ଓଡିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ପ୍ରଥମିକ ଶିକ୍ଷା କିପରି ଚାଲିଛି?
ଏହାର ବାସ୍ତବ ଚିତ୍ର ଗୁରୁବାର ଗଣଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର ବିଧାନସଭାରେ ଉପସ୍ଥାପନ କରିଛନ୍ତି। କହିଛନ୍ତି, ୨,୨୦୫ ସ୍କୁଲରେ ଗୋଟିଏ ରୁମ୍‌ରେ ପାଠପଢ଼ା ଚାଲିଛି। ଏହାସହ ୧୭ ହଜାର ସ୍କୁଲ୍ ଦୁଇଟି ଶ୍ରେଣୀଗୃହକୁ ନେଇ ପରିଚାଳିତ ହେଉଛି।
ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର ସ୍ପଷ୍ଟ କରୁଛି ପ୍ରାଥମିକ ଶିକ୍ଷାର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ କେତେ ଆନ୍ତରିକତା ରହିଛି।
ମନ୍ତ୍ରୀ ଶ୍ରୀ ପାତ୍ର ଆହୁରି କହିଛନ୍ତି ଯେ, ୯୬,୩୦୦ ଶ୍ରେଣୀଗୃହରେ ୧,୬୬,୭୪୩ ପ୍ରାଥମିକ ସ୍କୁଲର ପାଠପଢ଼ା ଚାଲିଛି। ସେହିପରି ଉଚ୍ଚ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ମଧ୍ୟ ରାଜ୍ୟରେ ବିପର୍ଯ୍ୟସ୍ତ ହୋଇ ଯାଇଛି। ୧,୨୨,୦୪୫ ଶ୍ରେଣୀର ପାଠପଢ଼ା ୯୫,୯୮୬ କ୍ଲାସ୍‌ରୁମ୍‌ରେ ଚାଲିଛି।
ଶିକ୍ଷା ଅଧିକାର ନିୟମର ତଥ୍ୟ ଅନୁଯାୟୀ ମନ୍ତ୍ରୀ ଏହା କହିଛନ୍ତି।
ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ, ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଶ୍ରେଣୀଗୃହର ଅଭାବ ରହିଛି। ଏହାସହ ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ଅଧିକ ଶିକ୍ଷକ ନିଯୁକ୍ତିର ଆବଶ୍ୟକତା ରହିଛି। ପ୍ରାଥମିକ ସ୍କୁଲରେ ଆଗାମୀ ଦିନରେ ୧୪,୦୮୭ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ।
ରାଜ୍ୟରେ ପ୍ରାଥମିକ ଶିକ୍ଷାର ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକ ଗୁରୁବାର ବିଧାନସଭାରେ ପ୍ରଶ୍ନ କରିଥିଲେ।

Tags : Odisha, Odisha News, school and Mass Education, Odisha Assembly, BadriNarayan Patra, Primery School, Bhubaneswar, Naveen Patnaik, Class Room, Odisha Minister

Comment