି ପାଖରୁ ହିଁ ଏହି ଇନଫଲୁଏନ୍‌ଜା ଭାଇରସ୍ ମଣିଷ ଦେହକୁ ବ୍ୟାପିଛି। ୨୦୦୯ ଅପ୍ରିଲ୍ ମାସରେ ଆବିଷ୍କୃତ ଏହି ଭାଇରସ୍ ମଣିଷ, ଘୁଷୁରି ଏବଂ ପକ୍ଷୀର ଇନଫଲୁଏନ୍‌ଜା ଭାଇରସ୍ ର ମିଶ୍ରଣରେ ସୃଷ୍ଟି ହୋଇଥିବାରୁ ଏହାକୁ ଭାଇରସ୍ ଟାଇପ୍ ଏ ବା ଏଚ୍୧ଏନ୍୧ ବୋଲି କୁହ ଯାଉଛି। ଏହି ରୋଗ ମଣିଷଠୁ ମଣିଷ ବ୍ୟାପିବାରେ ସକ୍ଷମ।
ସ୍ଵାଇନ୍ ଫ୍ଲ୍ୟୁର ଲକ୍ଷଣଗୁଡ଼ିକ ଅନ୍ୟ ଇନଫଲୁଏନ୍‌ଜା ଭାଇରସ୍ ସହିତ ସମାନ। ଜ୍ୱର ହେବା, ମୁଣ୍ଡ ବିନ୍ଧା, ଗଳା ଏବଂ ଦେହରେ ଯନ୍ତ୍ରଣା, ଶ୍ୱାସ କଷ୍ଟ, ଖାଇବାକୁ ଇଚ୍ଛା ନ ହେବା, ଅଳସୁଆ ଲାଗିବା, ଓଜନ କମିଯିବା ଇତ୍ୟଦି ଲକ୍ଷଣ ଥିବା ସ୍ଵାଇନ୍ ଫ୍ଲ୍ୟୁର ସମ୍ଭାବନାକୁ ବଢାଇ ଦେଇଥାଏ।
ବିଶେଷ କରି ଶିଶୁ ଏବଂ ବୃଦ୍ଧମାନଙ୍କ ପାଇଁ ଏହି ରୋଗ ପ୍ରାଣଘାତି ହୋଇପାରେ। ଏହାଛଡ଼ା ଯେଉଁମାନେ ଆସ୍ଥାମା, ହୃଦରୋଗ କିମ୍ବା ଏଇଡସ୍ ଆଦି ରୋଗରେ ପୀଡ଼ିତ, ସେମାନଙ୍କ ପାଇଁ ମଧ୍ୟ ସ୍ଵାଇନ୍ ଫ୍ଲ୍ୟୁ ମାରାତ୍ମକ ପରିସ୍ଥିତି ସୃଷ୍ଟି କରିପାରେ।
ତେଣୁ, କେବଳ ସଚେତନତା ହିଁ  ଆମକୁ ଏହି ରୋଗଠୁ ଦୂରେଇ ରଖିପାରେ।
୧. ସ୍ଵାଇନ୍ ଫ୍ଲ୍ୟୁ ଭାଇରସ୍ ଶ୍ୱାସପ୍ରଶ୍ୱାସ ମାଧ୍ୟମରେ ଶରୀରକୁ ପ୍ରବେଶ କରିଥାଏ। ସେଥିପାଇଁ ଏନ୍‌-୯୫ ମାସ୍କ ବ୍ୟବହାର କରିବା ଅତ୍ୟନ୍ତ ଜରୁରୀ।
୨. ଯଦି କେହି ଏହି ରୋଗରେ ସଂକ୍ରମିତ ହୋଇଥାନ୍ତି,ତାଙ୍କ ଆଖପାଖକୁ ନଯିବା ଭଲ। ଯଦି ଏକାନ୍ତ ଯିବା ଦରକାର ପଡ଼େ ତେବେ ମାସ୍କ ପିନ୍ଧି ଯିବେ।
୩. ଭିଡ଼ଠୁ ସବୁବେଳେ ଦୂରରେ ରୁହନ୍ତୁ। ଅନ୍ୟଠୁ ଅତିକମ୍‌ରେ ୩ ଫୁଟ୍‌ରୁ ୬ ଫୁଟ୍ ଦୂରତ୍ୱ ବଜାୟ ରଖନ୍ତୁ।
୪. ଖାଇବା ଆଗରୁ ଭଲକରି ହ୍ୟାଣ୍ଡୱାସ୍ ବା ସାବୁନ୍ ବ୍ୟବହାର  କରି ହାତଧୁଅନ୍ତୁ।
୫. ଅଯଥାରେ ମୁହଁ, ଆଖି ଏବଂ ନାକରେ ହାତ ଦିଅନ୍ତୁ ନାହିଁ।
୬. ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରୁହନ୍ତୁ ଏବଂ ଘର ଓ ଆଖପାଖ ସଫା ରଖନ୍ତୁ।
୭. ଅନ୍ୟର ଖାଇଥିବା ଖାଦ୍ୟକୁ  ଖାଆନ୍ତୁ ନାହିଁ।
୮. କାଶ ବା ଛିଙ୍କ ହେଲେ ସବୁବେଳେ ରୁମାଲ୍ ବା ଟିସ୍ୟୁ ପେପର ବ୍ୟବହାର କରନ୍ତୁ।
୯. ଯଦି ଆପଣଙ୍କର ସ୍ଵାଇନ୍ ଫ୍ଲ୍ୟୁ ହୋଇଥିବାର ଲକ୍ଷଣ ଦେଖାଯାଏ ତେବେ ଘରେ ରୁହନ୍ତୁ ଏବଂ ଡେରି ନକରି  ଚିକିତ୍ସକ ସହିତ ପରାମର୍ଶ କରନ୍ତୁ।
୧୦. ରକ୍ତ ପରୀକ୍ଷା କରି ଯଦି ସ୍ଵାଇନ୍ ଫ୍ଲ୍ୟୁ ହୋଇଥିବା ଜଣାପଡ଼େ ତେବେ ବିଳମ୍ବ ନ କରି ତୁରନ୍ତ  ଡାକ୍ତରଖାନାରେ ଭର୍ତ୍ତି ହୁଅନ୍ତୁ।

Tags: H1N1, H1N1 Flu Virus, H1N1 Virus, Influenza Virus, OdishaLIVE, Swine Flu, Swine influenza, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

Comment