ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାମରହିମଙ୍କ କଳା ସାମ୍ରାଜ୍ୟର କଳା କାହାଣୀର ଅନ୍ତ ଘଟାଇବାକୁ ଚାହୁଁଛି ହରିଆଣା ପୋଲିସ। ଦୁଇ ଦିନ ହେଲା ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। କିଛି ସତ ସାମନାକୁ ଆସୁଛି ଯାହା ରାମରହିମଙ୍କ ପାପ ପେଡ଼ିର ଗୁମର ଖୋଲୁଛି।
ସର୍ଚ୍ଚ ଅପରେସନ ବେଳେ ମିଳିଛି ପ୍ଲାଷ୍ଟିକ ଟଙ୍କା। ପୁରୁଣା ୧୦ ପଇସା ଆକାରର କମଳା ରଙ୍ଗର ପ୍ଲାଷ୍ଟିକ୍ କଏନ ଏବଂ ପୁରୁଣା ପାଞ୍ଚ ପଇସା ଆକାରର ନୀଳ ରଙ୍ଗର ପ୍ଲାଷ୍ଟିକ କଏନ ପୋଲିସ ଜବତ କରିଛି। କମଳା ରଙ୍ଗର ପ୍ଲାଷ୍ଟିକ କଏନର ମୂଲ୍ୟ ୧୦ ଟଙ୍କା ଏବଂ ବ୍ଲୁ କଏନର ଦାମ ଏକ ଟଙ୍କା ରହିଥିବା ଜଣାପଡ଼ିଛି।
ଏହିସବୁ ଟଙ୍କା ଡେରା ଆଶ୍ରମ ଭିତରେ ଥିବା ବ୍ୟବସାୟ ପ୍ରତିଷ୍ଠାନ, ହସପିଟାଲ, ଫୁଡ ପାର୍କ ଓ ରିସର୍ଟରେ କାରବାର ହୋଇଥାଏ। ଡେରା ଆଶ୍ରମର ଆଖପାଖରେ ମଧ୍ୟ ଏହାକୁ କିଛି ଲୋକ ବ୍ୟବହାର କରିଥା’ନ୍ତି। କହିବାକୁ ଗଲେ ଭାରତ ସରକାରଙ୍କ ମୁଦ୍ରା ବ୍ୟବସ୍ଥାର ଏକ ସମାନ୍ତରାଳ ବ୍ୟବସ୍ଥା। ଏହି ଟଙ୍କା ମିଳିବା​‌ ପରେ ଡେରା ଆଶ୍ରମରେ ରାମରହିମଙ୍କର ମନମୁଖୀ କାରବାର ଚାଲିଥିବା ପ୍ରମାଣ ହୋଇଛି। ସେଠି ଆଇନକାନୁନ କିଛି ନଥିଲା, ସେ ହିଁ ଥିଲେ ସର୍ବଶକ୍ତିମାନ।
ସେପଟେ ଆଶ୍ରମ ଭିତରେ ଅନେକ ଲୋକଙ୍କୁ ମାରି ପୋତି ଦେଇଥିବା ଖବର ପରେ ଏବେ ପୋଲିସ ଜେସିପି ଲଗାଇ ବିଭିନ୍ନ ସ୍ଥାନକୁ ତାଡିବାରେ ଲାଗିଛି। ଯିଏ ରାମରହିମଙ୍କୁ ବିରୋଧ କଲା ତାଙ୍କୁ ମାରି ପୋତିଦେବା ପରେ ସେଠାରେ ଗଛ ଲଗାଯାଇଥିବା କିଛି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସବୁ ଘଟଣାର ଟିକିନିଖି ଯାଞ୍ଚ କରୁଛି ପୋଲିସ। ସେପଟେ ଡେରା ପକ୍ଷରୁ କୁହାଯାଇଛି ଡେରା ଅନୁଗାମୀମାନଙ୍କ ମୃତ୍ୟୁ ପରେ ସେମାନଙ୍କୁ ନିୟମ ଅନୁସାରେ ଏଠାରେ ପୋତା ଯାଇଥାଏ।
ହେଲେ ଏହି ସଫେଇକୁ ଗ୍ରହଣ କରିନାହିଁ ପୋଲିସ। ହରିଆଣା ସରକାର କହିଛନ୍ତି ଯଦି ମାଟି ତଳୁ କଙ୍କାଳ ମିଳେ, ତେବେ ଡେରା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ରାମରହିମଙ୍କ ବିରୋଧରେ ଆଉ ଏକ ଅଭିଯୋଗ ହୋଇଛି। ବେଆଇନ ଭାବେ ମଣିଷର ଅଙ୍ଗପ୍ରତ୍ୟଙ୍ଗ କାରବାର ହେଉଥିବା ନେଇ ସନ୍ଦେହ ପ୍ରକାଶ ପାଇଛି। ଏପରିକି ବିନା ପୋଷ୍ଟମର୍ଟମରେ ଅନେକ ମୃତ ଶରୀରକୁ ଉତ୍ତରପ୍ରଦେଶର ମେଡିକାଲ କଲେଜକୁ ଦାନ କରିଛନ୍ତି ରାମରହିମ। ତାହା ମଧ୍ୟ ଏବେ ତଦନ୍ତ ପରିସରକୁ ଆସିଛି।
ଶୁକ୍ରବାରଠାରୁ ହରିଆଣା ସିରସାରେ ଥିବା ଡେରା ସଚ୍ଚା ସୌଦାର ମୁଖ୍ୟ ଆଶ୍ରମରେ ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ। ୭୦୦ ଏକରରୁ ଅଧିକ ଜାଗାରେ ହୋଇଥିବା ଏହି ଆଶ୍ରମର ଇ​ଞ୍ଚେ ଇଞ୍ଚେ ଜାଗାକୁ ନିକିନିଖି ଯାଞ୍ଚ କରୁଛି ପୋଲିସ। ସେନାର ୪ କମ୍ପାନୀ ଯବାନଙ୍କ ସମେତ ଅର୍ଦ୍ଧ-ସାମରିକ ବାହିନୀ ଓ ହରିଆଣା ପୋଲିସର ୫୦୦୦ ଯବାନ ଆଶ୍ରମକୁ ନିୟନ୍ତ୍ରଣକୁ ନେଇ ପ୍ରତି କୋଣ ଅନୁକୋଣରେ ସର୍ଚ୍ଚ କରୁଛନ୍ତି।
ହାଇକୋର୍ଟର ଜଣେ ପୂର୍ବତନ ବିଚାରପତିଙ୍କ ତତ୍ତ୍ୱାବଧାନରେ ସର୍ଚ୍ଚ ଅପରେସନ ଜାରି ରହିଛି। ଏହି ଅପରେସନ ବେଳେ ଜଣାପଡ଼ିଛି ଯେ ଏହା ୭୦୦ ଏକରର ଆଶ୍ରମ ନୁହେଁ, ୧୦୦୦ ଏକରରୁ ଅଧିକ ଜଗାରେ ହୋଇଛି ଏହି ଆଶ୍ରମ।
ବହୁ ବେଆଇନ କାର୍ଯ୍ୟ ଓ ବ୍ୟଭିଚାରର ପାହାଡ଼ ଉପରେ ଛିଡ଼ା ହୋଇଛି ଡେରା ସଚ୍ଚା ସୌଦା।

Tags: Bhubaneswar News, Breaking News, CBI, Dera Sacha Sauda, Gurmeet Ram Rahim, Gurmeet Ram Rahim Singh, Hanipreet, Hanipreet Isnan, Latest News, Odisha Breaking News, Odisha News, Odisha Stories, Odisha Top Stories, Punjab, Ram Rahim, Ram Rahim Verdict, Rape Case, Top Stories

Comment