ଓଡ଼ିଶାଲାଇଭ୍‌ ବ୍ୟୁରୋ

ହରିଆଣାର ପୁଲିସ ଅଫିସର ତଥା ମିକ୍ସଡ୍ ମାର୍ସାଲ ଆର୍ଟସ ଚାମ୍ପିଅନ୍ କବିତା ଦେବୀ ଏବେ ଚର୍ଚ୍ଚାରେ। ଭାରତ ପ୍ରଥମ ମହିଳା ଯୋଦ୍ଧା ଭାବେ ସେ ଓ୍ୱାର୍ଲ୍‌ଡ ରେସଲିଂ ଏଣ୍ଟରଟେନମେଣ୍ଟ (WWE) ଚାମ୍ପିଅନସିପରେ ଭାଗ ନେବାର ଗୌରବ ହାସଲ କରିଛନ୍ତି। ‘ଦ ଗ୍ରେଟ୍ ଖଲି’ଙ୍କୁ ଆଦର୍ଶ କରି ପ୍ରଫେସନାଲ କୁସ୍ତି ରିଙ୍ଗକୁ ଓହ୍ଲାଇଛନ୍ତି କବିତା। ରିଙ୍ଗରେ ବିଶ୍ୱର ବଡ଼ ବଡ଼ ମଲ୍ଲ ଯୋଦ୍ଧାଙ୍କୁ ଚିତ୍ କରିଦେଉଛନ୍ତି କବିତା।
କବିତାଙ୍କ ଦେଶୀ ଅବତାର ବେଶ ପସନ୍ଦ ଆସୁଛି ଦର୍ଶକଙ୍କୁ। କମଳା ରଙ୍ଗର କୁର୍ତ୍ତା, ଚୁଡିଦାର ପିନ୍ଧି ଅଣ୍ଟାରେ ଦୁପଟ୍ଟା ଭିଡ଼ି ସେ ଯେତେବେଳେ ଲଢେଇକୁ ଓହ୍ଳାଉଛନ୍ତି, ଦର୍ଶକ ଗ୍ୟାଲେରୀରୁ କରତାଳି ଉଛୁଳି ପଡୁଛି।
“ପିଲାବେଳୁ କୁସ୍ତି ପ୍ରତି ତାଙ୍କର ଦୁର୍ବଳତା ଥିଲା। ସବୁବେଳ ଟିଭିରେ WWE ଦେଖୁଥିଲି ଏବଂ ନିଜେ କିପରି ରିଙ୍ଗକୁ ଯିବି ଏହି ସ୍ୱପ୍ନ ଦେଖୁଥିଲି। ଅଣ୍ଡରଟେକର ଏବଂ ମହିଳା ରେସଲର ଚିନାଙ୍କୁ ଦେଖି ଲଢେଇ କରିବା ପାଇଁ ଇଚ୍ଛା ଜାଗ୍ରତ ହୋଇଥିଲା। ‘ଖଲି’ ଯେତେବେଳେ ପ୍ରଥମ ଭାରତୀୟ ଭାବେ ବିଶ୍ୱ ବିଜେତାର ମୁକୁଟ ପିନ୍ଧିଲେ, ଏହା ମୋର ଲକ୍ଷ୍ୟକୁ ଆହୁରି ଦୃଢ କରିଥିଲା। ଦିନେ ନା ଦିନେ ପ୍ରଥମ ଭାରତୀୟ ମହିଳା ଭାବେ ଓ୍ୱାର୍ଲ୍‌ଡ ଟାଇଟେଲ ହାସଲ ମୋର ସ୍ୱପ୍ନ ହୋଇଯାଇଛି”, ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି କବିତା ଦେବୀ।
କବିତା କହିଛନ୍ତି ଯେ ଭାର ଉତ୍ତୋଳନ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଅନେକ ଦେଶ ବୁଲିଛି। ସେଠାକାର ସଂସ୍କୃତି ଦେଖିଛି, ମହିଳା ରେସଲରମାନଙ୍କ ପୋଷାକ ପରିଚ୍ଛଦ ମୋର ପସନ୍ଦ ହୋଇନାହିଁ। ସେଥିପାଇଁ ଭାରତୀୟ ପୋଷାକରେ ଲଢେଇ କରିବା ଲାଗି ନିଷ୍ପତି ନେଇଥିଲି।
“ଏଭଳି ପ୍ରତିଯୋଗିତାରେ ଭାଗ ନେବାକୁ ନିଷ୍ପତି ନେବା ପରେ ମୋତେ ଓ ମୋର ପରିବାରକୁ ଗାଁ ଲୋକ ଅନେକ ପରାମର୍ଶ ଦେଇଛନ୍ତି। ବାପାଙ୍କୁ ମୋର କିଛି ସମ୍ପର୍କୀୟ ବାରମ୍ବାର କହିଛନ୍ତି, ଝିଅ ପିଲା ତାକୁ ବାହାରକୁ ଏତେ ଛାଡ଼ନି, ତାକୁ ଶୀଘ୍ର ବାହା କରାଇଦିଅ। ହେଲେ ମୋର ଭାଇ ସବୁବେଳେ ମୋତେ ଉତ୍ସାହିତ କରିଆସିଛି। ସେ କୁହେ, କବିତା ଲୋକଙ୍କ କଥା ମୁଁ ବୁଝୁଛି, ତୁ କେବଳ କୁସ୍ତି ପ୍ରତି ଧ୍ୟାନ ଦେ। ଭାଇଙ୍କ ପ୍ରେରଣାରେ ମୁଁ ଏତେ ବାଟ ଆସି ପାରିଛି”, କହିଛନ୍ତି କବିତା।
୩୦ ବର୍ଷୀୟା କବିତା ଦେବୀ ଭାର ଉତ୍ତୋଳନରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ୨୦୧୬ ଦକ୍ଷିଣ ଏସିଆ କ୍ରୀଡ଼ାରେ ୭୫ କେଜି କାଟାଗୋରୀରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ କବିତା।

Tags: WWE, Kavita Devi, World Wrestling Federation, World Wrestling Entertainment, The Great Khali, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment