ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଳାତ୍କାରୀ ବାବା ରାମରହିମ ଜଣେ କାମାସକ୍ତ ବ୍ୟକ୍ତି। ତାଙ୍କର ଯୌନବିକାର ଏବେ ଚରମ ସୀମାରେ ପହଞ୍ଚିଛି। କାମ ବାସନାରେ ସେ ଏପରି ଜର୍ଜରିତ ହୋଇପଡିଛନ୍ତି ଯେ ଜେଲରେ ପାଗଳ ଭଳି ଆଚରଣ କରୁଛନ୍ତି। ଏଣୁତେଣୁ ଗପୁଛନ୍ତି। ମଝିରେ ମଝିରେ ବଡ଼ ପାଟିରେ ପ୍ରଳାପ କରୁଛନ୍ତି। ନିଜ ଦେହକୁ କୁଣ୍ଡାଇ କୁଣ୍ଡାଇ ଖଣ୍ଡିଆ କରିସାରିଲେଣି ରାମରହିମ।
ରୋହତକ ସୋନେରିଆ ଜେଲରେ ୨୦ ବର୍ଷ ସଜା କାଟୁଥିବା ରାମରହିମଙ୍କ ଏଭଳି ଅବସ୍ଥା ଜେଲ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇଦେଇଛି। ଦୁଇ ଦିନ ତଳେ ବାବାଙ୍କ ପାଗଳାମୀ ଏପରି ବଢିଯାଇଥିଲା ଯେ ତାଙ୍କୁ ଆୟତ୍ତ କରିବା ସମ୍ଭବ ନଥିଲା। ଭୀଷଣ ଅସୁସ୍ଥ ମଧ୍ୟ ହୋଇପଡିଥିଲେ ସେ। ଏହା ପରେ ଡାକ୍ତରୀ ଦଳକୁ ଜେଲ କର୍ତ୍ତୃପକ୍ଷ ଡକାଇଥିଲେ। ସେମାନେ ପରୀକ୍ଷା ପରେ କହିଛନ୍ତି ଯେ ରାମରହିମ ଜଣେ ସେକ୍ସ ଆଡିକ୍ଟ।
ଅଧିକ ଦିନ ତାଙ୍କୁ ଯୌନ ସଂପର୍କରୁ ଦୂରେଇ ରଖିଲେ ସେ ପୂରା ପାଗଳ ହୋଇଯାଇପାରନ୍ତି ବୋଲି କହିଛନ୍ତି ରାମରହିମଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଦଳ। ଡାକ୍ତର କହିଛନ୍ତି, ସେ ଜଣେ ମାନସିକ ରୋଗୀ ହୋଇଥିବାରୁ ତାଙ୍କୁ ତୁରନ୍ତ ଚିକିତ୍ସା କରାଇବା ଜରୁରୀ। ଏହି ଡାକ୍ତରୀ ଦଳରେ ଜଣେ ମାନସିକ ଚିକିତ୍ସକ ମଧ୍ୟ ରହିଥିଲେ।
ଜେଲ କର୍ତ୍ତୃପକ୍ଷ କହିଛନ୍ତି, ରାତି ଅଧରେ ରାମରହିମ ବଡ଼ ପାଟିରେ ଚିତ୍କାର କରି ତଥାକଥିତ ଧରମ ଝିଅ ‘ହନିପ୍ରୀତ’ର ନାଁ ନେଉଛନ୍ତି। ହନିପ୍ରୀତଠାରୁ ଏତେ ଦିନ ଦୂରରେ ରହିବା ବାବାଙ୍କ ପକ୍ଷରେ ସମ୍ଭବ ହେଉନାହିଁ। ବାରମ୍ବାର ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ହନିପ୍ରୀତକୁ ଆଣିଦେବା ପାଇଁ ଜିଦ କରୁଛନ୍ତି।
ସେପଟେ ହନିପ୍ରୀତଙ୍କ ବିରୋଧରେ ଦେଶଦ୍ରୋହ ଏବଂ ହିଂସା ଉସୁକାଇବା ଭଳି ସଙ୍ଗୀନ ମାମଲା ଚାଲିଥିବାରୁ ଗିରଫଦାରୀ ଭୟରେ ସେ ଫେରାର ହୋଇଯାଇଛନ୍ତି।
ସାଧ୍ୱୀ ବଳାତ୍କାର ମାମଲାରେ ଡେରା ସଚ୍ଚା ସୌଦା ମୁଖ୍ୟ ବାବା ଗୁରମିତ ରାମରହିମଙ୍କୁ ସ୍ୱତନ୍ତ୍ର ସିବିଆଇ କୋର୍ଟ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ। ରାମରହିମ ଦୁଇ ସପ୍ତାହରୁ ଅଧିକ ଦିନ ହେଲାଣି ରୋହତକ ଜେଲରେ ସଜା କାଟୁଛନ୍ତି। ହେଲେ ଅତ୍ୟନ୍ତ ଭୋଗ ବିଳାସରେ ଜୀବନ କାଟୁଥିବା ରାମରହିମଙ୍କୁ ଜେଲ ଜୀବନ ଦୁର୍ବିସହ ହୋଇପଡୁଛି। ବିଶେଷ କରି ସେ ଜଣେ ସେକ୍ସ ଆଡିକ୍ଟ ହୋଇଥିବାରୁ ଜେଲରେ ଏବେ ସେ ଅତି କାମାତୁର ହୋଇପଡିଛନ୍ତି। ଏହା ହିଁ ତାଙ୍କର ଅସୁସ୍ଥତାର କାରଣ ବୋଲି କହିଛନ୍ତି ଡାକ୍ତର।
ରାମରହିମ ବାରମ୍ବାର କହୁଥିଲେ ମୁଁ ନପୁଂସକ
ବଳାତ୍କାର ମାମଲା ଚାଲିଥିବାବେଳେ ରାମରହିମ ତାଙ୍କ ସଫେଇରେ ବାରମ୍ବାର ଗୋଟିଏ କଥା ଦୋହରାଉଥିଲେ। ସେ କୋର୍ଟରେ ନିଜକୁ ନିର୍ଦ୍ଦୋଷ କହିବା ସହ କହିଥିଲେ ସେ ଜଣେ ନପୁଂସକ। ସେ କାହା ସହ ଶାରିରୀକ ସଂପର୍କ ରକ୍ଷା କରିବା ପାଇଁ ସଂପୂର୍ଣ୍ଣ ଅକ୍ଷମ। କେବଳ ସିବିଆଇ କୋର୍ଟରେ ନୁହେଁ, ତାଙ୍କର ଭକ୍ତମାନଙ୍କୁ ମଧ୍ୟ ସେ ଏହିପରି କହି ଠକି ଚାଲିଥିଲେ। ସିବିଆଇ କୋର୍ଟ ତାଙ୍କର ଏହି ସଫେଇକୁ ପ୍ରତ୍ୟାଖାନ କରି ସଜା ଦେବାବେଳେ କହିଥିଲେ, ‘ରାମରହିମ ପଶୁ ଭଳି କୁକର୍ମ କରିଛନ୍ତି, ତାଙ୍କୁ ଦୟା କରିହେବନାହିଁ।’
ଜେଲରେ ତାଙ୍କର ଆଚରଣ ପୁଣି ଥରେ ପ୍ରମାଣିତ କରିଛି, ସେ ଜଣେ ସାଧୁ ବା ସନ୍ନ୍ୟାସୀ ନୁହଁନ୍ତି, ସେ ଜଣେ କାମାତୁର ବ୍ୟକ୍ତି।

Tags: Bhubaneswar News, Breaking News, CBI, Dera Sacha Sauda, Gurmeet Ram Rahim, Gurmeet Ram Rahim Singh, Hanipreet, Hanipreet Isnan, Latest News, Odisha Breaking News, Odisha News, Odisha Stories, Odisha Top Stories, Punjab, Ram Rahim, Ram Rahim Verdict, Rape Case, Top Stories

LEAVE A REPLY

Please enter your comment!
Please enter your name here