ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶିଷ୍ଟ ନାଟ୍ୟକାର ଓ ସଂଳାପ ଲେଖକ ଡକ୍ଟର ସୁବୋଧ ପଟ୍ଟନାୟକଙ୍କର କଟକରେ ପରଲୋକ ଘଟିଛି। ହୃଦ୍‌ଘାତ ଯୋଗୁଁ ଶନିବାର ସକାଳୁ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମଞ୍ଚ ନାଟକ ବ୍ୟତୀତ ସେ ଅନେକଗୁଡିଏ ଚଳଚିତ୍ର ପାଇଁ ସଂଳାପ ଲେଖିଛନ୍ତି। ନାଟ୍ୟକାର ଭାବରେ ଯେତିକି ନୁହେଁ ସଂଳାପ ଲେଖକ ଭାବେ ସେ ପରିଚିତ ଥିଲେ।
ସେ ୬୦ରୁ ଅଧିକ ଚଳଚ୍ଚିତ୍ର ଓ ଟିଭି ଧାରାବାହିକ ପାଇଁ ସଂଳାପ ଲେଖିଛନ୍ତି।
ସ୍ୱର୍ଗତ ପଟ୍ଟନାୟକ ଦଣ୍ଡା ବାଳୁଙ୍ଗା ଚିତ୍ରରୁ ସଂଳାପ ଲେଖିବା ଆରମ୍ଭ କରିଥିଲେ। ଏହା ୧୯୮୪ର କଥା। ତା’ ପରଠାରୁ ସେ ବହୁ ସୁପରହିଟ ଚଳଚିତ୍ରର ସଂଳାପ ଲେଖିଆସିଛନ୍ତି। ଏଥିମଧ୍ୟରୁ ସବୁ ମାୟାରେ ବାୟା, ଜନନୀ, ଜାଇଫୁଲ, ଜଗା ହାତରେ ପଘା, ଶଙ୍ଖା ସିନ୍ଦୁର, ସହରୀ ବାଘ, ମମତା ମାଗେ ମୂଲ, ବାଜେ ବଇଁଶୀ ନାଚେ ଘୁଙ୍ଗୁର, ଚକା ଭଉଁରି, ଏଇ ତ ଦୁନିଆଁ, ଥିଲି ଝିଅ ହେଲି ବୋହୁ, ପୁଅ ମୋର କଳା ଠାକୁର, ମମତାର ଡୋରୀ, ଚକା ଆଖି ସବୁ ଦେଖୁଚି, ବିଧିର ବିଧାନ, ତୋ ବିନୁ ଅନ୍ୟ ଗତି ନାହିଁ ଅନ୍ୟତମ।
ବ୍ୟାବସାୟିକ ଚଳଚ୍ଚିତ୍ର ପାଇଁ କ’ଣ ମସଲା ଦରକାର ଓ ଡାଇଲଗ କ’ଣ ହେବା ଦରକାର ସେଇ ବିଦ୍ୟାଟି ସୁବୋଧ ପଟ୍ଟନାୟକଙ୍କୁ ଖୁବ୍ ଜଣାଥିଲା। ଦେଖିବାକୁ ଗଲେ ସେ ଯେଉଁ କେତୋଟି ଫିଲ୍ମରେ ଦମଦାର ଡାଇଲଗ ଲେଖିଛନ୍ତି ତାହାକୁ ଆଜି ଯାଏଁ ଦର୍ଶକ ମନେରଖିଛନ୍ତି।
ସ୍ୱର୍ଗତ ପଟ୍ଟନାୟକଙ୍କର ବିଶିଷ୍ଟ ଗାୟକ ଓ ସଂଗୀତକାର ଅକ୍ଷୟ ମହାନ୍ତିଙ୍କ ସହିତ ଘନିଷ୍ଠ ବନ୍ଧୁତା ଥିଲା। ଉଭୟଙ୍କ ଯୋଡ଼ିକୁ ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ଏକ ମାଇଲ ଖୁଣ୍ଟ ବୋଲି କୁହାଯାଏ।
ବୃତ୍ତିରେ ସେ ଜଣେ ଡାକ୍ତର ଥିଲେ ଅଥଚ ସିନେମା ଓ ଥିଏଟର ପ୍ରତି ତାଙ୍କର ଅସମ୍ଭବ ଦୁର୍ବଳତା ଥିଲ।।
ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା।

Tags: Odisha cine dialogue writer, Subodh Patnaik, theatre personality, Danda Balunga, Dr Subodh Patnaik, Ollywood, Odia Cinema, Odia Cine News, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment