ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଳାତ୍କାରୀ ବାବା ରାମରହିମଙ୍କ ପାପ ସାମ୍ରାଜ୍ୟର ପେଡ଼ି ଖୋଲିବାରେ ଲାଗିଛି। ହରିଆଣା ସିରସାସ୍ଥିତ ଡେରା ସଚ୍ଚା ସୌଦା ଆଶ୍ରମର ସର୍ଚ୍ଚ ଅପରେସନ୍ ଚାଲିଥିବା ବେଳେ ଗୋଟିଏ ପରେ ଗୋଟିଏ ବଡ଼ ରହସ୍ୟର ପର୍ଦ୍ଦାଫାସ ହେଉଛି। ଏମିତି କିଛି ସତ ସାମନାକୁ ଆସୁଛି, ଯାହା ଚମକାଇଦେବ ଆପଣଙ୍କୁ।
ଏବେ ବି ଡେରା ଆଶ୍ରମ ଭିତରେ ଅନେକ ନାବାଳିକା ଓ ଯୁବତୀ ରହିଛନ୍ତି। ଗାର୍ଲ୍‌ସ ସ୍କୁଲ ଓ କଲେଜ ହଷ୍ଟେଲରୁ କିଛି ନାବାଳିକା ଓ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଛି। ତେବେ ଝିଅଙ୍କ ହଷ୍ଟେଲ ଯାଞ୍ଚ ବେଳେ ଏପରି ଏକ ରାଜ୍ ପଦାକୁ ଆସିଛି, ତାହା ବାବାଙ୍କ ବ୍ୟଭିଚାର ଉପରୁ ପର୍ଦ୍ଦା ଉଠାଇପାରିବ ବୋଲି ଆଶା କରାଯାଉଛି। ହରିୟାଣାର ଶିଶୁ ମଙ୍ଗଳ ବିଭାଗ କର୍ମକର୍ତ୍ତା ହଷ୍ଟେଲ ଯାଞ୍ଚ କରିବା ବେଳେ ଭିତରେ ଏକ ବନ୍ଦ ଆଲମିରା ଦେଖିବାକୁ ପାଇଥିଲେ। ସେହି ଆଲମୀରା ଖୋଲିବାରୁ ଯାହା ଦେଖିଲେ, ସେମାନଙ୍କ ହୋସ ଉଡିଗଲା।
ଆଲମୀରା ଭିତରେ ଏକ ଚୋରା ଦରୱାଜା ରହିଛି। ଯାହାକୁ କୁଆଡେ ବାବା ରାମରହିମ ନାଁ ଦେଇଥିଲେ ‘ବେବି ଗେଟ୍’। ଏହି ଗେଟ୍ ଦେଇ ଯେଉଁ ରାସ୍ତା ଲମ୍ବିଛି, ତାହା ସିଧାଯାଇଛି ବାବାଙ୍କ ରଙ୍ଗମହଲ, ଯାହାକୁ ସେ ‘ଗୁଫା’ କହିଥାନ୍ତି। ସୂଚନା ମିଳୁଛି ଯେ ‘ଗୁଫା’ ଭିତରେ ମଧ୍ୟ ସେହିପରି ଏକ ‘ଚୋର ଦରୱାଜା’ ରହିଛି। ଅର୍ଥାତ ଲେଡିଜ୍ ହଷ୍ଟେଲରୁ ଗୁଫା ପର୍ଯ୍ୟନ୍ତ ଯିବା ଆସିବା ଲାଗି ବ୍ୟବହାର ହେଉଥିଲା ଏହି ଗୁପ୍ତ ରାସ୍ତା।
‘ଗୁଫା’ରେ କିପରି ଲେଡିଜ୍ ହଷ୍ଟେଲରୁ ମହିଳାଙ୍କୁ ଡକାଇ ବାବା ଯୌନ ଶୋଷଣ କରିଥାନ୍ତି, ତାହାର ବର୍ଣ୍ଣନା ଥିଲା ୨୦୦୨ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କୁ ଲେଖାଯାଇଥିବା ଚିଠିରେ। ଅଟଳ ବିହାରୀ ବାଜପାୟୀଙ୍କୁ ଚିଠି ଲେଖି ବାବାଙ୍କ କଳା କାରନାମା ସଂପର୍କରେ ଜଣାଇଥିଲେ ପୀଡିତା ସାଧ୍ୱୀ।
ଏବେ ସର୍ଚ୍ଚ ଅପରେସନରୁ ମିଳୁଛି ବାବାଙ୍କ ଅପକର୍ମର ଗୋଟିଏ ପରେ ଗୋଟିଏ ପ୍ରମାଣ। ପୂର୍ବରୁ ମଧ୍ୟ ଡେରା ଆଶ୍ରମ ଛାଡିଥିବା କିଛି ଲୋକ ଏହି ଚୋରା ବାଟ ସଂପର୍କରେ କହିଥିଲେ। ଏହି ବାଟ ଦେଇ ନାବାଳିକା ସମେତ ଯୁବତୀମାନଙ୍କୁ ବାବା ରାମରହିମଙ୍କ ‘ଗୁଫା’କୁ ନିଆଯାଇଥାଏ। ସେଠାରେ ସେମାନଙ୍କୁ ଯୌନ ଲାଞ୍ଛନା ଦିଆଯାଇଥାଏ।
କେତେବେଳେ ରାମରହିମ ନିଜକୁ କୃଷ୍ଣ ଭଗବାନଙ୍କ ସହ ତୁଳନା କରିଥା’ନ୍ତି ତ କେତେବେଳେ ‘ପିତାଜୀ’ ମାଫି ଦେଉଛନ୍ତି କହି ନାବାଳିକା ଓ ଯୁବତୀଙ୍କୁ ବଳାତ୍କାର କରିଥାନ୍ତି।
ଦୁଷ୍କର୍ମର ଶିକାର ହେଉଥିବା ପୀଡିତା ଏହି ଅତ୍ୟାଚାର ବିରୋଧରେ ପାଟି ଫିଟାଇପାରନ୍ତି ନାହିଁ। ବରଂ ରାମରହିମ ଦୁଷ୍କର୍ମ କରିବା ପରେ ପୀଡିତାଙ୍କୁ କ୍ଷମା ମାଗିବାକୁ କୁହାଯାଏ। ଏପରି କଲେ ଜନ୍ମ ଜନ୍ମର ପାପ ଧୋଇଯାଏ ବୋଲି ପୀଡିତାମାନଙ୍କୁ ବୁଝାଇ ଦିଆଯାଏ।
ଗୁପ୍ତଦ୍ୱାର ଥିବା କୋଠରୀକୁ ପୁଲିସ କବଜାକୁ ନେବା ପରେ ଫରେନସିକ୍ ଟିମ୍ ତଦନ୍ତ କରୁଛି। ଏହି ଗୁପ୍ତଦ୍ୱାର କ’ଣ ପାଇଁ ନିର୍ମାଣ ହୋଇଥିଲା, ଆଉ କେଉଁ କେଉଁ କଳା କାରନାମା ଏହି ବାଟ ଦେଇ ହେଉଥିଲା, ତା’ର ତଦନ୍ତ କରୁଛି ପୁଲିସ।

Tags: Bhubaneswar News, Breaking News, CBI, Dera Sacha Sauda, Gurmeet Ram Rahim, Gurmeet Ram Rahim Singh, Hanipreet, Hanipreet Isnan, Latest News, Odisha Breaking News, Odisha News, Odisha Stories, Odisha Top Stories, Punjab, Ram Rahim, Ram Rahim Verdict, Rape Case, Top Stories

Comment