ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ ଭାଷା ବହୁ ପ୍ରାଚୀନ ଓ ପୁରାତନ। ନିକଟରେ ଏହାକୁ ମିଳିଛି ଶାସ୍ତ୍ରୀୟ ଭାଷାର ମାନ୍ୟତା। ରାଜ୍ୟରେ ପ୍ରତିଷ୍ଠା ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ, ଯାହାକି ଓଡ଼ିଆ ଭାଷା ସାହିତ୍ୟକୁ  ଋଦ୍ଧିମନ୍ତ କରିବା ସହିତ ରାଜ୍ୟରେ ଓଡ଼ିଆ ଭାଷାର ଗବେଷଣା ନିମନ୍ତେ ଏକ ବ୍ୟାପକ ସମ୍ଭାବନା ସୃଷ୍ଟି କରିବ। ଗୁରୁବାର ବିଧାନସଭାରେ ଏଥିନିମନ୍ତେ ଓଡ଼ିଆ ଭାଷା ଓ ସାହିତ୍ୟ ବିଶ୍ୱବିଦ୍ୟାଳୟ ବିଧେୟକ ପାସ୍ ହୋଇଛି। ଏହାକୁ ଉଭୟ ଦଳର ସଭ୍ୟମାନେ ସମର୍ଥନ କରିଥିଲେ। ଏହି ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରରେ ନିର୍ମାଣ ହେବ ।
ନିୟମ ଅନୁଯାୟୀ ରାଜ୍ୟପାଳ ବିଶ୍ୱବିଦ୍ୟାଳୟର କୁଳାଧିପତି ହେବେ। ବିଶ୍ୱବିଦ୍ୟାଳୟର କୁଳପତିଙ୍କର ଅବଧି ୩ ବର୍ଷ ରଖାଯାଇଛି। ଆବଶ୍ୟକସ୍ଥଳେ କୁଳାଧିପତି ଚାହିଁଲେ ତାଙ୍କୁ ପଦରୁ ବହିଷ୍କାର କରିପାରିବେ। କୁଳପତିଙ୍କର ବୟସ ସୀମା ଅନ୍ୟୁନ ବୟସ ସୀମା ୬୫ ବର୍ଷରୁ କମ୍ ହୋଇଥିବା ଦରକାର।
ଓଡ଼ିଆ ଭାଷାକୁ ଅଧିକରୁ ଅଧିକ ପ୍ରଚାର ପ୍ରସାର ନିମନ୍ତେ ରାଜ୍ୟ ସରକାର ଏହି ବିଶ୍ୱବିଦ୍ୟାଳୟ ଗଠନ କରିବାକୁ ଯାଉଛନ୍ତି। ବିଶ୍ୱବିଦ୍ୟାଳୟରେ ଶିକ୍ଷା ଓ ସମ୍ବଳ କେନ୍ଦ୍ର ଭାବେ କାର୍ଯ୍ୟ କରିବ। ସଂସ୍କୃତ, ପ୍ରାକୃତ ଓ ଅନ୍ୟ ଭାଷାର ଲିପି ସହ ଓଡ଼ିଆ ଲିପିର କ’ଣ କ’ଣ ସାମଞ୍ଜସ୍ୟ ଅଛି ଏହା ଉପରେ ବିଭିନ୍ନ ବିଷୟରେ ଗବେଷଣା କରାଯିବ। ସାହିତ୍ୟର ବିଭିନ୍ନ ଦିଗ ପାଣ୍ଡୁଲିପି ଇତ୍ୟାଦିକୁ ଅନୁବାଦ କରାଯାଇ ସ୍ନାତକୋତ୍ତର ସ୍ତରରେ ଶିକ୍ଷାଦାନ କରାଯିବାର ବ୍ୟବସ୍ଥା ଅଛି।
ବିଜ୍ଞାନ, ବାଣିଜ୍ୟ, ପରିଚାଳନା, ଭୂତତ୍ତ୍ୱ, ଇତିହାସ, ଦର୍ଶନଶାସ୍ତ୍ର, ଅର୍ଥଶାସ୍ତ୍ର, ଆଇନ, ଚିକିତ୍ସା ବିଜ୍ଞାନ ପରି ଅନେକ ବିଭାଗରେ ଓଡ଼ିଆ ଭାଷାରେ ହିଁ ଶିକ୍ଷାଦାନ କରାଯିବ। ବିଶ୍ୱବିଦ୍ୟାଳୟକୁ ପରିଚାଳନା ନିମନ୍ତେ କୁଳସଚିବ, ପରୀକ୍ଷା ନିୟନ୍ତ୍ରକ, ଅର୍ଥହିସାବ ନିୟନ୍ତ୍ରକ ପରି କିଛି ଅଧିକାରୀ କାର୍ଯ୍ୟ କରିବେ। ଏମାନଙ୍କୁ ସରକାରଙ୍କ ତରଫରୁ ନିଯୁକ୍ତି ଦିଆଯିବ। ଏହାସହିତ ବିଶ୍ୱବିଦ୍ୟାଳୟ ପାଇଁ ଏକ ବୋର୍ଡ, ବିଦ୍ୟା ପରିଷଦ ଓ ପାଠ୍ୟମଣ୍ଡଳୀ ଗଠନ କରାଯିବାର ବ୍ୟବସ୍ଥା ରହିଛି।

Tags: Odia University, Odia, Odia Language, Assembly, Odisha Assembly, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment